ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆୟୋଜିତ ହୋଇଛି ଉପକୂଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ। ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ଓ ‘ଫ୍ରୋଷ୍ଟ’ର ମିଳିତ ସହଯୋଗରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଖୁବଶୀଘ୍ର ରାଜ୍ୟରେ ଜାତୀୟ ଜଳମାର୍ଗ-୫ ତାଳଚେରରୁ ପାରାଦୀପ ଏବଂ ଧାମରା ଯାଏଁ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଥିଲେ।

“ଜାତୀୟ ଜଳମାର୍ଗ-୫ର ବିସ୍ତୃତ ଡିଜାଇନ୍, ବ୍ୟୟବରାଦ ଏବଂ ଇଞ୍ଜିନିୟରିଂ ସହିତ ଡିପିଆର୍ ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପର କାର୍ଯ୍ୟକାରିତା ରାଜ୍ୟ ସରକାର, କେନ୍ଦ୍ର ପରିବହନ ମନ୍ତ୍ରାଳୟ ଏବଂ ଆଇଡବ୍ଲୁଏଆଇ, କୋଲ ଇଣ୍ଡିଆ ଲିମିଟେଡ୍ ଏବଂ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ନେଇ ଗଠିତ ଏସପିଭି ଅଧୀନରେ କରାଯିବ। ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ”, କହିଛନ୍ତି ଉଷା ପାଢ଼ୀ  

ସେ ଆହୁରି ମଧ୍ୟ କହିଛନ୍ତି, “ଜାତୀୟ ଜଳମାର୍ଗ-୫ର ବିକାଶ ସହିତ ପୂର୍ବତଟ କେନାଲ ସିଷ୍ଟମର ପ୍ରାରମ୍ଭିକ ବିକାଶ ଏବଂ ଜାତୀୟ ଜଳମାର୍ଗ-୧ ସହିତ ଏହାର ସଂଯୋଗ ତଥା ରାଜ୍ୟରେ ସବୁଜ ପରିବହନ ଏବଂ ଅର୍ଥନୀତିର ବିକାଶ ପାଇଁ ଗୁରୁତ୍ଵ ଦିଆଯାଉଛି। ଏହା ରାଜ୍ୟର ଅର୍ଥନୈତିକ ବିକାଶରେ ବହୁଳ ଭାବେ ସହାୟକ ହେବ।”

ଏହି ସମ୍ମିଳନୀରେ ନଦୀ ଓ ଉପକୂଳର ସୀମିତ ଜଳରାଶିରେ ପରିବହନର ସ୍ଥାୟୀତ୍ୱ ଉପରେ ଆଲୋଚନା କରିଥିଲେ। ବିଶେଷ କରି ଛୋଟ ଜାହାଜ ସହ ଜଡ଼ିତ ଏହି କ୍ଷେତ୍ରକୁ ବିକାଶ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉତ୍କଳ ଚାମ୍ବର ଅଫ୍‍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଡକ୍ଟର ପ୍ରବୋଧ କୁମାର ମହାନ୍ତି, ‘ଫ୍ରୋଷ୍ଟ’ର ସଭାପତି ପ୍ରଫେସର ସୁରେଶ ମିଶ୍ର, ନୌସେନା ସ୍ଥାପତ୍ୟ ଏବଂ ସାମୁଦ୍ରିକ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଆର.ପି. ଗୋକରନ୍ ଓ ଆଇଆଇଟି ଖଡଗପୁରର ପ୍ରଫେସର କେଶବ ଦେବ ପ୍ରମୁଖ ଯୋଗ ଦେଇଥିଲେ।

Tags: #NationalWaterways #InlandWaterway #Talcher #Dhamara #paradip #Odisha

LEAVE A REPLY

Please enter your comment!
Please enter your name here