ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ର ପ୍ରଦେଶର ସଙ୍ଗାରେଡି (ହାଇଦ୍ରାବାଦ ନିକଟ) ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଜିଲ୍ଲାର ପଟନଚେରୁ ପାଖ ଏକ ମାଛ ପୋଖରୀର ଲକ୍ଷ ଲକ୍ଷ ମାଛ ମରିପଡିଥିବା ଭଳି ଘଟଣା ନଜରକୁ ଆସିଛି।
ଖବର ଅନୁସାରେ ଏହି ବିରାଟ ମାଛ ପୋଖରୀ ପାଖରେ ରାସାୟନିକ ପଦାର୍ଥ ତିଆରି କରୁଥିବା ଏକ କମ୍ପାନି ରହିଛି। ଏହି କମ୍ପାନିର ପ୍ଲାଣ୍ଟରୁ ବିଷାକ୍ତ ବର୍ଜ୍ୟ ରାସାୟନିକ ପଦାର୍ଥ ନିର୍ଗତ ହୋଇ ପୋଖରୀରେ ମିଶିବା କାରଣରୁ ପୋଖରୀର ୨୩ ଲକ୍ଷ ମାଛ ମରିଯାଇଥିଲେ।
ଏହି ମାଛର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା। ପୋଖରୀ ମାଲିକଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲା ଓ ପୋଲିସ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି।
ପୋଲିସର ସୂଚନା ଅନୁସାରେ ୪ ଅକ୍ଟୋବର ରାତିରେ ଏହି ଘଟଣା ଘଟିଥିଲା। ପୋଖରୀ ପାଖରେ ଥିବା କଜିପଲ୍ଲୀ ଶିଳ୍ପ ଅଞ୍ଚଳ ରହିଛି ଓ ଏଠାରେ ପ୍ରାୟ ୩୦ଟି ବଡ଼ ବଡ଼ କମ୍ପାନି ସେମାନଙ୍କର ପ୍ଲାଣ୍ଟ ବସାଇଛନ୍ତି। ସେଦିନ ରାତିରେ ଭୀଷଣ ବର୍ଷା ଯୋଗୁଁ ଏହି କମ୍ପାନୀର ବର୍ଜ୍ୟବସ୍ତୁ ଦୀର୍ଘ ୪୮ ଘଣ୍ଟା ଧରି ପାଖ ପୋଖରୀକୁ ବୋହିବାକୁ ଲାଗିଥିଲା। ଏହା ଫଳରେ ୨୬୬ ଏକର ବିଶିଷ୍ଟ ଏକ ପୋଖରୀରେ ଥିବା ସବୁ ମାଛ ମରିଯାଇଥିଲେ।
ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ପୋଲିସ କିଛି କମ୍ପାନି ବିରୁଦ୍ଧରେ ଆଇପିସିର ଧାରା ୨୭୭ ଓ ୨୭୮ ଅନୁସାରେ କେସ୍ ରୁଜୁ କରିଛି।
ଓଡ଼ିଶାକୁ ଏବଂ ଓଡ଼ିଶା ଦେଇ ବଙ୍ଗଳାକୁ ଯେଉଁ ମାଛ ଆସେ ତାହା ମୁଖ୍ୟତଃ ଏହି ଅଞ୍ଚଳରୁ ଆସିଥାଏ।