ଓଡ଼ିଶାଲାଇଭ୍‌ ବ୍ୟୁରୋ

Baleswar District - ପୁଅର ଦୋଷ ପାଇଁ ବାପାଙ୍କ ଶବ ଅଛୁଆଁ

ପୁଅର ଦୋଷ ପାଇଁ ବାପାଙ୍କ ଶବକୁ ଲୋକେ କାନ୍ଧ ଦେଲେନି। ଏମିତିକି ଶବ ସତ୍କାର କରିବା ପାଇଁ ଶ୍ମଶାନକୁ ନେବା ପାଇଁ ଅନୁମତି ମିଳିନାନି। ଶେଷରେ ପରିବାର ଲୋକେ ନିଜ ବନ୍ଧୁବାନ୍ଧବଙ୍କ ସହାୟତାରେ ଶବ ସତ୍କାର ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁରେ।

ଆମ୍ବଳିଅଠା ଗାଁର ଭୂପତି ଜେନା ଗତ କିଛି ଦିନ ଓରି ହୃଦରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଭୂପତିଙ୍କ ଶବକୁ ଗାଁକୁ ଅଣାଯାଇଥିଲା। ହେଲେ ଶବକୁ କାନ୍ଧ ଦେବା ଦୂରର କଥା, ଗାଁ ଶ୍ମଶାନରେ ଶବ ସତ୍କାର କରିବାକୁ ମନା କରି ଦେଇଥିଲେ ଗାଁ ଲୋକେ। ଫଳରେ ୫ ଘଣ୍ଟା ଯାଏଁ ଶବ ପିଣ୍ଡାରେ ପଡ଼ିଥିଲା।

ଶେଷରେ ପରିବାର ଲୋକେ ନିଜ ବନ୍ଧୁବାନ୍ଧବ ଓ ଆତ୍ମିୟସ୍ୱଜନଙ୍କ ସହାୟତାରେ ଗାଁଠାରୁ ୧୫ କିଲୋମିଟର ଦୂରରେ ଥିବା ସୁବର୍ଣ୍ଣରେଖା ନଦୀପଠାରେ ଶବ ସତ୍କାର କରାଯାଇଥିଲା। ତେବେ ନିଜ ପୁଅର ଦୋଷ ପାଇଁ ବାପାଙ୍କ ଶବକୁ ଲୋକେ କାନ୍ଧ ଦେଇନଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ କୌଣସି ଏକ ଏକ ଗଣ୍ଡୋଗଳକୁ କେନ୍ଦ୍ର କରି ମୃତ ଭୂପତି ଜେନାଙ୍କ ପୁଅ ଗିରିଜା ଶଙ୍କରଙ୍କୁ ଆମ୍ବଳିଅଠା ଗାଁ ବୈଠକକୁ ଡକାଯାଇଥିଲା। ତେବେ ଏହି ବୈଠକରେ ଗିରିଜା ଶଙ୍କରଙ୍କୁ କିଛି ଗ୍ରାମବାସୀ ମାଡ଼ ମାରିଥିବା ଗିରିଜାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ୍‌ ଏକ ମାମଲା ରୁଜ୍ଜୁ କରିଥିଲା। ତେବେ ଗାଁ ଲୋକେ ଥାନାରୁ ଏହି ମାମଲା ପ୍ରତ୍ୟାହାର କରିବା ପାଇଁ ଗିରିଜାଙ୍କ ପରିବାର ଉପରେ ଚାପ ପକାଉଥିଲେ। ଏହି ରାଗ ରଖି ଗାଁ ଲୋକ ତାଙ୍କ ବାପାଙ୍କ ଶବକୁ ସତ୍କାର କରିବାକୁ ଅନୁମତି ଦେଇନଥିବା ଗିରିଜା ଶଙ୍କର ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here