ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
  • ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ଲକ ଅଧିକାରୀଙ୍କ ସହ କଥା ହେଲେ ଜିଲ୍ଲାପାଳ
  • ୮ ଓ ୯ ତାରିଖରେ ଆଶ୍ରୟସ୍ଥଳୀ ଭାବେ ୨୪ ଘଣ୍ଟା ଖୋଲା ରହିବ ସମସ୍ତ ସ୍କୁଲ
  • ଜିଲ୍ଲାରେ ୧୪୦ ବାତ୍ୟା ଆଶ୍ରୟସ୍ଥଳୀ ଖୋଲା

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଶନିବାର ‘ବୁଲ୍‌ବୁଲ୍‌’ ବାଲେଶ୍ଵର ସମୁଦ୍ର ଉପକୂଳ ଦେଇ ଗତି କରିବ। ଏହା ରବିବାର ମଧ୍ୟ ରାତିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ବାଲେଶ୍ଵର ଦେଇ ଯିବା ବେଳେ ଏହା ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନର ଆଶଙ୍କା କରାଯାଉଛି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ବିଭାଗ ତରଫରୁ କିପରି ପ୍ରସ୍ତୁତି କରାଯାଇଛି ତାହା ସମୀକ୍ଷା କରିଥିଲେ ଜିଲ୍ଲାପାଳ। ଜିଲ୍ଲାରେ ରହିଥିବା ୧୪୦ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ବିଭିନ୍ନ ବ୍ଲକ୍‌ରେ ମହଜୁଦ୍‌ ରହିଥିବା ପଲିଥିନ୍‌ ଷ୍ଟକ୍‌ ସମ୍ପର୍କରେ ସମୀକ୍ଷା କରା ଯାଇଥିଲା ତଳିଆ ଅଞ୍ଚଳ ଗ୍ରାମଗୁଡିକରେ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଅସ୍ଥାୟୀ ଭାବେ ଆଶ୍ରୟସ୍ଥଳୀଗୁଡିକୁ ସ୍ଥାନାନ୍ତର କରାଯିବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗ, ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ବିଡିଓଙ୍କ କାର୍ଯ୍ୟାଳୟ ସମେତ ମେଡିକାଲ୍‌ ଓ ଅନ୍ୟାନ୍ୟ ବିଭାଗୁଡିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ।

ଅସ୍ଥାୟୀ ଶିବିରରେ ଅଧିକାରୀମାନେ ଆଶ୍ରିତମାନଙ୍କ ପାଇଁ ଭୋଜନ, ପାନୀୟ ଜଳ ଯୋଗାଣ ଏବ˚ ବିଜୁଳିର ବ୍ୟବସ୍ଥା କରିବେ। ସେହିପରି ଅତ୍ୟାବଶ୍ୟକୀୟ ଔଷଧପତ୍ର ଯୋଗାଣ କରାଯିବ। ଆସନ୍ନପ୍ରସବାମାନଙ୍କୁ ଆଗୁଆ ଭାବେ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରଗୁଡିକରେ ଭର୍ତ୍ତି କରାଯିବା ଉପରେ ଗୁରୁତ୍ଵ ଦିଆ ଯାଇଛି।

ସେହିପରି ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ସ୍କୁଲଗୁଡିକୁ ଲୋକଙ୍କ ଆଶ୍ରୟ ନିମନ୍ତେ ଆସନ୍ତା ୮ ଓ ୯ତାରିଖରେ ୨୪ ଘଣ୍ଟା ଖୋଲା ରଖିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ କୁହା ଯାଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବାତ୍ୟା ପାଇଁ ଚୁଡା, ଗୁଡ଼ ଆଦି ଶୁଖିଲା ଖାଦ୍ୟ ମହଜୁଦ୍‌ ନିର୍ଦ୍ଦେଶ ଦିଆଯାଇଛି।

ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସିଫ୍ଟ ଅନୁଯାୟୀ ସେମାନଙ୍କ କାର୍ଯ୍ୟରେ ନିୟୋଜିତ କରାଯିବ। ଡାକ୍ତରଖାନାରେ ଜେନେରେଟର‌୍‌, ମେଡିସିନ୍‌, ହାଲୋଜେନ୍‌ ଟାବ୍‌ଲେଟ୍‌, ପାଣି ଓ ଡ୍ରାଏ ଫୁଡ୍‌ ମହଜୁଦ୍‌ ରଖିବାକୁ ସ୍ଵାସ୍ଥ୍ୟ ବିଭାଗକୁ କୁହା ଯାଇଥିଲା।

ଜିଲ୍ଲାରେ ଥିବା ଓଡ୍ରାଫ୍‌, ଏନ୍‌ଡିଆର‌୍‌ଏଫ୍‌, ଅଗ୍ନିଶମ ବିଭାଗଗୁଡିକ ବିଭିନ୍ନ ଟିମ୍‌ରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଏହାସହ ତାଳସାରୀଠାରେ ସ୍ଵତନ୍ତ୍ର ଭାବେ ଏକ ଟିମ୍‌ ମୁତୟନ ରହିବେ। ଆଜି ୯ଟା ବେଳେ ଭିଡିଓ କନ୍‌ଫରେନ୍ସି˚ ମାଧ୍ୟମରେ ସମସ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ କଥା ହୋଇ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି।

ଏହି ବୈଠକରେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଭୟ ନାୟକଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, ବିଦ୍ୟୁତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Comment