ସ୍ୱତନ୍ତ୍ର ପ୍ରତିନିଧି

ଭାରତର ଧାର୍ମିକ କ୍ଷେତ୍ରମାନଙ୍କ ମଧ୍ୟରେ ବୋଧହୁଏ ପୁରୀ ଏବଂ ପୁରୀ ମନ୍ଦିର ପରିଚାଳନାକୁ ନେଇ ହିଁ ସର୍ବାଧିକ ବିବାଦ ଦେଖାଦେଇଛି। ମନ୍ଦିରର ରୀତିନୀତି ଓ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନେଇ ଅନେକ ସମୟରେ ବିବାଦ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଦୃଷ୍ଟାନ୍ତ ରହିଛି। ଦୁଇ ବର୍ଷ ତଳର ବିବାଦ ଏବର୍ଷ ପୁଣି ଥରେ ମୁଣ୍ଡ ଟେକିଛି। ଆଗକୁ ରଥଯାତ୍ରା ଆସୁଥିବାବେଳେ ଏହା ପୁଣି ଥରେ ଜଗନ୍ନାଥଙ୍କର ଶୃଙ୍ଖଳିତ ରଥଯାତ୍ରା ସମ୍ପନ୍ନ ଉପରେ ପ୍ରଶ୍ନ ଉଠାଇଛି।

ଗତ ବର୍ଷ ରଥଯାତ୍ରା ବେଳେ ଯେଉଁ ବିବାଦ ଦେଖାଯାଇଥିଲା, ତାହାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ବର୍ତ୍ତମାନଠାରୁ ହିଁ କେବଳ ରାଜ୍ୟ ସରକାର ନୁହଁନ୍ତି, ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ତତ୍ପର ହୋ‍ଇଉଠିଛନ୍ତି। ଗତ ରଥଯାତ୍ରା ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‍ ଓ କିଛି ସାମ୍ବାଦିକଙ୍କ ନେଇ ଯେଉଁ ଗଣ୍ଡଗୋଳ ସୃଷ୍ଟି ହୋ‍ଇଥିଲା, ତାହାରି ପରିପ୍ରେକ୍ଷୀରେ ସେବାୟତମାନଙ୍କ ସହଯୋଗ ଲୋଡ଼ାଯାଇଛି। 

ଜୁନ୍ ୨୫ ତାରିଖରେ ରଥଯାତ୍ରା ପଡୁଛି ଏବଂ ଏହା ଯେପରି ଶାନ୍ତି, ଶୃଙ୍ଖଳାର ସହ ଶେଷ ହେବ, ସେ ନେଇ ସମସ୍ତେ ଚିନ୍ତିତ। ରଥଯାତ୍ରାରେ ସବୁଠୁ ବଡ଼ ସମସ୍ୟା ହେଉଛି ଠିକ୍‍ ସମୟରେ ସବୁ ନୀତି ଶେଷ ହେବା ଏବଂ ସମୟ ନିର୍ଘଣ୍ଟ ଅନୁଯାୟୀ ରଥଟଣା ହେବା।

ଗତବର୍ଷ ଜୁଲାଇ ୧୭ ତାରିଖରେ ନୀଳାଦ୍ରିବିଜେ ସମୟରେ ଠାକୁରମାନଙ୍କୁ ମନ୍ଦିର ଭିତରକୁ ନିଆଯିବା ବେଳେ କିଛି ସେବାୟତ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିବା ବ୍ୟତୀତ କିଛି ସମ୍ବାଦିକଙ୍କୁ ବି ମାଡ଼ ମାରିଥିଲେ। ଅଧା ବାଟରେ ଠାକୁରଙ୍କର ପହଣ୍ଡି ବିଜେ ବନ୍ଦ ହୋ‍ଇଯାଇଥିଲା ଓ ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋ‍ଇଥିଲା। ସାମ୍ବାଦିକମାନଙ୍କୁ ମାଡ଼ ମାରିବା ଘଟଣାରେ ୨୦ ଜଣ ସେବାୟତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଏମାନଙ୍କ ଭିତରୁ ଆଠ ଜଣଙ୍କୁ ପଳାତକ ଘୋଷଣା କରାଯାଇଥିଲା ଓ ସର୍ବସାଧାରଣ ସ୍ଥାନମାନଙ୍କରେ ସେମାନଙ୍କର ଫଟୋ ଛାପିବା ବ୍ୟତୀତ ସେମାନଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତିର ବାଜ୍ୟାପ୍ତି ଘୋଷଣା କରାଯାଇଥିଲା। 

ଖାଲି ସେତିକି ନୁହେଁ ଏମାନଙ୍କ ଭିତରୁ କିଛି ସେବାୟତଙ୍କୁ ଗିରଫ ବି କରାଯାଇଥିଲା। ଚିନ୍ତାର ବିଷୟ ହେଉଛି ବିଗତ କିଛି ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ରୀତିନୀତି ମଧ୍ୟରେ ସମନ୍ୱୟ ରହୁନାହିଁ ଏବଂ ଛୋଟ ବଡ଼ ଘଟଣାକୁ ନେଇ ଅଯଥା ବିବାଦ ଦେଖାଯାଉଛି। ପୁରୀ ଓ ରଥଯାତ୍ରା ପ୍ରତି ଶ୍ରଦ୍ଧାଳୁମାନଙ୍କର ଯେଉଁ ଭକ୍ତି ଭାବ ରହିଛି, ତାହା ବି ନଷ୍ଟ ହେଉଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଯେଉଁ ବୈଠକ ହୋ‍ଇଥିଲା, ସେଥିରେ ପ୍ରାଥମିକ ଆଲୋଚନା କରାଯାଇ ରଥଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ କରିବା ପାଇଁ ନିଷ୍ପତ୍ତି ହୋ‍ଇଛି। କିନ୍ତୁ ଦେଖିବା କଥା ସେବାୟତମାନେ କେତେ ଦୂର ଏଥିରେ ସହଯୋଗ କରୁଛନ୍ତି। ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିବା ବେଳେ ଅନେକ ସମୟରେ ସେବାୟତମାନଙ୍କ ପକ୍ଷରୁ ହିଁ ନାନା ରକମର ସମସ୍ୟା ସୃଷ୍ଟି କରାଯାଉଛି। ଏପରିକି ପୁରୀ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଏଥିରେ ଅସହାୟତା ପ୍ରଦର୍ଶନ କରିଆସୁଛନ୍ତି। 

ବିଗତ ବର୍ଷମାନଙ୍କର ଅସୁବିଧା ଓ ବିଶୃଙ୍ଖଳାକୁ ଦେଖି ଏବର୍ଷ ବହୁ କିଛି କଟକଣା ଲଗାଯିବା ପାଇଁ ନିଷ୍ପତ୍ତି ହୋ‍ଇଛି। କେଉଁମାନେ ରଥ ଉପରେ ରହିବେ, ସେମାନଙ୍କ ଏକ ତାଲିକା ଶ୍ରୀମନ୍ଦିର ପ୍ରଶାସନ ପୋଲିସ୍‌କୁ ଦେବେ ଏବଂ ଏହି ସେବାୟତମାନଙ୍କ ଛଡ଼ା ଆଉ କାହାକୁ ରଥ ଉପରକୁ ଯିବାକୁ ଅନୁମତି ଦିଆଯିବ ନାହିଁ।

ରଥଯାତ୍ରା ସମୟରେ ପୁରୀ ଶଙ୍କରାଚାର୍ଯ୍ୟଙ୍କର ଉପସ୍ଥିତି ନେଇ ମଧ୍ୟ ଅତୀତରେ ବିବାଦ ଦେଖାଦେଇଥିଲା। ଏବର୍ଷ ସେହି ବିବାଦଟି ମୁଣ୍ଡ ଟେକିଛି। କିଛି ସେବାୟତ ଦାବି କରିଛନ୍ତି ଯେ ରଥଯାତ୍ରା ଦିନ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟମାନଙ୍କୁ ଠାକୁରଙ୍କ ଦର୍ଶନ ସକାଶେ ରଥ ଉପରକୁ ଚଢାଇ ଦିଆଯିବ ନାହିଁ। ଏଭଳି ଏକ ବିବାଦ ସୃଷ୍ଟି ହେବା କାରଣରୁ ୨୦୧୪ ମସିହାରେ ଶଙ୍କରାଚାର୍ଯ୍ୟ ରଥଯାତ୍ରା ବର୍ଜନ କରିଥିଲେ। ଛତିଶା ନିଯୋଗର ସଦସ୍ୟମାନେ କହନ୍ତି ଯେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଦିନ କେବଳ ଶଙ୍କରାଚାର୍ଯ୍ୟଙ୍କୁ ହିଁ ଶ୍ରୀଜିଉମାନଙ୍କ ପାଖକୁ ଯିବାକୁ ଦିଆଯିବା ଉଚିତ୍‍।

ଏନେଇ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ ଓ ନୂଆ ପ୍ରଶାସକ ପ୍ରଦୀପ ଜେନାଙ୍କ ମତରେ ଏ ସମ୍ପର୍କରେ ନିଷ୍ପତ୍ତି କେବଳ ମନ୍ଦିର ପରିଚାଳନା କମିଟି ହିଁ ନେବ। ବିବାଦର ମୂଳ କାରଣ ହେଉଛି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ଓ ସହଚରମାନଙ୍କୁ ସାଧାରଣ ଭକ୍ତ ଭାବରେ ବିଚାର କରାଯାଉ ବୋଲି ସେବାୟତଙ୍କ ଦାବି। ଓଡ଼ିଶା ହାଇକୋର୍ଟ ମଧ୍ୟ ଏହି ବିବାଦର ଶୁଣାଣି କରି ୨୦୧୪ରେ ରାୟ ଦେଇଥିଲେ ଯେ କେବଳ ଶଙ୍କରାଚାର୍ଯ୍ୟ ହିଁ ମନ୍ଦିର ନୀତି ଅନୁଯାୟୀ ନିର୍ଦ୍ଦିଷ୍ଟି ଦିନମାନଙ୍କରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦର୍ଶନ କରିପାରିବ।

ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ ମନୋଜ ରଥ କହନ୍ତି ଯେ ପୁଣି ଥରେ ଏହି ବିବାଦକୁ ସାମ୍ନାକୁ ଆଣିବା ଦୁର୍ଭାଗ୍ୟଜନକ।

ପୁରୀ ଶଙ୍କରାଚାର୍ଯ୍ୟ ତାଙ୍କର ସାତ ଜଣ ଶିଷ୍ୟଙ୍କୁ ଧରି ରଥଯାତ୍ରା ସମୟରେ ରଥରେ ଉପସ୍ଥିତ ରହିବା ପରମ୍ପରା ବର୍ଷ ବର୍ଷ ଧରି ରହିଆସିଛି। ଏଭଳି ଏକ ପରମ୍ପରାକୁ ଉଲ୍ଲଂଘନ କରାଯାଇଥିବାରୁ ୨୦୧୪ରେ ଶଙ୍କରାଚାର୍ଯ୍ୟ ରଥଯାତ୍ରା ସହ ନିଜକୁ ସାମିଲ୍‍ କରିନଥିଲେ। ଜନସାଧାରଣ ପକ୍ଷରୁ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା ଓ ସେମାନଙ୍କ ଦାବି ଫଳରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ନିକଟରେ କ୍ଷମାପ୍ରାର୍ଥନା କରାଯାଇଥିଲା ଓ ୨୦୧୫ରେ ସେ ଏହି ନୀତି ସହିତ ନିଜକୁ ପୁଣି ସାମିଲ୍‍ କରିଥିଲେ।

ଏବର୍ଷ ଶ୍ରୀମନ୍ଦିର ପ୍ରଶାସନ ଏହି ନୂଆ ବିବାଦକୁ କିଭଳି ସାମ୍ନା କରୁଛି ତାହା ଦେଖିବା କଥା। କିନ୍ତୁ ମନ୍ଦିର ରୀତିନୀତିକୁ ନେଇ ଯେଉଁଭଳି ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରାଯାଉଛି ତାହା ଶ୍ରୀମନ୍ଦିର ଓ ରଥଯାତ୍ରାକୁ ନେଇ ଏକ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରୁଛି।

Comment