ସ୍ୱତନ୍ତ୍ର ପ୍ରତିନିଧି

“ଓଡିଶାର ଖେଳାଳିମାନେ ଜାତୀୟ ଓ ବିଶ୍ୱ ସ୍ତରରେ ସେମାନଙ୍କର ପାରଦର୍ଶିତା ଦେଖାଇ ଆସିଛନ୍ତି। ମୁଁ ନିଶ୍ଚିତ ଯେ ବ୍ୟାଡମିଣ୍ଟନରେ ବି ଆମେ ଆନ୍ତର୍ଜାତିକ ସ୍ତରର ଖେଳାଳି ସୃଷ୍ଟି କରିପାରିବା”। ନିକଟରେ ସହିଦ ନଗର ଇଣ୍ଡୋର ହଲରେ ଓଡିଶା ସରକାର ଏବଂ ସାଇର ମିଳିତ ସହଯୋଗରେ ବ୍ୟାଡମିଣ୍ଟନ ଏକାଡେମୀ ଉଦ୍‍ଘାଟନ କରିବା ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡିଶା ଏବଂ ପୁର୍ବ ତଥା ଉତ୍ତର-ପୂର୍ବ ରାଜ୍ୟର ବ୍ୟାଡମିଣ୍ଟନ ପ୍ରତିଭାକୁ ଖୋଜି ବାହାର କରିବା, ସେମାନଙ୍କୁ ତାଲିମ ଦେବା ଓ ଭଲ ଖେଳାଳି ରୂପେ ସାମ୍ନାକୁ ଆଣିବା ହେଉଛି ଏହି ଏକାଡେମୀର ଲକ୍ଷ୍ୟ। ଏହା ଓଡିଶା ଏବଂ ଓଡିଶାର ବ୍ୟାଡମିଣ୍ଟନ ଖେଳାଳିମାନଙ୍କ ପାଇଁ ବିଶେଷ ଭାବେ ଖୁସିର ଖବର। ଖୁସିର ଖବର ଏଥପାଇଁ ଯେ ସ୍ପୋର୍ଟସ୍ ଅଥରିଟି ଅଫ ଇଣ୍ଡିଆ ସହିତ ମିଶି ଏକ ଏକାଡେମି ପ୍ରତିଷ୍ଠା କରିବା ରାଜ୍ୟ ପାଇଁ ପ୍ରଥମ ଘଟଣା। ବୁଝାମଣା ଅନୁସାରେ ସାଇ ବୈଷୟିକ ସହଯୋଗ ଯୋଗାଇବ। କୋଚ, ଫିଜିଓଥେରାପିଷ୍ଟ, ଅନ୍ୟ କିଛି ସପୋର୍ଟିଂ ଷ୍ଟାଫ୍, କିଟ୍‍, ରାକେଟ, ସଟ୍ଲକକ୍ ଓ ଅନ୍ତେବାସୀଙ୍କ ଖାଇବା ଖର୍ଚ୍ଚ ଆଦି ବହନ କରିବ ସାଇ।

ଓଡିଶା ସରକାରଙ୍କ ଦାୟିତ୍ୱ ହେବ ତାଲିମ ପାଇବାକୁ ଥିବା ଖେଳାଳିଙ୍କ ରହିବା ଖର୍ଚ୍ଚ, ଡେ ବୋର୍ଡରଙ୍କ ଜଳଖିଆ ଖର୍ଚ୍ଚ, ପିଲାଙ୍କ ପାଇଁ ଶିକ୍ଷକ ଯୋଗାଡ଼ କରିବା, ଆବଶ୍ୟକ ପଡୁଥିବା ଭିତ୍ତିଭୂମି ଆଦି କ୍ଷେତ୍ରରେ ସହଯୋଗ କରିବା। ଏକାଡେମୀ ଉଦ୍‍ଘାଟନ ବେଳେ ମୁଖ୍ୟମନ୍ତ୍ରୀ ହଷ୍ଟେଲର ଭିତ୍ତିପ୍ରସ୍ତର ମଧ୍ୟ ପକାଇଥିଲେ।

ଡେ ବୋର୍ଡ଼ର୍ ଭାବେ ୨୦ ଜଣ ଛାତ୍ରଛାତ୍ରୀ ଅନ୍ତେବାସୀ ଭାବରେ ଓ ଆଉ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଠିନ ଚୟନ ପ୍ରକ୍ରିୟା ଦେଇ ଏହି ଖେଳାଳୀମାନଙ୍କୁ ବଛାଯାଇଛି। ରିପୋର୍ଟ ଅନୁସାରେ ଅନ୍ତେବାସୀଙ୍କ ପାଇଁ ଜିମ୍ନାସିଅମ ଓ ହଷ୍ଟେଲ କାମ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରହିଛି ଓ ଅକ୍ଟୋବର ସୁଦ୍ଧା ଏସବୁ ବ୍ୟବହାରଯୋଗ୍ୟ ହେବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବରେ ବ୍ୟାଡମିଣ୍ଟନ ଛାତ୍ରଛାତ୍ରୀଙ୍କୁ କଳିଙ୍ଗ ଷ୍ଟାଡିୟମରେ ତାଲିମ୍‍ ଦିଆଯାଉଛି।

ସବୁଠାରୁ ବଡ଼ କଥା ହେଉଛି ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପିଚାନ୍ଦ ଏହି ଏକାଡେମୀର ଦାୟିତ୍ୱରେ ରହିବେ। ନୂଆ ଅନୁଷ୍ଠାନ ପାଇଁ ତାଙ୍କର ଅବଦାନ ନିଶ୍ଚିତରେ ଉଲ୍ଲେଖଯୋଗ୍ୟ ବିଷୟ। ରୋମେନ ଘୋଷଙ୍କୁ ମୁଖ୍ୟ କୋଚ ଓ ଏକାଡେମୀର ପରିଚାଳକ ନିଯୁକ୍ତ କରାଯାଇଛି। ୨୦୨୪ ଅଲମ୍ପିକ୍‌ ପାଇଁ ଏହି ଏକାଡେମୀରୁ ଖେଳାଳି ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଗୋପିଚାନ୍ଦ କହିଛନ୍ତି। ୨୦୦୬-୨୦୦୮ ମଧ୍ୟରେ ଯେଉଁ ମାନେ ଜନ୍ମ ହୋଇଛନ୍ତି  ସେମାନେ ବର୍ତ୍ତମାନ ଏଠି ତାଲିମ ପାଇବେ। ବ୍ୟାଡମିଣ୍ଟ ଏକାଡେମୀ ପ୍ରତିଷ୍ଠା ହେବା ପରେ ଓଡିଶା ବର୍ତ୍ତମାନ ମୁମ୍ବାଇ, ହାଇଦ୍ରାବାଦ ଓ ଚେନ୍ନାଇ ସହିତ ସମକକ୍ଷ ହୋଇ ପାରିବ ବୋଲି କିଛି କ୍ରୀଡ଼ାବିତ୍‍ ଆଶା ବାନ୍ଧିଥିବା ଜଣା ପଡିଛି।

ହକି ପରେ ବ୍ୟାଡମିଣ୍ଟନ‍କୁ ନେଇ ଯେଉଁ ସରକାରଙ୍କ ପକ୍ଷରୁ ଯେଉଁ ଆଗ୍ରହ ପ୍ରକାଶ ପାଇଛି ତାହା ଓଡ଼ିଶାକୁ ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଅଧିକ ପରିଚୟ ସୃଷ୍ଟି କରିବା ପାଇଁ ସୁଯୋଗ ଯୋଗାଇବ ଏଥିରେ ଆଦୌ ସନ୍ଦେହ ନାହିଁ ।

 

Comment