ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟସ୍ତବହୁଳ ଜୀବନ ଓ କର୍ମ ତତ୍ପରତା, ଏସବୁର ଶିକାର ହୁଏ ମଣିଷର ଶରୀର ଓ ମନ। ଆଧୁନିକ ଜୀବନଶୈଳୀରେ ବିଭିନ୍ନ ପ୍ରକାରର ଚାପ ବଢିବା ଭିତରେ, ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଯୋଗାଭ୍ୟାସର ଲୋକପ୍ରିୟତା।

ପ୍ରାଚୀନ ଭାରତର ଏହି ଶରୀର ଓ ମନକୁ ଏକ ସୂତ୍ରରେ ବାନ୍ଧି ରଖିପାରିବାର ପ୍ରକ୍ରିୟାକୁ ସମଗ୍ର ବିଶ୍ୱର ଲୋକେ ଆଦୃତ କରିଛନ୍ତି।

ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ ଦ୍ୱାରା ଅନେକ ରୋଗରୁ ଉପଶମ ପାଇବା ସହିତ ମନର ଏକାଗ୍ରତା ତଥା ଧୈର୍ଯ୍ୟ ଶକ୍ତି ବଢାଇବାରେ ସହାୟକ ହୋ‍ଇଛି। ତେବେ ଗତ କିଛି ବର୍ଷ ମଧ୍ୟରେ ଗ୍ଲାମର ୱାର୍ଲ୍‌ଡ୍‌ ସହିତ ଜଡ଼ିତ ବ୍ୟକ୍ତିବିଶେଷ ଯୋଗାଭ୍ୟାସ ଦ୍ୱାରା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଧରିରଖିବାରେ ସମର୍ଥ ହୋ‍ଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ସେଲିବ୍ରିଟିଙ୍କ ଯୋଗ ପ୍ରତି କେତେ ମାତ୍ରାରେ ସମର୍ପିତ ସେ ବିଷୟରେ ଏକ ଝଲକ।

ଅନୁ ଚୌଧୁରୀ: ମୋର ପ୍ରତିଦିନର ୱାର୍କ୍‌ ଆଉଟ୍‌ ଭିତରେ ଯୋଗକୁ ମଧ୍ୟ ମୁଁ ସ୍ଥାନ ଦେଇଛି। ଯୋଗାଭ୍ୟାସ କେବଳ ସେଲିବ୍ରିଟିମାନଙ୍କ ପାଇଁ ନୁହଁ, ଏହା ସବୁ ବର୍ଗର ଲୋକଙ୍କ ପାଇଁ ଜରୁରୀ। ଏହା କରିବା ଦ୍ୱାରା ଉଭୟ ଶରୀର ଓ ମନ ସ୍ଥିର ରହିବା ସହିତ କାମ କରିବାର ସ୍ପୃହା ମଧ୍ୟ ବୃଦ୍ଧି ପାଇଥାଏ। ପ୍ରତିଦିନ ଯୋଗ କରିବା ଦ୍ୱାରା ବିଭିନ୍ନ ଜୀବନଚର୍ଯ୍ୟାଜନିତ ରୋଗରୁ ନିଜକୁ ଦୂରେଇ ରଖିହୁଏ।

 

ଆକାଶ ଦାଶ ନାୟକ: ରାଜନୀତି ଓ ଅଭିନୟ, ଏ ଦୁଇଟିଯାକ କାମରେ ମାନସିକ ଚାପର ମାତ୍ରା ଅଧିକ। ତେଣୁ ଯେତେବେଳେ ସମୟ ମିଳେ, ମୁଁ ଯୋଗ କରେ। ବିଶେଷ ଭାବରେ ପ୍ରଣାୟାମ କରିବା ଦ୍ୱାରା ସତେଜ ଅନୁଭବ କରେ। ପ୍ରାଚୀନ କାଳରେ ମୁନି ଋଷିମାନେ ବିଭିନ୍ନ ପ୍ରକାରର ଆସନ ମାଧ୍ୟମରେ ନିଜକୁ ସୁସ୍ଥ ଓ ସକ୍ରିୟ ରଖିବାରେ ସମର୍ଥ ହେଉଥିଲେ। ଏଥର ବିଧାନସଭା ଅଧିବେଶନ ସମୟରେ, ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଯୋଗକୁ ପ୍ରାଧାନ୍ୟ ଦିଆଯିବା ବିଷୟରେ ଆଲୋଚନା କରିଥିଲି।

 

ଭୂମିକା ଦାଶ: ସ୍କୁଲ୍‌ରେ ଯୋଗ କାର୍ଯ୍ୟକ୍ରମରେ ମୁଁ ଭାଗ ନିଏ ଏବଂ ପିଲାଟି ବେଳରୁ ମୋ ମା’ଙ୍କ ସହ ମିଶି ଯୋଗ କରେ। ଏହା କରିବା ଦ୍ୱାରା ଧୈର୍ଯ୍ୟ ଶକ୍ତି ବୃଦ୍ଧି ପାଇବା ସହ ପାଠ ପ୍ରତି ଏକାଗ୍ରତା ମଧ୍ୟ ବୃଦ୍ଧି ପାଏ। ଶରୀର ଓ ମନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଏହା ସବୁଠାରୁ ସହଜ ଓ ସରଳ ମାଧ୍ୟମ। ଯଦିଓ, ତୁରନ୍ତ ଏହାର ଉପାଦେୟତା ପ୍ରତିଫଳିତ ହୁଏ ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ଏହା ବହୁମାତ୍ରାରେ ସହାୟକ ହୋ‍ଇଥାଏ।

LEAVE A REPLY

Please enter your comment!
Please enter your name here