ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ବର୍ତ୍ତମାନ ସାରା ବିଶ୍ୱରେ ଯୋଗକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଭୁବନେଶ୍ୱରବାସୀଙ୍କ ମନରେ ଯୋଗକୁ ନେଇ ଏତେଟା ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳୁନାହିଁ। ଏଠାରେ ମାତ୍ର ୧୭ ପ୍ରତିଶତ ଲୋକ ‘ଆସନ’, ‘ପ୍ରାଣାୟାମ’ ବା ‘ଧ୍ୟାନ’ କରୁଥିବାବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି। ଏନେଇ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଏବଂ ସମ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି।

ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରୋଗରୁ ଦୂରେଇ ରଖିବାର ଏକମାତ୍ର ମାଧ୍ୟମ ହେଉଛି ଯୋଗ। ଏହାସତ୍ତ୍ଵେ ସହରାଞ୍ଚଳବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇପାରିନାହିଁ ବୋଲି ଏହି ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି।ଡାକ୍ତର ତ୍ସୟଜିତ ମହାନ୍ତି, ଡାକ୍ତର ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡାକ୍ତର ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ୱାରା ଭୁବନେଶ୍ୱରର ୧୨ଶହରୁ ଅଧିକ ଲୋକଙ୍କୁ ନେଇ ଏକ ସାମ୍ପଲ ଷ୍ଟଡି କରାଯାଇଥିଲା । ଏହି ସର୍ଭେରୁ ଜଣାପଡିଛି ଯେ, ପୁରୁଷମାନଙ୍କ ଅପେକ୍ଷା ଭୁବନେଶ୍ୱରରେ ମହିଳାମାନେ ଅଧିକ ସଂଖ୍ୟାରେ ଯୋଗାଭ୍ୟାସ କରୁଛନ୍ତି। ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକମାନେ ଯୋଗାଭ୍ୟାସକୁ ଗ୍ରହଣ କରିବା ନିମନ୍ତେ ଅଧିକ ଆଗ୍ରହୀ ଥିବା କହିଛନ୍ତି କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଭେଙ୍କଟ ରାଓ। ଯୋଗର ଗ୍ରହଣୀୟତା କ୍ଷେତ୍ରରେ ଭାରତରେ ଏହା ଦ୍ୱିତୀୟ ସର୍ଭେ ବୋଲି ପ୍ରଫେସର ରାଓ ସୂଚନା ଦେଇଛନ୍ତି। ପୂର୍ବ ସର୍ଭେ ଅନୁଯାୟୀ ପୂର୍ବ ଭାରତର ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୫.୩ ପ୍ରତିଶତ ଯୋଗକୁ ଗୁରୁତ୍ୱ ଦେଉଥିବା ଜଣା ପଡିଥିଲା।ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ଉଚ୍ଚ ସାମାଜିକ ଓ ଅର୍ଥନୈତିକ ବର୍ଗର ବ୍ୟକ୍ତିମାନେ ଯୋଗାଭ୍ୟାସ ନିମନ୍ତେ  ବିଶେଷ ଆଗ୍ରହ ଦେଖାଉନାହାନ୍ତି,  ତେବେ ଯେଉଁମାନେ ଯୋଗ କରୁଛନ୍ତି ସେମାନେ ଶାରୀରିକ ଭାବେ ସୁସ୍ଥ ଅଛନ୍ତି ଏବଂ ଭୁବନେଶ୍ୱରରେ ୪୯ ପ୍ରତିଶତ ଡାକ୍ତର ତାଙ୍କ ରୋଗୀମାନଙ୍କୁ ଶାରୀରିକ ବ୍ୟାୟାମ ଭାବେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଉଛନ୍ତି।‘ଫିଟ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯୋଗକୁ ଅନ୍ୟତମ ଶାରୀରିକ ଅଭ୍ୟାସ ଭାବେ ଉଦ୍ଦିଷ୍ଟ କରାଯାଇଛି। କୋଭିଡ ମହାମାରୀ ସାରା ମାନବ ସମାଜକୁ ସ୍ତବ୍ଧ କରିରଖିଥିବାବେଳେ କୋଭିଡ ପରବର୍ତ୍ତୀ ଚିକିତ୍ସାରେ ଯୋଗର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଏ ଦିଗରେ ସଚେତନତାର ଆବଶ୍ୟକତା ରହିଛି ବୋଲି ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି।

ଆଠଟି ଯୋଗାଭ୍ୟାସ ମଧ୍ୟରୁ ଆସନ, ପ୍ରାଣାୟାମ ଏବଂ ଧ୍ୟାନ ଯୋଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ। ତେବେ ଯୋଗାଭ୍ୟାସ ମଣିଷର  ଉଭୟ ଶରୀର ଓ ମନ ଉପରେ ପ୍ରଭାବ ପକାଉଥିବା ସହ ଉଚ୍ଚ ରକ୍ତ ଚାପ, ମଧୁମେହ, ବିଭିନ୍ନ ଯକୃତ ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ସମସ୍ୟା, ଯନ୍ତ୍ରଣା ଏବଂ ମାନସିକ ସମସ୍ୟାର ଉପଚାର ନିମନ୍ତେ ମଧ୍ୟ ଏକ ପ୍ରକୃଷ୍ଟ ମାଧ୍ୟମ। ଏଥିସହ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହେବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ  ପ୍ରତ୍ୟେକ ଦିନ ୩୦ମିନିଟ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଉଛି।

Comment