ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଗୁଲ୍‍ ବାଜିନି। ହେଲେ ଏବେଠାରୁ ମଇଦାନ ପ୍ରସ୍ତୁତ କରୁଛନ୍ତି ବିଜେପି ଓ ବିଜେଡି।

ଉଭୟ ଦଳ ଏବେ ତୃଣମୂଳ ସ୍ତରର ବୁଥ୍‍ ସଜଡା ଓ ଦଳିତଙ୍କୁ ନେଇ ରାଜନୀତି କରିବା ପରେ ଏବେ ଚାଷୀଙ୍କୁ ଅସ୍ତ୍ର କରିଛନ୍ତି। ଚାଷୀଙ୍କୁ ଧରି ଉଭୟ ଦଳ ୨୦୧୯ ନିର୍ବାଚନ ବୈତରଣୀ ପାର୍‍ ହେବାକୁ ଗୋଟି ଚାଳନା କରୁଛନ୍ତି।

ଚାଷୀଙ୍କ ପ୍ରତି କେନ୍ଦ୍ରର ନେତୃତ୍ୱାଧୀନ ଏନଡିଏ ସରକାର ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ୩୧୪ ବ୍ଲକରେ ବିଜେଡି ବିକ୍ଷୋଭ ଓ ଗଣଧାରଣା ଆୟୋଜନ କରିଛି। ଜୁଲାଇ ୧୦ରୁ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଳି କରି ବିଜୁ କୃଷକ ସାମ୍ମୁଖ୍ୟର ସଦସ୍ୟମାନେ ଧାରଣା ଦେଉଛନ୍ତି।

ଏପଟେ ବିଜେଡିର ଏହି ରଣନୀତିକୁ ଭଣ୍ଡୁର କରିବା ପାଇଁ ବିଜେପି ମଧ୍ୟ ପଛରେ ପଡ଼ିନି। କୃଷି ଋଣ ଛାଡ଼ ଏବଂ ବିନା ସୁଧରେ କୃଷି ଋଣ ପ୍ରଦାନ ଦାବିରେ ବିଜେପି କର୍ମକର୍ତ୍ତାମାନେ ଗାଁ ଗାଁ ବୁଲି ଚାଷୀଙ୍କଠାରୁ ଦସ୍ତଖତ ସଂଗ୍ରହ କରୁଛନ୍ତି। ଫଳରେ ଏହାକୁ ନେଇ ବିଜେପି ଏବଂ ବିଜେଡି ମୁହାଁମୁହିଁ ସ୍ଥିତିରେ ରହିଥିବା ଚର୍ଚ୍ଚା ହେଉଛି।

ଉଭୟ ଦଳ ଚାଷୀଙ୍କୁ ଅସ୍ତ୍ର କରିଥିବାରୁ ଚାଷୀ କାହାର ହେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଓଡ଼ିଶାରେ ଚାଷୀଙ୍କ ଅବସ୍ଥାରେ ସୁଧାର ଆସି ନ ଥିବା ବେଳେ ଉଭୟ ଦଳ ଚାଷୀଙ୍କୁ ନେଇ ରାଜନୀତି କରିବା ଘଟଣାକୁ ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି।

ନିର୍ବାଚନ ଆସିଲେ ନେତାଙ୍କର ଚାଷୀଙ୍କ କଥା ମନେ ପଡ଼େ। ଚାଷଜମିକୁ ଜଳସେଚନ ସୁବିଧା, ରିହାତି ଦରରେ ସାର, ବିହନ ଯୋଗାଇବା ଓ କମ୍‍ ସୁଧରେ ଋଣ ଦେବାର ପ୍ରତିଶ୍ରୁତି ଦେଇଥାନ୍ତି ବିଭିନ୍ନ ଦଳର ରାଜନେତାମାନେ। ୨୦୧୪ ନିର୍ବାଚନ ବେଳେ ମଧ୍ୟ ଅନୁରୂପ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ନିର୍ବାଚନକୁ ୩ ବର୍ଷ ପୂରିଯାଇଥିଲେ ମଧ୍ୟ ଚାଷୀଙ୍କ ପାଇଁ ସେମିତି କିଛି ସୁବିଧା ରାଜ୍ୟ ଓ କେନ୍ଦ୍ର ସରକାର କରି ନଥିବା ଜଣାପଡୁଛି। ଚାଷୀ ତାର ଉତ୍ପାଦିତ ମୂଲ୍ୟ ସଠିକ୍‍ ଭାବେ ପାଉ ନ ଥିବାରୁ ଆତ୍ମହତ୍ୟା କରୁଛି। ଏହା ଉପରେ କୌଣସି ସରକାର ଧ୍ୟାନ ଦେଉନାହାନ୍ତି। କେବଳ ଚାଷୀଙ୍କୁ ନେଇ ରାଜନୀତି ଚାଲିଛି।

ସରକାରୀ ତଥ୍ୟ ଅନୁଯାୟୀ ୧୯୯୭ରୁ ୨୦୦୮ ମଧ୍ୟରେ ୩୫୦୦ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୦୯ରେ ସମ୍ବଲପୁର ଏବଂ ବଲାଙ୍ଗୀରରେ କେବଳ ୪୦ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୧୫ ଅଗଷ୍ଟ ଶେଷ ସୁଦ୍ଧା ୫୦ ଚାଷୀ ଆତ୍ମହତ୍ୟା କରିଥିବା ସରକାରୀ ତଥ୍ୟରୁ ଜଣାପଡୁଥିଲେ ହେଁ ବେସରକାରୀ ସୂତ୍ରରେ ଏହାର ସଂଖ୍ୟା ଅଧିକ ବୋଲି କୁହାଯାଉଛି।

ସେହିପରି ୧୯୯୮ରେ କେବଳ ୪୧୮ ଚାଷୀ ଆତ୍ମହତ୍ୟା କରିଥିଲେ। ଚଳିତ ବର୍ଷ ଆରମ୍ଭରୁ ମଧ୍ୟ ଚାଷୀ ଆତ୍ମହତ୍ୟା କରିଥିବା ନଜିର ରହିଛି। ୨୦୧୫ ଚାଷୀ ଆତ୍ମହତ୍ୟା ପରେ ରାଜ୍ୟ ସରକାର ୩୫ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ତଥାପି ଚାଷୀ ଆତ୍ମହତ୍ୟା ବନ୍ଦ ହେଉନି କି ଚାଷୀଙ୍କୁ ନେଇ ରାଜନୀତି ଥମୁନି।

୧୯୯୯ରେ ରାଜ୍ୟ ଶାସନର ମଙ୍ଗ ଥିଲା କଂଗ୍ରେସ ହାତରେ। ଏହି ସମୟରେ ଓଡ଼ିଶାର ମହାବାତ୍ୟା ହେବା ସହ କଂଗ୍ରେସ ଦଳରେ ମଧ୍ୟ ଝଡ଼ ଦେଖାଦେଇଥିଲା। ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦୁଇ ଦୁଇ ଜଣ ଅଭିଜ୍ଞ ନେତାଙ୍କୁ ଦିଆଯାଇଥିଲା। ହେଲେ ଏମାନେ ଚାଷୀ ଆତ୍ମହତ୍ୟା ରୋକିବାରେ ସଫଳ ହୋଇ ନଥିଲେ, ବରଂ କଂଗ୍ରେସରେ ଚାଲିଥିବା କନ୍ଦଳକୁ କେମିତି ସାମନା କରିବେ ତାକୁ ନେଇ ସେମାନେ ଅଙ୍କ କଷୁଥିଲେ।

୧୯୯୯ ମସିହା ପରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ଭାଗୁଆଳି ଶାସନ ଆରମ୍ଭ ହୋଇଥିଲା। ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ନବୀନ ପଟ୍ଟନାୟକ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ଓଡ଼ିଶାକୁ ଶାସନ କରି ଆସୁଛନ୍ତି। କୃଷିକ୍ଷେତ୍ରକୁ ସବୁବେଳେ ଅଗ୍ରାଧିକାର ଦିଆଯାଉଛି ବୋଲି ବିଜେଡି ସରକାର କହୁଥିଲେ ହେଁ ପ୍ରତିବର୍ଷ ଚାଷୀ ଆତ୍ମହତ୍ୟା ଘଟଣା ସରକାରଙ୍କ ଅଡୁଆରେ ପକାଇଛି।

୨୦୧୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡି ନିର୍ବାଚନୀ ଇସ୍ତାହାର ଯିଏ ପଢ଼ିଛି ସେ ହିଁ ଜାଣିଛି କୃଷିକ୍ଷେତ୍ର ପାଇଁ କ’ଣ ସବୁ ଯୋଜନା ଘୋଷଣା କରିଥିଲା ଦଳ। ଏହି ଦଳ ୧୧୭ ବିଧାୟକ ଆସନ ପାଇ ନିରଙ୍କୁଶ ଶାସନ କଲାଣି ୩ ବର୍ଷ ହେଲା। ହେଲେ ଏହି ଘୋଷଣା କେବଳ ଇସ୍ତାହାରର ଶୋଭାବର୍ଦ୍ଧନ କରିବା ଛଡ଼ା ଚାଷୀଙ୍କ ହିତରେ କାର୍ଯ୍ୟକାରୀ ହୋଇପାରିନି।

ଚତୁର୍ଥ ପାଳିର ସରକାର ପ୍ରଥମ ବର୍ଷରେ ଧାନ ସଂଗ୍ରହ ଓ  ସଂରକ୍ଷଣ ପାଇଁ ଅଧିକ ହଟହଟା ହୋଇଥିଲା । ପଶ୍ଚିମ-ଓଡ଼ିଶାରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାରେ ସରକାର ସମ୍ପୂର୍ଣ୍ଣ ଫେଲ୍‍ ମାରିଥିଲେ। ଧାନମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀକୂଳ ହତାଶ ହୋଇ ଯାଇଥିଲେ। ଫଳରେ ବିରୋଧୀ ସରକାରଙ୍କୁ ସମାଲୋଚନା କରିଥିଲେ। ଧାନ ଅମଳ ଓ ଶୁଖାଇବା ପାଇଁ ରାଜ୍ୟ ସରକାର କଂକ୍ରିଟ୍‍ ଅଗଣା ତିଆରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ପ୍ରତିଶ୍ରୁତି ରକ୍ଷା କରିବାରେ ସରକାର ସମର୍ଥ ହୋଇ ନାହାନ୍ତି।

ପଞ୍ଚାୟତ ଜରିଆରେ ଉନ୍ନତମାନର ବିହନ, ସାର, କୀଟନାଶକ ଔଷଧ ଏବଂ ବୈଷୟିକ ସମ୍ପ୍ରସାରଣ ସହାୟତା ଯୋଗାଇ ଦେବାକୁ ନିର୍ବାଚନ ଇସ୍ତାହାରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। ହେଲେ ସେ ପ୍ରତିଶ୍ରୁତି ମଧ୍ୟ ଚୁଲିରେ ପଶିଥିବା ପରି ମନେହେଉଛି।

ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ଅଡୁଆରେ ପଡୁଛନ୍ତି। ଉତ୍ପାଦନ ହେଉଥିବା ଫସଲ ସାଇତି ରଖିବା ପାଇଁ ଉପଯୁକ୍ତ ଶୀତଳଭଣ୍ଡାର ନଥିବାରୁ ଅଧିକ ଉତ୍ପାଦନ କରିବାକୁ ଚାଷୀ ମନ ବଳାଉ ନାହାନ୍ତି। ଫଳରେ ଓଡ଼ିଶା ପନିପରିବା ଉତ୍ପାଦନରେ ପଛରେ ରହିଯାଉଛି  ।

(ପ୍ରସ୍ତୁତି – ସରୋଜ)

Comment