ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୦ ବର୍ଷରେ ୨୫ ପ୍ରଧାନମନ୍ତ୍ରୀ ବିଦା

ପାନାମା ପେପର ସ୍କାଣ୍ଡାଲରେ ପାକିସ୍ତାନ ସୁପ୍ରିମକୋର୍ଟ ଦେଶର ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ମିଶାଇ ସରିଫ୍‍ ତୃତୀୟ ଥର ପାଇଁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପଦବୀ ଛାଡ଼ିଛନ୍ତି। କେବଳ ସରିଫ୍‍ ନୁହନ୍ତି ଏମିତି ୨୫ ଜଣ ପାକ୍‍ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ଗାଦିରୁ ବିଦା ହୋଇଛନ୍ତି।

-ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲି ଖାଁ ୧୯୪୭ ଅଗଷ୍ଟ ୧୫ରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ୧୯୫୧ ଅକ୍ଟୋବର ୧୬ରେ ରାୱଲପିଣ୍ଡିରେ ତାଙ୍କୁ ହତ୍ୟା କରାଯାଇଥିଲା।

-ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଖ୍ୱାଜା ନଜିମୁଦ୍ଦିନଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ୧୯୫୩ ଏପ୍ରିଲ ୧୭ରେ ତାଙ୍କୁ ଗଭର୍ଣ୍ଣର ଜେନେରାଲ ଗୁଲାମ୍‍ ମହମ୍ମଦ ବରଖାସ୍ତ କରିଥିଲେ।

-ସେହିପରି ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ୍ଲି ବୋଗ୍ରା ମଧ୍ୟ ୧୯୫୪ରେ ବରଖାସ୍ତ ହୋଇଥିଲେ।

-ପରେ ବୋଗ୍ରାଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରାଯାଇଥିଲା। ହେଲେ ୧୯୫୫ରେ ତାଙ୍କୁ ଗଭର୍ଣ୍ଣର ଜେନେରାଲ ଇସ୍କନ୍ଦର ମିର୍ଜା ୧୯୫୫ରେ ବରଖାସ୍ତ କରିଥିଲେ।

-ଗଭର୍ଣ୍ଣର ଜେନେରାଲ ଇସ୍କନ୍ଦର ମିର୍ଜାଙ୍କ ବିବାଦ ଲାଗି ରହିବାରୁ ୧୯୫୬ ସେପ୍ଟେମ୍ବର ୧୨ରେ ଚୌଧୁରୀ ମହମ୍ମଦ ଅଲ୍ଲୀ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

-ପ୍ରଧାନମନ୍ତ୍ରୀ ଆୱାମି ଲିଗର ମୁଖ୍ୟ ହୁସେନ୍‍ ଶହୀନ ସୁହାରାୱର୍ଦ୍ଦିଙ୍କୁ ୧୯୫୭ରେ ଗଭର୍ଣ୍ଣର ଜେନେରାଲ ବରଖାସ୍ତ କରିଥିଲେ। ତାଙ୍କ ପରେ ଇବ୍ରାହିମ୍‍ ଇସମାଇଲ୍‍ ଚୁନ୍ଦ୍ରିଗାର ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ୨ ମାସ ପରେ ଅର୍ଥାତ୍‍ ୧୯୫୭ରେ ଇସ୍ତଫା ଦେଇଥିଲେ।

-ତାଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ଫିରୋଜ ଖାଁ ନୁନ୍‍ ମଧ୍ୟ କାର୍ଯ୍ୟକାଳ ଶେଷ କରିପାରି ନଥିଲେ। ୧୯୫୮ରେ ସାମରିକ ଶାସନ ଜାରି କରି ଜେନେରାଲ ଆୟୁବ ଖାଁ ତାଙ୍କୁ ବରଖାସ୍ତ କରିଥିଲେ।

-୧୯୭୧ ଡିସେମ୍ବର ମାସରେ ମାତ୍ର ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ନୁରୁଲ ଅମିନ। ଏହାପରେ ଜୁଲଫିକର ଅଲ୍ଲୀ ଭୁଟୋ ସ୍ୱତନ୍ତ୍ର ବ୍ୟବସ୍ଥାରେ ରାଷ୍ଟ୍ରପତି ହୋଇଥିଲେ। ପରେ ସେ ଏହି ପଦବୀରୁ ଇସ୍ତଫା ଦେଇ ୧୯୭୭ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ମାତ୍ର ସେହିବର୍ଷ ତାଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଥିଲେ ଜେନେରାଲ ମହମ୍ମଦ ଜିଆ ଉଲ୍‍ ହକ୍‍।

-୧୯୮୫ରେ ହୋଇଥିବା ନିର୍ଦଳୀୟ ନିର୍ବାଚନରେ ମହମ୍ମଦ ଖାଁ ଜୁନେଜୋ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୮ ମେ ୨୯ରେ ତାଙ୍କ ସରକାରକୁ ବରଖାସ୍ତ କରାଯାଇଥିଲା।

-ସେହି ବର୍ଷ ଡିସେମ୍ବର ୨ରେ ବେନଜୀର ଭୁଟ୍ଟୋ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ୧୯୯୦ ଅଗଷ୍ଟ ୫ରେ ତାଙ୍କୁ ରାଷ୍ଟ୍ରପତି ଗୁଲାମ୍‍ ଇଶାକ୍‍ ଖାଁ ବରଖାସ୍ତ କରିଥିଲେ।

-୧୯୯୦ରେ ନୱାଜ ସରିଫ୍‍ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୩ରେ ରାଷ୍ଟ୍ରପତି ଗୁଲାମ୍‍ ଇଶାକ ଖାଁ ତାଙ୍କ ସରକାରକୁ ବରଖାସ୍ତ କରିଥିଲେ। ତେବେ ପରେ ପାକ୍‍ ସୁପ୍ରିମକୋର୍ଟ ଶରିଫଙ୍କୁ ପୁଣି କ୍ଷମତାସୀନ କରିଥିଲେ। କିନ୍ତୁ ତତ୍କାଳୀନ ସେନାଧ୍ୟକ୍ଷ ଜେନେରାଲ ୱାହିଦ କାକର ୧୯୯୩ ଜୁଲାଇ ୧୮ରେ ଉଭୟ ରାଷ୍ଟ୍ରପତି ଗୁଲାମ୍‍ ଇଶାକ ଖାଁ ଏବଂ ନୱାଜ ସରିଫଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ସରିଫଙ୍କ ଇସ୍ତଫା ପରେ ମୋଇନୁଦ୍ଦିନ୍‍ ଅହମ୍ମଦ କ୍ୟୁରେଶୀଙ୍କୁ କାମଚଳା ପ୍ରଧାନମନ୍ତ୍ରୀ କରାଯାଇଥିଲା।

-ପୁଣି ସେହି ୧୯୯୩ରେ ବେନଜୀର ଭୁଟ୍ଟୋ ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ୧୯୯୬ ନଭେମ୍ବରରେ ତାଙ୍କ ସରକାରଙ୍କୁ ବରଖାସ୍ତ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ଫାରୁକ ଲେଘାରି।

-୧୯୯୭ରେ ପୁଣି ସରିଫ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୯ ଅକ୍ଟୋବର ୧୨ରେ ଜେନେରାଲ ପରଭେଜ ମୁସାରଫ୍‍ ସାମରିକ ବିଦ୍ରୋହ ଜରିଆରେ ତାଙ୍କ ସରକାରକୁ ଗାଦିଚ୍ୟୁତ କରିଥିଲେ। ଏହି ସମୟରେ ୪ ଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେମାନେ ହେଲେ ଜଫରୁଲ୍ଲା ଖାଁ, ଚୌଧୁରୀ ଶୁଜାତ୍‍, ଶୌକତ ଅଜିତ୍‍ ଏବଂ ମହମ୍ମଦ ମିଆଁ ସୁମ୍ରୁ। ଜଫରୁଲ୍ଲା ମାତ୍ର ୧୯ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଶୁଜାତ ୨ ମାସ, ଶୌକତ ଅଢେ଼ଇ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ।

-୨୦୦୮ରେ ୟୁସୁଫ ରାଜା ଗିଲାନୀ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କୁ ୨୦୧୨ରେ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା କରିବାରୁ ସେ ପଦ ହରାଇଥିଲେ। ପରେ ୨୦୧୩ ମାର୍ଚ୍ଚ ଯାଏଁ ପରଭେଜ ଆସ୍‌‌ରଫ୍‍ କାର୍ଯ୍ୟକାଳ ପୂରଣ କରିଥିଲେ।

-୨୦୧୩ରେ ସରିଫ୍‍ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। ପାନାମା ଗେଟ୍‍ ସ୍କାଣ୍ଡାଲରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଅଯୋଗ୍ୟ ଘୋଷଣା କରିଛନ୍ତି। ଫଳରେ ସେ ଗତ ୨୮ରେ ଇସ୍ତଫା ଦେଇଛନ୍ତି।

 (ପ୍ରସ୍ତୁତି: ସରୋଜ)

Comment