ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରଥମେ ଯୋଜନାର ନାମକରଣ ଉପରେ ଆଖି ପକାନ୍ତୁ। ଆମେ ସାଧାରଣ ଭାବରେ ‘କିନ୍ନର’ କହି ସେମାନଙ୍କୁ ସମ୍ବୋଧନ କରୁ। କିନ୍ତୁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଏମାନଙ୍କୁ ଏକ ନୂଆ ନାମ ଦେଇଛି – ‘ତୃତୀୟ ପ୍ରକୃତି’। 

ପୁରୁଷ ଓ ପ୍ରକୃତି ଏହି ଯମଜ ଶବ୍ଦରୁ ପ୍ରକୃତି ଶବ୍ଦଟିକୁ ଆଣି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି କିନ୍ନରମାନଙ୍କ ସଶକ୍ତିକରଣ।

କିନ୍ନରମାନଙ୍କ ପ୍ରତି ଆମର ତାଚ୍ଛଲ୍ୟ ମନୋବୃତ୍ତି ଥାଇପାରେ ଓ ସେମାନଙ୍କ ଅଧିକାର ପାଇଁ ଆମେ ଏତେ ସମ୍ବେଦନଶୀଳ ନ ହୋଇ ଥାଉ ପଛକେ, ଓଡ଼ିଶା ସରକାରଙ୍କ ପକ୍ଷରୁ ଏ ଦିଗରେ କିଛି ଠୋସ୍ ପଦକ୍ଷେପ ନିଆଯାଉଛି।

ଏହି ଯୋଜନା ଅନୁସାରେ ପ୍ରଥମେ ରାଜ୍ୟରେ ଥିବା ତୃତୀୟ ଲିଙ୍ଗର ମଣିଷମାନଙ୍କୁ ଚିହ୍ନଟ କରାଯିବ। ତା’ପରେ ଆସିବ ସେମାନଙ୍କ ଥଇଥାନ କଥା। ଏହାସହିତ ସେମାନଙ୍କ ପିଲା ଛୁଆଙ୍କ ପାଇଁ ବୃତ୍ତି ଦିଆଯିବ। ଶେଷରେ କିନ୍ନରମାନଙ୍କୁ ତାଲିମ ଦିଆଯିବ ଓ ରୋଜଗାର ସୁବିଧା ଯୋଗାଇ ଦିଆଯିବ।

ସାମାଜିକ ସୁରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଏ ନେଇ ଆଲୋଚନା ସରିଛି ଓ କିନ୍ନରମାନଙ୍କ ଚିହ୍ନଟ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ କିନ୍ନର ସଂଘ ସହିତ ଆଲୋଚନା ହୋଇଛି। ଓଡ଼ିଶା କିନ୍ନର ନୀତି ୨୦୧୭ରେ ମଧ୍ୟ ଏସବୁ କଥା ରହିବ।

୨୦୧୧ ସାମାଜିକ-ଅର୍ଥନୈତିକ ଓ ଜାତି ଜନଗଣନା ଅନୁଯାୟୀ ଓଡ଼ିଶାରେ ପ୍ରାୟ ୫୦ ହଜାର କିନ୍ନର ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ସହରରେ ରହୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୪୫ ହଜାର। ଅବଶିଷ୍ଟ ଗ୍ରାମାଞ୍ଚଳର।

ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ନିଖିଳ ଓଡ଼ିଶା କିନ୍ନର ମହାସଂଘ ସଭାପତି ପ୍ରତାପ ସାହୁ। କିନ୍ତୁ ଅନେକ ଲୋକ ସରକାରୀ ସୁବିଧାର ଫାଇଦା ଉଠାଇ ପାରୁନାହାନ୍ତି। ବିଭିନ୍ନ ମଞ୍ଚରେ ଏ କଥା କୁହାଯାଉଥିଲେ ମଧ୍ୟ ସରକାର ଶୁଣୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ପ୍ରତାପ।

ଗତ ବର୍ଷ ସରକାର କିନ୍ନରମାନଙ୍କ ପାଇଁ ଏକ ସହାୟତା ଯୋଜନା ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ, ପ୍ରତ୍ୟେକ ତୃତୀୟ ଲିଙ୍ଗୀଙ୍କୁ ମାସକୁ ଏକ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯେଉଁ କିନ୍ନରଙ୍କ ସନ୍ତାନସନ୍ତତିମାନେ ପଢାପଢ଼ି କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ବୃତ୍ତି ଘୋଷଣା କରିଥିଲେ ସରକାର।

ଏପ୍ରିଲ ୨୦୧୪ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ତୃତୀୟ ଲିଙ୍ଗର ମଣିଷମାନଙ୍କୁ ଲିଙ୍ଗଗତ ସ୍ୱୀକୃତି ମିଳିବ ଓ ସେମାନଙ୍କୁ ସମାନ ଗୌରବ ଓ ମର୍ଯ୍ୟାଦା ଦେବା ପାଇଁ ସରକାରମାନେ ଉଦ୍ୟମ କରିବେ।

ନିକଟରେ ଭୁବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ଷ୍ଟଡି କରଯାଇଥିଲା। ଏହି ଅଧ୍ୟୟନରୁ ଜଣାପଡ଼େ ଯେ ଓଡ଼ିଶାରେ ଅବସ୍ଥିତ ତୃତୀୟ ପ୍ରକୃତିର ସଦସ୍ୟମାନେ ମଣିଷ ଭଳି ଜୀବନ ବିତେଇବରେ ବିଫଳ ହୋଇଛନ୍ତି।

Comment