ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୋଗୀ ଆଦିତ୍ୟନାଥଙ୍କ ପରିବାରର କାହାଣୀ

ଜଣେ ବ୍ୟକ୍ତି ରାଜନୀତିରେ ସଫଳତା ହାସଲ କଲେ ତା’ର ସପ୍ତ ପୁରୁଷ ଉଦ୍ଧାର ହୋଇଯାଏ। ଆଉ ଯଦି ପଦପଦବୀ ପାଏ, ତେବେ ତା’ର ପରିବାର, ଜ୍ଞାତିକୁଟୁମ୍ବ ଏବଂ ବନ୍ଧୁବାନ୍ଧବଙ୍କ କଚେ ପୁଅ ବାର। ଅର୍ଥାତ ନିଜେ ତ ସାତ ପୁରୁଷ ପର୍ଯ୍ୟନ୍ତ ଧନ ଠୁଳ କରେ, ତା’ର ପରିବାର, ବନ୍ଧୁବାନ୍ଧବ ମଧ୍ୟ ଏଥିରେ ଉପକୃତ ହୋଇଥା’ନ୍ତି। ଏକଥା ଆମେ ଭାରତରେ ଆଜିର ରାଜନେତା ଓ ତାଙ୍କ ଅଭିପ୍ରାୟକୁ ଦୃଷ୍ଟିରେ ରଖି କହୁଛୁ।

ତେବେ ବର୍ତ୍ତମାନ ଆମେ ଏପରି ଏକ କାହାଣୀ କହିବାକୁ ଯାଉଛୁ, ତାହା ବିଶ୍ୱାସ କରିବା ଏତେ ସହଜ ନୁହେଁ। ସଂପୂର୍ଣ୍ଣ ଅବିଶ୍ୱାସ ଲାଗୁଥିଲେ ବି ଘଟଣାଟି ସତ। ଭାରତର ସବୁଠୁ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ଲାଗି ଛୋଟ ଦୋକାନ କରି ଫୁଲ, ପ୍ରସାଦ ବିକ୍ରି କରୁଛନ୍ତି। ସ୍ୱାମୀଙ୍କ ସହ ମିଶି ଛୋଟ ଜଳଖିଆ ଦୋକାନ କରିବା ସହ ଫୁଲ ଓ ପ୍ରସାଦ ବିକ୍ରି କରୁଛନ୍ତି ସେ।

ଏହି କାହାଣୀ ହେଉଛି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ଭଉଣୀ ଶଶୀଙ୍କ କାହାଣୀ। ଜାତୀୟ ଗଣମାଧ୍ୟମରେ ଏହି ଖବର ସାମନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଏହି ଖବର ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଆସନ୍ତୁ ଜାଣିବା ପୂରା କାହାଣୀ।

ଉତ୍ତରାଖଣ୍ଡର ପଞ୍ଚୁର ଗାଁରେ ଜନ୍ମଗ୍ରହଣ କରିଥିଲେ ଅଜୟ ମୋହନ ବିଷ୍ଟ (ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୀକ୍ଷା ନେବା ପୂର୍ବରୁ ନାଁ)। ୭ ଭାଇଭଉଣୀଙ୍କ ମଧ୍ୟରୁ ଅଜୟ ଥିଲେ ବାପାମାଆଙ୍କ ଦ୍ୱିତୀୟ ସନ୍ତାନ। ବଡ଼ଭଉଣୀ ଶଶୀ, ତାଙ୍କଠାରୁ ୬ ବର୍ଷ ବଡ଼। ଗଣିତର ସ୍ନାତକ ଡିଗ୍ରୀ ହାସଲ ପରେ ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନରେ ଯୋଗ ଦେଲେ ଅଜୟ। ସେଠି ସେ ଗୋରଖପୁର ମଠର ମହନ୍ତ ଅବୈଦ୍ୟନାଥଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ।

୧୯୯୧ ମସିହା। ଘରଦ୍ୱାର ଛାଡ଼ି ମହନ୍ତ ଅବୈଦନାଥ ଶିଷ୍ୟତ୍ଵ ଗ୍ରହଣ ପାଇଁ ଗୋରଖପୁର ଆସିଥିଲେ ଅଜୟ। ଏହାପରେ ସେ ଯୋଗୀ ଆଦିତ୍ୟନାଥ ଭାବେ ପରିଚିତ ହେଲେ। ସେପଟେ ସେହି ବର୍ଷ ବଡ଼ ଭଉଣୀ ଶଶୀଙ୍କ ବିବାହ ହୋଇଥିଲା ପୌଡ଼ି ଗଡ଼ୱାଲର କୁଠାଲ ଗାଁରେ। ଭାଇ, ଉତ୍ତରପ୍ରଦେଶ ରାଜନୀତିରେ ହଲଚଲ ସୃଷ୍ଟି କରୁଥିବା ବେଳେ ଭଉଣୀ, ଉତ୍ତରାଖଣ୍ଡରେ ସ୍ୱାମୀଙ୍କ ସହ ଏକ ଛୋଟ ଦୋକାନ କରି ଦିନ ବିତାଉଥିଲେ।

ଶଶୀ କୁହନ୍ତି, “ଯେତେବେଳେ ସେ ଶୁଣିଲେ ତାଙ୍କ ଭାଇ ଘରଦ୍ୱାର ଛାଡ଼ି ସନ୍ନ୍ୟାସୀ ହୋଇଯାଇଛି, ସେତେବେଳେ ତାଙ୍କ ଦୋକାନ ଆଗରେ ଯାଉଥିବା ପ୍ରତ୍ୟେକ ସନ୍ନ୍ୟାସୀଙ୍କୁ ସେ ନିରିଖେଇ ଦେଖନ୍ତି, କାଳେ ତାଙ୍କ ଭାଇ ସନ୍ନ୍ୟାସୀ ବେଶରେ ଯାଉଥିବ। ଏପରିକି ଜଙ୍ଗଲକୁ ଗଲାବେଳେ ମଧ୍ୟ ପ୍ରତ୍ୟେକ ସନ୍ନ୍ୟାସୀଙ୍କୁ ଅନାଇ ରୁହନ୍ତି। ପ୍ରତିଦିନ ଏହି କାର୍ଯ୍ୟ ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ହେଲେ ତାଙ୍କ ଭାଇ ଗୋରଖପୁର ମଠର ମହନ୍ତ ହେବା ଶୁଣିବା ପରେ ସେ ଏହି ଅଭ୍ୟାସ ଛାଡିଥିଲେ।

୧୯୯୮ରୁ ଲଗାତର ୫ ଥର ସାଂସଦ ଭାବେ ଗୋରଖପୁର ଆସନରୁ ଜିତିଛନ୍ତି ଯୋଗୀ ଆଦିତ୍ୟନାଥ। ଯାହାଙ୍କର ଗୋଟିଏ ଆହ୍ୱାନରେ ପୂର୍ବ ଉତ୍ତରପ୍ରଦେଶ ପୂରା ଏକାଠି ହୋଇଯାଉଥିଲା, ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଭଉଣୀ ଫୁଲ ବିକି ତାଙ୍କ ପରିବାର ଚଳାଉଥିଲେ। ଦୁଇ ପୁଅ, ଗୋଟିଏ ଝିଅ ଓ ସ୍ୱାମୀଙ୍କ ନେଇ ତାଙ୍କର ଘରସଂସାର। କେବେ ବି କାହା ଆଗରେ ଶଶୀ ନିଜ ପରିଚୟ ଦେବାକୁ ଇଚ୍ଛା କରନ୍ତି ନାହିଁ। ନିଜ ପରିବାର ସମସ୍ୟା କେବେ ବି ସାନ ଭାଇ ଆଗରେ କୁହନ୍ତି ନାହିଁ।

ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ହେଲେ ଭଉଣୀ ଶଶୀ, ଭାଇଙ୍କଠାରୁ କିଛି ବି ଚାହାଁନ୍ତି ନାହିଁ। ସେ ନିଜ କାମରେ ବେଶ ଖୁସି, ରାଜ୍ୟର ହିତ ପାଇଁ ଭାଇ କାମ କରୁଥିବାରୁ ତାଙ୍କ ମନରେ ଗର୍ବ। ସେ କୁହନ୍ତି, “ଗତ ଫେବ୍ରୁଆରୀ ମାସରେ ଯୋଗୀ ଆଦିତ୍ୟନାଥ ତାଙ୍କ ଘରକୁ ଆସିଥିଲେ। ତାଙ୍କ ସହ ଅଳ୍ପ କଥା ହୋଇଥିଲେ। ହେଲେ ତାଙ୍କ ପିଲାମାନଙ୍କ ସହ ଖୁବ୍‌ ଗପିଥିଲେ।”

ଶଶୀ କୁହନ୍ତି, “ତାଙ୍କ ଦୋକାନର ଗ୍ରାହକମାନଙ୍କୁ ପରିଚୟ ନଦେଇ ବୁଲାଇ ବଙ୍କାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଥା ପଚାରନ୍ତି। ଆଦିତ୍ୟନାଥ ଭଲ କାମ କରୁଥିବା ଶୁଣିଲେ, ତାଙ୍କର ମନ କୁଣ୍ଢେମୋଟ ହୋଇଯାଏ।”

ଭଉଣୀ ଶଶୀଙ୍କ ଇଚ୍ଛା, ଭାଇ ତାଙ୍କର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଦେଶ ପାଇଁ ବହୁତ ବଡ଼ ବଡ଼ କାର୍ଯ୍ୟ କରନ୍ତୁ।

Tags: Yogi Adityanath, Uttar Pradesh CM, UP CM, Shashi, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment