ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଝିଅ ଅନୁପମା ପ୍ରଧାନ ହତ୍ୟାକାଣ୍ଡରେ ସ୍ୱାମୀ ରାଜେଶ ଗୁଲାଟୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡେରାଡୁନର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଗୁରୁବାର ଏହି ରାୟ ଦେଇଛନ୍ତି। ଶୁକ୍ରବାର ଦିନ ରାଜେଶଙ୍କ ଦଣ୍ଡ ଉପରେ ଶୁଣାଣି ହୋଇ ରାୟ ପ୍ରକାଶ ପାଇବ।
ଏହି ମାମଲାରେ ୪୦ରୁ ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ, ଫୋରେନସିକ୍ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରକୁ ଆଧାର କରି କୋର୍ଟ ୩୦୨ ଏବଂ ୨୦୧ ଦଫା ଆଧାରରେ ରାଜେଶକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଅପରାଧୀ ସ୍ୱାମୀ ରାଜେଶ ଗୁଲାଟୀଙ୍କୁ ଆଜୀବନ କାରାଦଣ୍ଡ ଏପରିକି ମୃତ୍ୟୁ ଦଣ୍ଡ ହୋଇପାରେ। ଏହି ମାମଲାରେ ଅଭିଯୁକ୍ତଙ୍କ ଓକିଲ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।
୨୦୧୦ ଡିସେମ୍ବର ୧୧ରେ ଏହି ବିଭତ୍ସ ହତ୍ୟକାଣ୍ଡର ଖୁଲାସା ହୋଇଥିଲା। ଅନୁପମାଙ୍କ ସ୍ୱାମୀ ରାଜେଶ ଜଣେ ସଫ୍ଟଓୟାର ଇଞ୍ଜିନିୟର। ସେ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଅନୁପମାଙ୍କ ଶବକୁ ୭୨ ଖଣ୍ଡ କରି ଘରେ ଫ୍ରିଜର ଭିତରେ ଲୁଚାଇ ରଖିଥିଲେ। ହତ୍ୟାକାରୀ ରାଜେଶ ଅପରାଧର ସୁରାକ ସଫା କରିବାକୁ ଯାଇ ଅନୁପମାଙ୍କ ଶରୀର ଅଂଶକୁ ଥର ଥର କରି ଜଙ୍ଗଲରେ ଫୋପାଡୁଥିଲେ।
ବାଲେଶ୍ୱର ଝିଅ ଅନୁପମା ସ୍ୱାମୀ ରାଜେଶ ଏବଂ ୨ ସନ୍ତାନଙ୍କ ସହ ଡେରାଡୁନରେ ରହୁଥିଲେ। ୧୭ ଅକ୍ଟୋବର ୨୦୧୦ଠାରୁ ହଠାତ୍ ଅନୁପମାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ପିଲାମାନେ ଯେତେବେଳେ ମା’ ବିଷୟରେ ପଚାରୁଥିଲେ ସେତେବେଳେ ସେ ଅଜା, ଆଈଙ୍କ ପାଖକୁ ଯାଇଛି ବୋଲି କହି ରାଜେଶ ଭୁଲାଇ ଦେଉଥିଲା। ଏହିଭଳି ପ୍ରାୟ ଦୁଇ ମାସ ଧରି ଚାଲିଲା। ତେବେ କିଛିଦିନ ମଧ୍ୟରେ ଅନୁପମାଙ୍କ ପରିବାର ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ଅନୁପମାଙ୍କ ଭାଇ ଭଉଣୀର ଖୋଜଖବର ନେବାକୁ ଯାଇ ସେଠାରେ ପହଞ୍ଚିଲା ବେଳକୁ ରାଜେଶ ତାଙ୍କୁ ଘରେ ପୂରାଇ ଦେଇ ନ ଥିଲା। ସନ୍ଦେହ ଅଧିକ ଘନୀଭୂତ ହେବାରୁ ଅନୁପମାଙ୍କ ଭାଇ ପୋଲିସରେ ଏତଲା ଦେଇଥିଲେ।
ପୋଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଘଟଣାର ଛାନଭିନ୍ କରିଥିଲା। ତଦନ୍ତ ପାଇଁ ଉକ୍ତ ଫ୍ଲାଟକୁ ଆସିବା ପରେ ଅନୁପମାଙ୍କ ଶରୀର କେତେକ ଅଂଶ ଘର ଫ୍ରିଜର ଭିତରୁ ଜବତ କରି ହତ୍ୟାକାଣ୍ଡର ପରଦା ଫାଶ କରିଥିଲା। ଅଭିଯୁକ୍ତ ରାଜେଶକୁ ପୋଲିସ ଗିରଫ କରିଥିଲା। ହତ୍ୟାକାରୀ ରାଜେଶ ସେତେବେଳେ ଏକ ଚାଲ୍ ଖେଳିଥିଲା। ଅନୁପମାର ହତ୍ୟାକାରୀ ସେ ନୁହେଁ, ବରଂ ଅନୁପମାଙ୍କ ଭାଇ ବୋଲି କହି ପୋଲିସକୁ ବିଭ୍ରାନ୍ତ କରିଥିଲା।
ଏହି ମାମଲାର ଶୁଣାଣି ଗତ ୭ ବର୍ଷ ଧରି ଚାଲିଥିଲା। ଗତ ୧୮ ତାରିଖରେ ଶୁଣାଣି ଶେଷ ହୋଇଥିବା ବେଳେ ୩୧ ତାରିଖରେ ରାଜେଶ ଦୋଷୀ ବୋଲି କୋର୍ଟ ରାୟ ଦେଇଥିଲେ।
”ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ । ନିଜେ ସ୍ୱାମୀ ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରି ତାର ଶରୀରକୁ ଖଣ୍ଡ ଖଣ୍ଡ କରି ଅପରାଧକୁ ଘୋଡାଇବା ପାଇଁ ଚେଷ୍ଟା କରିବା ଏକ ବିରଳ ଘଟଣା। ଆମେ ଆଶା କରୁଛୁ ଅଦାଲତ ହତ୍ୟାକାରୀକୁ କଠୋର ଦଣ୍ଡ ଦେବେ। ହତ୍ୟାକାରୀ ରାଜେଶକୁ ଫାଶୀ ଦେବାକୁ ଆମେ କୋର୍ଟଙ୍କୁ ନିବେଦନ କରିବୁ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ବରିଷ୍ଠ ଆଇନଜୀବୀ ସଞ୍ଜୀବ ମହାନ୍ତି। ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ଶ୍ରୀ ମହାନ୍ତି ମୂଳରୁ ଏହି ମାମଲାରେ ଅନୁପମାଙ୍କ ପରିବାରର ପକ୍ଷ ରଖି ଆସୁଥିଲେ। ଅଭିଯୁକ୍ତ ରାଜେଶ ଉତ୍ତରାଖଣ୍ଡ ହାଇକୋର୍ଟରେ ସେତେବେଳେ କରିଥିବା ବେଲ୍ ପିଟିସନ ଖାରଜ କରିବା ମାମଲାରେ ପକ୍ଷ ଉପସ୍ଥାପନ କରିଥିଲେ।
ଗୁରୁବାର ଦିନ ଡେରାଡୁନ୍ କୋର୍ଟରେ ରାୟ ଶୁଣାଣି ବେଳେ ଅନୁପମାଙ୍କ ଭାଇ ସୁଜନ ପ୍ରଧାନ ଉପସ୍ଥିତ ଥିଲେ। ”ମୋ ଭଉଣୀ ହତ୍ୟା ମାମଲାରେ ଆମକୁ ନ୍ୟାୟ ମିଳିଛି। ଏଭଳି ଅପରାଧୀକୁ କଠୋରରୁ କଠୋର ଦଣ୍ଡ ବିଧାନ ହେବା ଦରକାର”, ଗଣମାଧ୍ୟମକୁ ଏକଥା କହିଛନ୍ତି ସୁଜନ। ” ଅନୁପମାର ଦୁଇ ସନ୍ତାନ ଏବେ ମୋ ପାଖରେ ଅଛନ୍ତି। ମୁଁ କୋର୍ଟରୁ ଅସ୍ଥାୟୀ ଅଭିଭାବକତ୍ୱ ପାଇଁ ଅନୁମତି ଆଣିଥିଲି। ଏବେ ଫୁଲ୍ ଗାର୍ଡିୟନସିପ୍ ପାଇଁ ଆବେଦନ କରିବି”, କହିଛନ୍ତି ସୁଜନ।
ଏହି ଚର୍ଚ୍ଚିତ ମାମଲାରେ  ବିଭିନ୍ନ ସମୟରେ ୬ ଜଣ ବିଚାରପତି ଶୁଣାଣି କରିଥିଲେ। ସେହିପରି ବିଭିନ୍ନ ସମୟରେ ୬ ଜଣ ସରକାରୀ ଓକିଲ ମାମଲା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ୬ ଜଣ ଓକିଲ ବଦଳିଥିଲେ।
ଅନୁପମା ହତ୍ୟାକାଣ୍ଡ ଥିଲା ଆମ ସମୟର ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଅପରାଧ ଘଟଣା। ସେତେବେଳେ ଏହା ସାରା ଦେଶର ପ୍ରିଣ୍ଟ, ଟେଲିଭିଜନ ଏବଂ ସୋସିଆଲ ମିଡିଆରେ ଛାଇଯାଇଥିଲା। ଏକ ଘରୋଇ ଟିଭି ଚ୍ୟାନେଲର କ୍ରାଇମ ପାଟ୍ରୋଲ କାର୍ଯ୍ୟକ୍ରମରେ ପୂରା କାହାଣୀ ବିସ୍ତୃତ ଭାବେ ଉପସ୍ଥାପନ କରାଯାଇଥିଲା।
ଏହି ସମ୍ବେଦନଶୀଳ ମାମଲାରେ ଅନୁପମାଙ୍କ ପରିବାର ତରଫରୁ ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ମାମଲାର ତ୍ୱରିତ ବିଚାର କରିବାକୁ ନିବେଦନ କରାଯାଇଥିଲା।
ଏହି ମାମଲାର ତଦନ୍ତ କରି ପୋଲିସ ପକ୍ଷରୁ ଫାଇଲ୍ ହୋଇଥିବା ୩୫୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟରେ ରାଜେଶକୁ ହତ୍ୟାକାରୀ ବୋଲି ଦର୍ଶାଯାଇଥିଲା। ରାଜେଶ କଲିକତାର ଝୁମା ଦତ୍ତ ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିବାରୁ ଅନୁପମାଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହୋଇଥିଲା। ଏହି ଘଟଣାରେ ସବୁଦିନ ପାଇଁ ରାସ୍ତା ସଫା କରିବାକୁ ମନସ୍ଥ କରି ରାଜେଶ ଅନୁପମାଙ୍କୁ ହତ୍ୟା କରିଥିଲା।

Tags: Rajesh Gulati, Murder Case, Anupama Murder Case, Dehradun Court, Court,  Bhubaneswar News, Latest News, Odisha Breaking News, Odisha News, Odisha Stories, Odisha Top Stories, Online Game, Social Media, Top Stories

 

1 COMMENT

LEAVE A REPLY

Please enter your comment!
Please enter your name here