ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ ବର୍ଷ ପରେ ଡେରାଡୁନର ବହୁଚର୍ଚ୍ଚିତ ତଥା ଲୋମହର୍ଷକ ଅନୁପମା ପ୍ରଧାନ ଗୁଲାଟୀ ହତ୍ୟାକାଣ୍ଡର ଦଣ୍ଡାଦେଶ ହୋଇଛି।
ଡେରାଡୁନ୍ ଅତିରିକ୍ତ ଜିଲା ଦୌରା ଜଜ୍ ବିନୋଦ କୁମାର ହତ୍ୟାକାରୀ ସ୍ୱାମୀ ରାଜେଶ ଗୁଲାଟୀଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଏହାସହ ୧୫ ଲକ୍ଷ ଟଙ୍କାର ଜୋରିମାନା ଦାଖଲ କରିବାକୁ କୋର୍ଟ ରାଜେଶଙ୍କୁ ଆଦେଶ ଦେଇଛନ୍ତି।
ଗୁରୁବାର ଦିନ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଥିଲା। କୋର୍ଟ ରାଜେଶଙ୍କୁ ଆଇପିସି ଦଫା ୩୦୨ ଏବଂ ୨୦୧ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ କୋର୍ଟ ୩୦୨ (ହତ୍ୟା) ଦଫାରେ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମାନା ଏବଂ ୨୦୧ (ପ୍ରମାଣ ନଷ୍ଟ କରିବା) ଦଫାରେ ୩ ବର୍ଷ ଜେଲ ଦଣ୍ଡ ଓ ୫ ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।
” ୭ ବର୍ଷର ସଂଘର୍ଷ ପରେ ଅନୁପମା ହତ୍ୟାକାଣ୍ଡ ମାମଲାର ଦଣ୍ଡାଦେଶ ଶୁଣାଣି ହୋଇଛି। ତେବେ ଏହା ହେଉଛି ପ୍ରାଥମିକ ପର୍ଯ୍ୟାୟ। ଏହି ରାୟ ଚୂଡାନ୍ତ ରାୟ ନୁହେଁ। ଏହାକୁ ନେଇ ଆମେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଯାଇପାରୁ। ତେବେ ପ୍ରଥମେ ଆମେ ଅନୁପମାଙ୍କ ଦୁଇ ସନ୍ତାନଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଉଛୁ। ଅଭିଯୁକ୍ତ ରାଜେଶଠାରୁ ଆଦାୟ ହେବାକୁ ଥିବା ୧୫ ଲକ୍ଷ ଟଙ୍କା ଜୋରିମାନାରୁ ୧୪ ଲକ୍ଷ ୩୦ ହଜାର ଟଙ୍କା ଦୁଇ ସନ୍ତାନଙ୍କ ନାମରେ କୌଣସି ଜାତୀୟକରଣ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ କରାଯିବ। ବାକି ୭୦ ହଜାର ଟଙ୍କା ଉତ୍ତରାଖଣ୍ଡ ରାଜ୍ୟ ରାଜକୋଷକୁ ଯିବ। ଦୁଇ ସନ୍ତାନ ଆମେରିକାରେ ଜନ୍ମିତ ହୋଇଥିବାରୁ ସେମାନଙ୍କ ଭବିଷ୍ୟତ ଗଢ଼ିବା ହେଉଛି ଆମର ପ୍ରଥମ କାମ”, କହିଛନ୍ତି ଏହି ମାମଲାର ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବି ସଞ୍ଜୀବ ମହାନ୍ତି।
“ଦଣ୍ଡାଦେଶକୁ ନେଇ ମୁଁ ଖୁସି ଅଛି। ତେବେ ମୋତେ ଏବେ ଅନୁପମାର ଦୁଇ ସନ୍ତାନଙ୍କ ଚିନ୍ତା ରହିଛି। ସେମାନଙ୍କୁ ମଣିଷ କରିବା ହେଉଛି ମୋର ପ୍ରଥମ କାମ। ଅଭିଯୁକ୍ତ ରାଜେଶଠାରୁ ଆଦାୟ ହେବାକୁ ଥିବା ଜ୍ପରିମାନା ଅର୍ଥରେ ପିଲାମାନଙ୍କ ଭବିଷ୍ୟତ ଗଢ଼ାଯିବ”, କହିଛନ୍ତି ଅନୁପମାଙ୍କ ଭାଇ ସୁଜନ ପ୍ରଧାନ।
ସେହି ଜଘନ୍ୟ ଅପରାଧର କାହାଣୀ
୨୦୧୦ ଡିସେମ୍ବର ୧୧ର ଘଟଣା। ଏହିଦିନ ଏକ ବିଭତ୍ସ ହତ୍ୟକାଣ୍ଡର ଖୁଲାସା ହୋଇଥିଲା। ପେସରେ ସଫ୍ଟଓୟାର ଇଞ୍ଜିନିୟର ଥିବା ରାଜେଶ  ତାଙ୍କ ପତ୍ନୀ ଅନୁପମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଅନୁପମାଙ୍କ ଶବକୁ ୭୨ ଖଣ୍ଡ କରି ଘରେ ଫ୍ରିଜର ଭିତରେ ଲୁଚାଇ ରଖିଥିଲେ। ହତ୍ୟାକାରୀ ରାଜେଶ ଅପରାଧର ସୁରାକ ସଫା କରିବାକୁ ଯାଇ ଅନୁପମାଙ୍କ ଶରୀର ଅଂଶକୁ ଥର ଥର କରି ଜଙ୍ଗଲରେ ଫୋପାଡୁଥିଲେ।
ବାଲେଶ୍ୱର ଝିଅ ଅନୁପମା ସ୍ୱାମୀ ରାଜେଶ ଏବଂ ୨ ସନ୍ତାନଙ୍କ ସହ ଡେରାଡୁନରେ ରହୁଥିଲେ। ୧୭ ଅକ୍ଟୋର ୨୦୧୦ରୁ ହଠାତ୍ ଅନୁପମାଙ୍କର କୌଣସି ଖୋଜଖବର ମିଳି ନଥିଲା। ପିଲାମାନେ ଯେତେବେଳେ ମା’ ବିଷୟରେ ପଚାରୁଥିଲେ ସେତେବେଳେ ସେ ଅଜା, ଆଈଙ୍କ ପାଖକୁ ଯାଇଛି ବୋଲି କହି ରାଜେଶ ଭୁଲାଇ ଦେଉଥିଲା। ଏହିଭଳି ପ୍ରାୟ ଦୁଇ ମାସ ଧରି ରାଜେଶ ନାଟକ କରି ଚାଲିଲା। ତେବେ କିଛିଦିନ ମଧ୍ୟରେ ଅନୁପମାଙ୍କ ପରିବାର ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ଅନୁପମାଙ୍କ ଭାଇ ଭଉଣୀର ଖବର ନେବାକୁ  ଡେରାଡୁନରେ ପହଞ୍ଚିଥିଲା। ହେଲେ ରାଜେଶ ତାଙ୍କୁ ଘରେ ପୂରାଇ ଦେଇ ନ ଥିଲା। ସନ୍ଦେହ ଅଧିକ ଘନୀଭୂତ ହେବାରୁ ଅନୁପମାଙ୍କ ଭାଇ ପୋଲିସରେ ଏତଲା ଦେଇଥିଲେ।
ପୋଲିସ ପ୍ରଥମେ ଏକ ନିଖୋଜ ମାମଲା ରୁଜ୍ଜୁ କରି ଘଟଣାର ଛାନଭିନ୍ କରିଥିଲା। ତଦନ୍ତ ପାଇଁ ଉକ୍ତ ଫ୍ଲାଟକୁ ଆସିବା ପରେ ଅନୁପମାଙ୍କ ଶରୀର କେତେକ ଅଂଶ ଘର ଫ୍ରିଜର ଭିତରୁ ଜବତ କରି ହତ୍ୟାକାଣ୍ଡର ପରଦା ଫାଶ କରିଥିଲା। ଅଭିଯୁକ୍ତ ରାଜେଶକୁ ପୋଲିସ ଗିରଫ କରିଥିଲା। ହତ୍ୟାକାରୀ ରାଜେଶ ସେତେବେଳେ ଏକ ଚାଲ୍ ଖେଳିଥିଲା। ଅନୁପମାର ହତ୍ୟାକାରୀ ସେ ନୁହେଁ, ବରଂ ଅନୁପମାଙ୍କ ଭାଇ ବୋଲି କହି ପୋଲିସକୁ ବିଭ୍ରାନ୍ତ କରିଥିଲା।
ରାଜେଶ କଲିକତାର ଝୁମା ଦତ୍ତ ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିବାରୁ ଅନୁପମାଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହୋଇଥିଲା। ଏହି ଘଟଣାରେ ସବୁଦିନ ପାଇଁ ରାସ୍ତା ସଫା କରିବାକୁ ମନସ୍ଥ କରି ରାଜେଶ ଅନୁପମାଙ୍କୁ ହତ୍ୟା କରିଥିଲା।
 ନ୍ୟାୟ ପାଇଁ ବର୍ଷର ସଂଘର୍ଷ
ଏହି ମାମଲାର ଶୁଣାଣି ଗତ ୭ ବର୍ଷ ଧରି ଚାଲିଥିଲା। ଗତ ୧୮ ତାରିଖରେ ଶୁଣାଣି ଶେଷ ହୋଇଥିବା ବେଳେ ୩୧ ତାରିଖରେ ରାଜେଶ ଦୋଷୀ ବୋଲି କୋର୍ଟ ରାୟ ଦେଇଥିଲେ।
ଏହି ଚର୍ଚ୍ଚିତ ମାମଲାରେ  ବିଭିନ୍ନ ସମୟରେ ୬ ଜଣ ବିଚାରପତି ଶୁଣାଣି କରିଥିଲେ। ସେହିପରି ବିଭିନ୍ନ ସମୟରେ ୬ ଜଣ ସରକାରୀ ଓକିଲ ମାମଲା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ବାରମ୍ବାର ଓକିଲ ବଦଳିଥିଲେ।
ଏହି ମାମଲାର ତଦନ୍ତ କରି ପୋଲିସ ପକ୍ଷରୁ ଫାଇଲ୍ ହୋଇଥିବା ୩୫୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟରେ ରାଜେଶକୁ ହତ୍ୟାକାରୀ ବୋଲି ଦର୍ଶାଯାଇଥିଲା।
୭ ବର୍ଷ ଧରି ଏହି ମାମଲାର ବିଚାର ଚାଲିଥିଲା।  ୪୦ରୁ ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ, ଫୋରେନସିକ୍ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରକୁ ଆଧାର କରି କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।
Tags: Sujan Pradhan, Sanjeev Mohanty, Rajesh Gulati, Murder Case, Anupama Murder Case, Dehradun Court, Court,  Bhubaneswar News, Latest News, Odisha Breaking News, Odisha News, Odisha Stories, Odisha Top Stories, Online Game, Social Media, Top Stories

Comment