ଭୁବନେଶ୍ୱରରେ ଅକ୍ଟୋବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ଓଡ଼ିଶା ଟ୍ରାଭେଲ ବଜାର’ ଉପରେ ଏବେ ସମସ୍ତଙ୍କ ନଜର। ଓଡ଼ିଶା ପର୍ଯ୍ୟଟନକୁ ଦେଶ ବିଦେଶରେ ଏକ ନୂଆ ରୂପରେ ପହଞ୍ଚାଇବା ସହ ଭାରତ ଏବଂ ବାହାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ରାଜ୍ୟକୁ ଟାଣିବା ପାଇଁ ଏହି ମେଗା ଇଭେଣ୍ଟ ଏକ ଗୁରୁତ୍ୱବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଓଡ଼ିଶାଲାଇଭ ସହ ସାକ୍ଷାତକାର ବେଳେ କହିଛନ୍ତି ପର୍ଯ୍ୟଟନ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜୱାଲେ।

ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
ଏହି ଇଭେଣ୍ଟ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ଟୁର୍ ଅପରେଟରଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା। ଏହାଦ୍ୱାରା ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର ସହିତ ସମ୍ପୃକ୍ତ ବିଭିନ୍ନ ସଂସ୍ଥା ସହ ଅନ୍ତର୍ଜତୀୟସ୍ତରର ଟୁର୍ ଅପରେଟରମାନେ ଯୋଡି ହୋଇପାରିବେ। ଯାହାକି ଓଡ଼ିଶା ଏବଂ ବିଦେଶୀ ବଜାର ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଜଭୁତ ହୋଇପାରିବ। ଏହା ଆଗାମୀ ଦିନରେ ଓଡ଼ିଶା ପାଇଁ ନିଶ୍ଚିନ୍ତ ଭାବେ ଲାଭଦାୟକ ହେବ।
ଓଡ଼ିଶା ଟ୍ରାଭେଲ ବଜାର ଦ୍ୱାରା ପର୍ଯ୍ୟଟନ ବିଭାଗ କେଉଁ ପ୍ରକାରର ସଫଳତା ପାଇବ?
ଓଡ଼ିଶା ଟ୍ରାଭେଲ ବଜାର ହେଉଛି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଏକ ଇଭେଣ୍ଟ। ଏହା ଓଡ଼ିଶା ପ୍ରତି ଅଧିକ ସଂଖ୍ୟାରେ ଭାରତ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏକ ବଡ ଭୂମିକା ଗ୍ରହଣ କରିବ। ଏଥିପାଇଁ ଆମେ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରର ବହୁ ଟୁର ଓ ଟ୍ରାଭେଲ ଅପରେଟର, ହୋଟେଲିୟର, ଏୟାରଲାଇନ୍ସ, ମିଡିଆ ଏବଂ ପର୍ଯ୍ୟଟନ ଶିଳ୍ପ ସହ ସମ୍ପୃକ୍ତ ଅନ୍ୟ ପ୍ରମୁଖ ଅଂଶୀଦାରମାନଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରୁଛୁ। ଫଳରେ ଆମ ପର୍ଯ୍ୟଟନ ଆହୁରି ସମୃଦ୍ଧ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ହୋଇ ପାରିବ। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ଆକର୍ଷଣ ସମ୍ପର୍କରେ ଦେଶ ବିଦେଶର ଲୋକେ ଜାଣିବାର ସୁଯୋଗ ପାଇବେ। ତେଣୁ ଓଡ଼ିଶା ପର୍ଯ୍ୟଟନର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ଏହି ମେଗା ଇଭେଣ୍ଟକୁ ପ୍ରୋତ୍ସାହନ ଦେଉଛୁ।
୩ ଦିନ ଧରି ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ ଇଭେଣ୍ଟରେ କ’ଣ ପ୍ରମୁଖ କାର୍ଯ୍ୟକ୍ରମ ରହିଛି?
ଓଡ଼ିଶା ଟ୍ରାଭେଲ ବଜାରର ଇଭେଣ୍ଟ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ଓଡ଼ିଶାର ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କିଭଳି ବିଭିନ୍ନ ସଂସ୍ଥା ସାମିଲ ହୋଇ ପାରିବେ ସେଥିପାଇଁ ନିର୍ଦ୍ଦିଷ୍ଟ ଭାବରେ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ତା ଭିତରୁ ଗୋଟିଏ ହେଉଛି ବି-ଟୁ-ବି ମିଟିଂ ବା ଓଡ଼ିଶା ପର୍ଯ୍ୟଟନ ପ୍ରତି ଆକୃଷ୍ଟ ହୋଇ ଆସୁଥିବା ସଂସ୍ଥାମାନଙ୍କ ସହ ବ୍ୟବସାୟିକ କଥାବର୍ତ୍ତା। ତାସହିତ ପ୍ରଥମ ଦିନ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଏହାପରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରୁ ଆସିଥିବା ସଂସ୍ଥା ଏବଂ ବ୍ୟକ୍ତିମାନଙ୍କ ସହ ଆଲୋଚନା ବେଳେ ସେମାନଙ୍କ ଆଗରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ଆକର୍ଷଣ ପ୍ରଦର୍ଶନ କରାଯିବ। ଅନ୍ତର୍ଜାତୀୟ ବଜାରରେ ଓଡ଼ିଶା ପର୍ଯ୍ୟଟନକୁ କିଭଳି ଭାବେ ଉପସ୍ଥାପନ କରାଯାଇ ନୂଆ ସମ୍ଭାବନା ସୃଷ୍ଟି କରାଯାଇ ପାରିବ ତା ଉପରେ ଜୋର୍ ଦିଆଯିବ। ଏହାସହ ଦେଶ ବିଦେଶରୁ ଆସିଥିବା ଟୁର ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ  ପର୍ଯ୍ୟଟନସ୍ଥଳ ପରିଦର୍ଶନରେ ନିଆଯିବାର କାର୍ଯ୍ୟକ୍ରମ ରହିଛି। ସେମାନେ ଓଡ଼ିଶାର ବୌଦ୍ଧ କୀର୍ତ୍ତି ଏବଂ ପୁରୀ, କୋଣାର୍କ ସମେତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କିଛି ଗ୍ରାମ ପରିଦର୍ଶନ କରିବେ। ଏହା ସେମାନଙ୍କୁ ଓଡ଼ିଶା ସମ୍ପର୍କରେ ଏକ ଅନ୍ତରଙ୍ଗ ଅନୁଭବ ଆଣିଦେବ ବୋଲି ଆମେ ଭାବୁଛୁ।
ଏହି ଇଭେଣ୍ଟକୁ ଲେକପ୍ରିୟ କରିବା ପାଇଁ ଆପଣଙ୍କ ବିଭାଗ କି ପଦକ୍ଷେପ ନେଉଛି?
ଦୁଇ ବର୍ଷରୁ ଅଧିକ ସମୟ ଧରି ଆମେ ଏ ବାବଦରେ କାମ କରି ଆସିଛୁ। ଟ୍ରାଭେଲବଜାରର ପ୍ରଚାର ପ୍ରସାର ପାଇଁ ବିଗତ ଦିନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଦିଲ୍ଲୀ ଏବଂ ମୁମ୍ବାଇରେ ରୋଡ ଶୋ ଆୟୋଜନ କରି ଲୋକଙ୍କୁ ସଚେତନ କରାଯିବା ସହ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରାଯାଇ ସଚେତନ କରାଯାଇଛି। ଦେଶ ବିଦେଶର ପ୍ରମୁଖ ଟୁର୍ ଅପରେଟରମାନେ କିଭଳି ଏଥିରେ ଅଧିକ ସଂଖ୍ୟାରେ ଯୋଗଦେବେ ତା ଉପରେ ଆମେ ଧ୍ୟାନ ଦେଉଛୁ।
ଓଡ଼ିଶାର ପର୍ଯ୍ୟଟନ ଏକ ବ୍ୟାପକ ବିଷୟ। ତେବେ ଓଡ଼ିଶା ଟ୍ରାଭେଲ ବଜାର ଇଭେଣ୍ଟ ପାଇଁ ଆପଣ କେଉଁସବୁ ବିଷୟ ଓ ନିର୍ଦ୍ଦିଷ୍ଟ ପର୍ଯ୍ୟଟନସ୍ଥଳ ଉପରେ ଫୋକସ୍ କରୁଛନ୍ତି?
ଓଡ଼ିଶାରେ ପୁରାତନ ଐତିହ୍ୟ, କୀର୍ତ୍ତିରାଜି ଏବଂ ପ୍ରକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନର ଅଭାବ ନାହିଁ। ଏସବୁକୁ ଅନ୍ତର୍ଜତୀୟସ୍ତରର ଟୁର୍ ଅପରେଟରମାନଙ୍କ ସମ୍ମୁଖରେ ଆମେ ଉପସ୍ଥାପନ କରୁଛୁ। ବିଶେଷକରି ଓଡ଼ିଶାର ବୌଦ୍ଧ କୀର୍ତ୍ତି, ଇକୋ-ଟୁରିଜିମ୍ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନର ଅଧିକ ପ୍ରଚାର ପ୍ରସାର କରାଯାଉଛି। ଓଡ଼ିଶାରେ ବୌଦ୍ଧ କୀର୍ତ୍ତିରାଜିର କିଛି ଅଂଶ ରହିଥିବାରୁ ଏହା ଦକ୍ଷିଣ-ପଶ୍ଚିମ ଏସିଆ ଦେଶ ସମୂହର ଟୁର ଅପରେଟରଙ୍କୁ ଆକୃଷ୍ଟ କରୁଛି। ସେହିପରି ଓଡ଼ିଶାରେ ୩୪ ପ୍ରତିଶତ ଜଙ୍ଗଲ ସମ୍ପଦ ରହିଛି। ଏହାକୁ ନେଇ ଇକୋ ଟୁରିଜିମ୍ ସେକ୍ଟର ବିକାଶ କରିବା ଉପରେ ପ୍ରାଧାନ୍ୟ ଦିଆଯାଉଛି। ଏଥିଲାଗି ବନ ବିଭାଗ ସହ ଏମଓୟୁ ସ୍ବାକ୍ଷର କରାଯାଇଛି। ଏହାସହ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ରହିଥିବା ପ୍ରାକୃତିକ ସମ୍ପଦଭରା ପର୍ଯ୍ୟଟନସ୍ଥଳ ପ୍ରତି ଟୁର ଅପରେଟରଙ୍କୁ ଆକର୍ଷିତ କରିବା ଲାଗି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି।
ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ଜାତୀୟ ଏବଂ ଅନ୍ତର୍ଜତୀୟସ୍ତରର ପୁଞ୍ଜିନିବେଶକାରୀଙ୍କୁ ପିପିପି ମଡେଲରେ କାମ କରିବାକୁ ଆପଣଙ୍କ ବିଭାଗ ଆମନ୍ତ୍ରଣ କରୁଛି କି ?
ବିଗତ ଦିନରେ ସହଭାଗିତା ଭିତ୍ତିରେ ପର୍ଯ୍ୟଟନ ବିଭାଗ ଅନେକ କାର୍ଯ୍ୟ କରିଛି।  ନିବେଶକାରୀମାନେ ମଧ୍ୟ ପର୍ଯ୍ୟଟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଶେଷକରି ହୋଟେଲ ଶିଳ୍ପରେ ପୁଞ୍ଜି ଖଟାଇବା ପାଇଁ ଆମେ ବାହାରର ନିବେଶକାରୀଙ୍କୁ ଆହ୍ୱାନ ଦେଇଥିଲୁ। ଓଡ଼ିଶା ଟ୍ରାଭେଲ ବଜାର ମାଧ୍ୟମରେ ଏହି ଲକ୍ଷ୍ୟକୁ ଆଗକୁ ନେବା ପାଇଁ ଆମର ଉଦ୍ୟମ ଜାରି ରହିବ।
ଓଡ଼ିଶାର କଳା, ସଂସ୍କୃତି, ବିଭିନ୍ନ ସାଂସ୍କୃତିକ ମହୋତ୍ସବ ଏବଂ ପର୍ଯ୍ୟଟନ ବିଭବର ପ୍ରଚାର ପ୍ରସାର ସହ ଏସବୁକୁ ଡିଜିଟାଲ ମିଡିଆ ମାଧ୍ୟମରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ‘ଓଡ଼ିଶାଲାଇଭ୍’ ମିଡିଆ ପକ୍ଷରୁ ଗତ ୫ ବର୍ଷ ଧରି ଉଦ୍ୟମ ଜାରି ରହିଛି। ଏ ସମ୍ପର୍କରେ କ’ଣ କହିବେ ?
ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କରିବାରେ ‘ଓଡ଼ିଶାଲାଇଭ୍’ର ଅବଦାନ ରହିଛି। ଓଡ଼ିଶାଲାଇଭ୍ ହେଉଛି ଏକ ପ୍ରମୁଖ ଇଣ୍ଟରନେଟ୍ ଭିତ୍ତିକ ମିଡିଆ ବା ଚ୍ୟାନେଲ୍। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପରିଚିତ କରିବାରେ ଓଡ଼ିଶାଲାଇଭର ଅବଦାନ ପାଇଁ ଅନେକ ଧନ୍ୟବାଦ। ଏହି ଚ୍ୟାନେଲର ଭବିଷ୍ୟତ ବେଶ୍ ଉଜ୍ଜ୍ୱଳ।
ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳର ପ୍ରଚାର ପାଇଁ ଡିଜିଟାଲ ମିଡିଆର ଭୂମିକାକୁ କେମିତି ଦେଖୁଛନ୍ତି ?
ବର୍ତ୍ତମାନ ଡିଜିଟାଲ ମିଡିଆକୁ ସମସ୍ତେ ଗ୍ରହଣ କରୁଛନ୍ତି। ଆମେ ମଧ୍ୟ ବିଭିନ୍ନ ପର୍ଯ୍ୟଟନସ୍ଥଳର ଭିଡିଓ ଫୁଟେଜ କରିଛୁ। ଏହାକୁ ଅଧିକ ଲୋକାଭିମୁଖୀ କରିବା ଲାଗି ଡିଜିଟାଲ ମିଡିଆର ସାହାର ନେବାକୁ ପଡିବ।
(ପ୍ରସ୍ତୁତି : ସତ୍ୟବ୍ରତ ପାଢ଼ୀ)

Tags: IATO, Odisha Travel Bazaar, Nitin Bhanudas Jawale, Odisha Tourism, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment