ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦେଶରେ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଲୋକପ୍ରିୟ କରିବା ପାଇଁ ଇଣ୍ଡିଆନ୍ ଟୁର୍ ଅପରେଟର(ଆଇଏଟିଓ) ପକ୍ଷରୁ ଉଦ୍ୟମ କରାଯାଉଛି। ୟୁରୋପ, ଇଂଲଣ୍ଡ ଭଳି ଦେଶରେ ଓଡ଼ିଶା ପର୍ଯ୍ୟଟନସ୍ଥଳର ଆକର୍ଷଣୀୟ ସ୍ଥାନକୁ ଆଇଏଟିଓର ସଦସ୍ୟମାନେ ପ୍ରଦର୍ଶନ କରି ଆସୁଛନ୍ତି ବୋଲି ଆଇଏଟିଓ ଭୁବନେଶ୍ୱର କନଭେନସନ୍ ଚେୟାରମ୍ୟାନ୍ ରାଜୀବ ମେହେର କହିଛନ୍ତି।
ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ‘ଓଡ଼ିଶାଲାଇଭ’ ତରଫରୁ ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଲୋକାଭିମୁଖୀ କରିବା ଲାଗି କ’ଣ ଯୋଜନା ରହିଛି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଶ୍ରୀ ମେହେର କହିଛନ୍ତି, ”ଅନ୍ତର୍ଜାତୀୟ ବଜାରରେ ଅଗ୍ରଣୀ ଟୁର ଅପରେଟରମାନେ ଓଡ଼ିଶା ପର୍ଯ୍ୟଟନର ସ୍ୱତନ୍ତ୍ର ବା ଆକର୍ଷଣୀୟ ଚିତ୍ର ପ୍ରଦର୍ଶନ କରି ପ୍ରଚାର ପ୍ରସାର କରୁଥିଲେ। ମାତ୍ର କିଛି ସ୍ଥାନୀୟ ସମସ୍ୟା ଯୋଗୁ ଓଡ଼ିଶାକୁ ଟୁର ଅପରେଟରମାନେ ତାଙ୍କ ତାଲିକାରୁ ବାଦ୍ ଦେଇଥିଲେ। ହେଲେ ଏବେ ସମୟ ବଦଳି ଯାଇଛି। ଓଡ଼ିଶାର ସମ୍ବେଦନଶୀଳ ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ବିଦେଶରେ ପ୍ରଚାର ପ୍ରସାର କରିବାକୁ ରାଜ୍ୟ  ସରକାର ଆଇଏଟିଓ ସଦସ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।”
ସେପ୍ଟେମ୍ବର ୭ରୁ ଭୁବନେଶ୍ୱରର ହୋଟେଲ ମେ ଫେୟାରରେ ଆଇଏଟିଓର ୩୩ତମ ବାର୍ଷିକ ସମ୍ମିଳନୀ ଶୁଭାରମ୍ଭ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ଯୋଗଦେବେ। ଏହି କନଭନେସନରେ ୧୬ଟି ରାଜ୍ୟର ୯୦୦ରୁ ୧୦୦୦ ପ୍ରତିନିଧି ଯୋଗଦେବେ। ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୯ ବର୍ଷ ପରେ ଆଇଏଟିଓ ଭୁବନେଶ୍ୱରରେ ଏଭଳି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଯାଉଥିବା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଅଇଏଟିଓ ସଭାପତି ପ୍ରଣବ ସରକାର କହିଛନ୍ତି।
”ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର ଏବଂ ପ୍ରାକୃତିକ ସମ୍ପଦର ଅଭାବ ନାହିଁ। ମାଇସ୍ ସେକ୍ଟରଠୁ ଆରମ୍ଭ କରି ଆଡଭେଞ୍ଚର, ଐତିହ୍ୟ, ହସ୍ତତନ୍ତ ସାମଗ୍ରୀ, ବେଳାଭୂମି, ଆୟୁର୍ବଦେ ସମ୍ପଦ ଭରପୁର ମାତ୍ରାରେ ରହିଛି। ସେହିପରି ଓଡ଼ିଶାରେ ଥିବା ଜନଜାତି ସମ୍ପ୍ରଦାୟ ମଧ୍ୟ ଅନେକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ସମ୍ମିଳନୀରେ ଯୋଗ ଦେବାକୁ ଥିବା ଟୁର୍ ଅପରେଟର ବା ପ୍ରତିନିଧିମାନେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ କିପରି ଆଗକୁ ନିଆଯାଇ ପାରିବ ସେନେଇ ଯୋଜନା କରିବେ”, ଏହା କହିଛନ୍ତି ପ୍ରଣବ ସରକାର।
୨୦୧୬ରେ ଚେନ୍ନାଇରେ ଆଇଏଟିଓ ୩୨ତମ ସମ୍ମିଳନୀ ଆୟୋଜନ କରିଥିଲା। ୩୩ତମ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜନ କରିବାକୁ ସେତେବେଳେ ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆମନ୍ତ୍ରଣ କରିଥିଲେ। ଏଥିଲାଗି ଓଡ଼ିଶା ସରକାର ସହଯୋଗ କରିବେ ବୋଲି ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ଆମନ୍ତ୍ରଣ ରକ୍ଷା କରି ଆଇଏଟିଓ ଭୁବନେଶ୍ୱରରେ ପୁଣି କନଭେନସନ୍ କରିବାକୁ ଯାଉଛି।
”ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।  କେବଳ ଓଡ଼ିଶାକୁ ୯ ପ୍ରତିଶତ ପର୍ଯ୍ୟଟକ ଆସୁଥିବା ବେଳେ ବିଶ୍ୱ ସମୁଦାୟକୁ ୪ ପ୍ରତିଶତ ପର୍ଯ୍ୟଟକ ଆସୁଛନ୍ତି। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ନିଶ୍ଚିନ୍ତ ଭାବେ ଓଡ଼ିଶା ପାଇଁ ଏକ ଖୁସି ଖବର। ଓଡ଼ିଶାର ଆକର୍ଷଣୀୟ ସ୍ଥାନକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବାକୁ ଆଇଏଟିଓର ଅଗ୍ରଣୀ ଟୁର ଅପରେଟରଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଆହ୍ୱାନ ଦେଉଛି”, ଏହା କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଡଃ ମୋନା ଶର୍ମା।
ଓଡ଼ିଶାର ପର୍ଯ୍ୟଟନ ଏବଂ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆଇଏଟିଓ ବ୍ୟାପକ ପଦକ୍ଷେପ ଗ୍ରହଣ କରିବ। ଅଧିକରୁ ଅଧିକ ଲୋକ କିପରି ଓଡ଼ିଶା ସମ୍ପର୍କରେ ଜାଣିପାରିବେ ସେ ନେଇ ଆଇଏଟିଓ ସଦସ୍ୟମାନେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ। ଏଥିପାଇଁ ଏହି ସମ୍ମିଳନୀରେ ସଦସ୍ୟମାନଙ୍କୁ ତାଲିମ୍ ଦିଆଯିବ।
ଆଇଏଟିଓର ପୂର୍ବାଞ୍ଚଳ ଚେୟାରମ୍ୟାନ୍ ତଥା ଏଚଆରଏଓର ଚେୟାରମ୍ୟାନ୍ ଜେ.କେ ମହାନ୍ତି କହିଛନ୍ତି ଯେ, ”ଦେଶବିଦେଶରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ଅଧିକ ପ୍ରଚାର ପ୍ରସାର କରିବା ଲାଗି ଏହି ସମ୍ମିଳନୀ ବିଶେଷ ସହାୟକ ହେବ। ଟୁର ଅପରେଟରମାନେ ସେମାନଙ୍କ ୱେବସାଇଟ୍ ଏବଂ ବ୍ରୋଚର ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ବିଦେଶୀ ପର୍ଯ୍ୟଟକଙ୍କୁ ଅବଗତ କରିବେ।”
ଆଇଏଟିଓର ସମ୍ପାଦକ ତଥା କନଭେନସନର ଉପାଧ୍ୟକ୍ଷ ଲାଲି ମାଥୁ୍ୟସ କହିଛନ୍ତି, ”ଓଡ଼ିଶାରେ ହେବାକୁ ଥିବା ସମ୍ମିଳନୀ ଟୁର୍ ଅପରେଟର, ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ପାଇଁ ପ୍ରଚୁର ସୁଯୋଗ ଆଣିଦେବ। ଇଣ୍ଡିଆନ୍ ଟ୍ରାଭେଲ ମାର୍ଟ ଏହି ସମ୍ମିଳନୀରେ ସାମିଲ ହେବାର ଥିବାରୁ ପର୍ଯ୍ୟଟନ  କ୍ଷେତ୍ରର ବିକାଶ ହୋଇ ପାରିବ”।
୮ ତାରିଖ ସକାଳ ୬ଟାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଆଇଏଟିଓ ଏବଂ ଟୁର୍ ଅପରେଟରମାନଙ୍କ ପକ୍ଷରୁ ‘ରନ୍ ଫର୍ ରେସପନସିବୁଲ୍ ଟୁରିଜିମ୍’ ଆୟୋଜନ କରାଯିବ। ମେ ଫେୟାର ଲାଗୁନରୁ ଏହା ଶୁଭାରମ୍ଭ ହେବ ବୋଲି ରାଜୀବ ମେହେର କହିଛନ୍ତି।

Tags: Dr. Mona Sharma, Dutee Chand, IATO, Indian tour operators, Lally Mathews, Mahesh Sharma, Mr. JK Mohanty, Naveen Patnaik, Nitin B Jawale, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment