ଭାସ୍କର ପରିଚ୍ଛା

ମିନତୀ ମିଶ୍ରଙ୍କୁ ଏବେ ଅଶୀ ବର୍ଷ। ତା’ ସତ୍ତ୍ୱେ ସେ ଚଳଚଞ୍ଚଳ ଓ ସକ୍ରିୟ। ଚଳିତ ବର୍ଷ ଆରମ୍ଭରେ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପ୍ରବାସୀ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ପରିବେଷଣରେ ତାଙ୍କୁ ଦେଖିବାକୁ ମିଳିଥିଲା।
ମିନତୀ ମିଶ୍ର ଏକ ଅନନ୍ୟ କିମ୍ବଦନ୍ତୀ,ଏକ ବିରଳ ଦୃଷ୍ଟାନ୍ତ। ଖୁବ୍ କମ ଓଡ଼ିଆ ମହିଳା ଅଛନ୍ତି ଯିଏ ଜୀବନରେ ଏତେ କିଛି ହାସଲ କରିଛନ୍ତି। ଅଳ୍ପ ବୟସରୁ ହିଁ ସେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରତି ଆଗ୍ରହୀ ହୋଇଥିଲେ ଓ ଏହା ହିଁ ତାଙ୍କୁ ଆଣି ଦେଇଛି ଅସାମାନ୍ୟ ସ୍ୱୀକୃତି ଓ ସମ୍ମାନ।
ମିନତୀ ଜନ୍ମ ହୋଇଥିଲେ କଟକରେ, ୧୯୩୭ ମସିହାରେ। ବାପା ବସନ୍ତ କୁମାର ଦାସ ଥିଲେ ଜଣେ ଶିକ୍ଷକ। ତିନି ସନ୍ତାନଙ୍କ ଭିତରୁ ମିନତୀ ଥିଲେ କନିଷ୍ଠ। ଅଜିତ ଘୋଷ ଓ ବନ ବିହାରୀ ମାଇତିଙ୍କ ଠାରୁ ନୃତ୍ୟର ମୌଳିକ ଉପାଦାନଗୁଡ଼ିକୁ ଶିଖିବା ପରେ କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକଙ୍କଠାରୁ ଓଡ଼ିଶୀର ଖଡି ଛୁଆଁଇଥିଲେ ସେ। ପରବର୍ତ୍ତୀ ସମୟରେ ସେ ଗୁରୁ କେଳୁଚରଣଙ୍କ ଶିଷ୍ୟ ହୋଇଥିଲେ।
ସଂଯୁକ୍ତା ପାଣିଗ୍ରାହୀଙ୍କ ଭଳି ମିନତୀ ମଧ୍ୟ ମାଡ୍ରାସର କଳାକ୍ଷେତ୍ରକୁ ଯାଇ ରୁକ୍ମିଣୀ ଦେବୀ ଅରୁଣ୍ଡେଲଙ୍କ ସଂସ୍ପର୍ଶରେ ଆସିଥିଲେ ଓ ସେଠାରେ କୁଟ୍ଟୀ ଶାରଦା ଓ ପେରିଆ ଶାରଦାଙ୍କ ଠାରୁ ଭାରତନାଟ୍ୟମ୍ ଶିଖିଥିଲେ। ଚୋକିଲିଙ୍ଗମ୍ ପିଲ୍ଲାଇ ଓ ମୀନାକ୍ଷୀ ସୁନ୍ଦରମ୍ ପିଲ୍ଲାଇଙ୍କଠାରୁ ଦକ୍ଷିଣ ଭାରତୀୟ ନୃତ୍ୟର ବିଭବଗୁଡ଼ିକୁ ଆହରଣ କରିବା ସହିତ ଏଥିରେ ସବିଶେଷ ତାଲିମ ନେଇଥିଲେ ମିନତୀ।
୧୯୫୬ରେ ମିନତୀଙ୍କ ମଞ୍ଚ ପ୍ରବେଶ ହୁଏ। ୧୯୫୯ ପର୍ଯ୍ୟନ୍ତ ପ୍ରାୟ ୩ ବର୍ଷ ଧରି ସେ ଭାରତର ବିଭିନ୍ନ ସହରରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିପାରିଲେ। ଆଉ ତା’ ପରେ, ଯାହା କୁହାଯାଏ, ସେ ପଛକୁ ଫେରି ଚାହିଁ ନାହାନ୍ତି।
୧୯୫୯ ଥିଲା ତାଙ୍କ ପାଇଁ ଏକ ସ୍ମରଣୀୟ ବର୍ଷ କାରଣ ଏହିଠାରୁ ଆରମ୍ଭ ହୁଏ ତାଙ୍କର ଆନ୍ତର୍ଜାତିକ ପରିପ୍ରକାଶ। ସେହି ବର୍ଷ ସୁଇଜରଲାଣ୍ଡରେ ତାଙ୍କୁ ଆନ୍ତର୍ଜାତିକ ଫଟୋଗ୍ରାଫି ଆସୋସିଏସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ପରିବେଷଣ ପାଇଁ ସୁଯୋଗ ମିଳେ।
ଏହାର ତିନି ବର୍ଷ ପରେ ସେ ଜର୍ମାନୀର ଫିଲିପ୍ ବିଶ୍ଵବିଦ୍ୟାଳୟରୁ ଭାରତୀୟ ତତ୍ତ୍ୱ ବା ଇଣ୍ଡୋଲୋଜିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ। ଏହି ସମ୍ମାନ ପ୍ରଦାନ କରାଯାଇଥିଲା ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ଉପରେ ତାଙ୍କର ଗବେଷଣା ପାଇଁ। ୧୯୬୩ରେ ତାଙ୍କୁ ନିମନ୍ତ୍ରଣ କରା ଯାଇଥିଲା ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ନୃତ୍ୟ ପରିବେଷଣ ପାଇଁ।
ମିନତୀ ମିଶ୍ରଙ୍କୁ କେବଳ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ କହିବା ଯଥେଷ୍ଟ ନୁହେଁ। ସେ କେତୋଟି କ୍ଲାସିକ୍ ଓଡ଼ିଆ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ୧୯୬୩ରେ ନିର୍ମିତ ସୁର୍ଯ୍ୟମୁଖୀ ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର। ତା’ ପରେ ଲଗାତର ସେ ଜୀବନ ସାଥୀ, ସାଧନା, ଭାଇ ଭାଉଜ ଓ ଅରୁନ୍ଧତୀରେ ମୁଖ୍ୟ ନାରୀ ଚରିତ୍ରରେ ଅଭିନୟ କରିଥିଲେ। ଭାଇ ଭାଉଜକୁ ଛାଡ଼ିଦେଲେ ଅନ୍ୟ ସବୁ ଚଳଚିତ୍ର ସର୍ବଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବରେ ଜାତୀୟ ପୁରସ୍କାର ଲାଭ କରିଥିଲା।
ମିନତୀ ଏକ ବଙ୍ଗଳା ଚଳଚିତ୍ର ‘ନିର୍ଜନ ସୈକତ’ ରେ ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଏକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଓ ଗୁରୁ କେଳୁଚରଣ ମହାପାତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ।
ନୃତ୍ୟ ପରିବେଷଣ ଓ ଫିଲ୍ମ ଅଭିନୟ ବ୍ୟତୀତ ମିନତୀ ମିଶ୍ର ସଂଗୀତରେ ମଧ୍ୟ ରୁଚି ରଖି ଆସିଛନ୍ତି। ଆକାଶବାଣୀର ସେ ଜଣେ ଏ ଗ୍ରେଡ କଳାକାର ଭାବେ କାର୍ଯ୍ୟ କରିଛନ୍ତି ଓ ତାଙ୍କୁ ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ପାଇଁ ସଙ୍ଗୀତ ପ୍ରଭାକର ସମ୍ମାନ ମିଳିଛି।
୧୯୮୦ରେ ସ୍ୱାମୀଙ୍କ ଦେହାନ୍ତ ପରେ ମିନତୀ ନୃତ୍ୟ ପରିବେଷଣ କରିବା ବନ୍ଦ କରିଦେଇ ଥିଲେ ଓ ୧୯୯୦ରେ ଆନୁଷ୍ଠାନିକ ଭାବେ ଏଥିରୁ ଅବସର ଗ୍ରହଣ କରିଥିଲେ। ସେ ବର୍ତ୍ତମାନ ସୁଇଜରଲାଣ୍ଡରେ ତାଙ୍କ ପୁଅଙ୍କ ପାଖରେ ରହି ଅବସର ଜୀବନ କାଟୁଛନ୍ତି। ବୟସ ଅଧିକ ସତ୍ତ୍ୱେ ଯେତେବେଳେ ସମୟ ମିଳେ ଡ୍ୟାନ୍‌ସ ଫେଷ୍ଟିଭାଲ, ନୃତ୍ୟ କର୍ମଶାଳା ଓ ଲେକ୍‌ଚର ଟୁରରେ ସେ ସମୟ ଅତିବାହିତ କରୁଛନ୍ତି। ମିନତୀଙ୍କ କାର୍ଯ୍ୟ ପରିସର ଏବେ କାନାଡା, ଆମେରିକା ଓ ଭାରତରେ ସୀମିତ।
ମିନତୀ ମିଶ୍ରଙ୍କ ସବୁଠାରୁ ବଡ଼ ଅବଦାନ ରହିଛି ଉତ୍କଳ ସଂଗୀତ ମହାବିଦ୍ୟାଳୟର ବିକାଶରେ। ୧୯୬୪ରୁ ୧୯୬୮ ମଧ୍ୟରେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ମିନତୀ। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଶିକ୍ଷାକୁ ସୁବ୍ୟବସ୍ଥିତ କରିବା,ଯୁଗ-ଉପଯୋଗୀ ପାଠ୍ୟକ୍ରମ ପ୍ରସ୍ତୁତି, ପରୀକ୍ଷା ପ୍ରଣାଳୀ ଓ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସେ, ଯାହା ଫଳରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସମ୍ଭବ ହୋଇପାରିଥିଲା। ଅଧ୍ୟକ୍ଷା ରହିବା ସମୟରେ ସେ ଓଡ଼ିଶୀ ନୃତ୍ୟର ପ୍ରଥମ ପିଢ଼ିର ଗୁରୁ ଯଥା କେଳୁଚରଣ,ପଙ୍କଜ ଚରଣ ଓ ଦେବପ୍ରସାଦଙ୍କ ସହିତ କାମ କରିବା ପାଇଁ ସେ ସୁଯୋଗ ପାଇଥିଲେ।
ଓଡ଼ିଶୀ ନୃତ୍ୟରେ ‘ଭାବ ଓ ଅଭିନୟ’ର ପରିପ୍ରକାଶ ପାଇଁ ମିନତୀଙ୍କୁ ଜଣାଯାଏ। ତାଙ୍କର ବହୁ ଶିଷ୍ୟ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛନ୍ତି। ଗୁରୁ ଗୋବିନ୍ଦ ପାଲ, ଦୁର୍ଗା ଚରଣ ରଣବୀର, ଚପଳା ମିଶ୍ର, ଅନିତା ସିଂଦେଓ ଓ ସଂଯୁକ୍ତା ଦାସ ପ୍ରମୁଖ ତାଙ୍କ ଶିଷ୍ୟ ରହି ଆସିଛନ୍ତି।
ମିନତୀ ମିଶ୍ର ବେଶ୍ କିଛି ପୁରସ୍କାର ଓ ସମ୍ମାନ ମଧ୍ୟ ହାସଲ କରିଛନ୍ତି। ୧୯୭୫ରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ୨୦୦୦ ମସିହାରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୨୦୧୨ରେ ସେ ଭାରତ ସରକାରଙ୍କ ପଦ୍ମଶ୍ରୀ ପାଇଥିଲେ।
ମିନତୀ ମିଶ୍ର ଏକ ସମର୍ପିତ ଜୀବନ। ଦୀର୍ଘ ପଚାଶ ବର୍ଷ ଧରି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଯେଉଁ ଉଲ୍ଲେଖନୀୟ ଅବଦାନ ସେ ରଖିଛନ୍ତି ତାହା ଅତୁଳନୀୟ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)
Tags: Minati Misra, Sangeeta Akademi Award, Odissi Dance, Odissi Song, Odia Culture, Guru Kelucharan Mohapatra, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment