ଓଡ଼ିଶାଲାଇଭ୍ ବ୍ୟୁରୋ

ବମିଖାଲ ଫ୍ଲାଏ ଓଭରବ୍ରିଜ୍ ଭୁଶୁଡିବା ଘଟଣା ଭିନ୍ନ ମୋଡ ନେଉଛି।  ‘ପଣ୍ଡା ଇନଫ୍ରା’ କମ୍ପାନି ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ପ୍ରତାପ କିଶୋର ପଣ୍ଡା ମଙ୍ଗଳବାର ଜେଲ୍ ଯାଇଛନ୍ତି। ଭୁବନେଶ୍ୱର କୋର୍ଟରେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ପ୍ରତାପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ରବିବାର ବମିଖାଲ ଓଭରବ୍ରିଜ ଭୁଶୁଡିବା ପରେ କମିଶନରେଟ୍ ପୋଲିସ ସୋମବାର କାଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା। ପ୍ରତାପଙ୍କ ସମେତ କମ୍ପାନୀର  ଦୁଇ ନିର୍ଦ୍ଦେଶକ  ସୁଜାତା ଓ ସନ୍ତୋଷ ପଣ୍ଡାଙ୍କ ନାମରେ ସଙ୍ଗୀନ ଦଫା ଲଗାଇ ମାମଲା ରୁଜ୍ଜୁ କରିଥିଲା। ପରେ ପ୍ରତାପ ସୋମବାର ସନ୍ଧ୍ୟାରେ ଡିସିପି ସତ୍ୟବ୍ରତ ଭୋଇଙ୍କ କାର୍ଯ୍ୟାଳୟରେ ଆତ୍ମ ସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।
ପ୍ରତାପଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା।
ଗିରଫ ଯନ୍ତ୍ରୀ କିଶୋର କୁମାର ରାଉତ ଏବଂ ପ୍ରୋଜେକ୍ଟ ମ୍ୟାନେଜର ଭିପୁଲ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଏହି ୩ ଜଣ ଜାମିନ୍ ପାଇଁ କୋର୍ଟରେ ଆବେଦନ କରିଥିଲେ। ହେଲେ ୩ ଜଣଙ୍କ ଜାମିନ୍ ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ। ଫଳରେ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି।
ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ।

Tags: Bomikhal, Pratap Panda, Panda Infra, Police Arrest, Bhubaneswar Court, Project Manager, DCP, Bomikhal Flyover, Judicial Custody, Over Bridge Collapse, Sujata Panda, Santosh Panda, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment