ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମୋର ପିଲାଛୁଆ କେହି ନାହାନ୍ତିଆରପାରିକୁ ଚାଲିଯାଇଛି ସ୍ୱାମୀଯେଉଁ ବାବୁ ଘରେ ୩୦ ବର୍ଷ ହେଲା କାମ କରୁଥିଲି ତାଙ୍କ ଗେଟ୍‌‌ରେ ତାଲା ଝୁଲୁଛିଏତେବଡ଼ ସହରରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳିଲାନିଶେଷରେ ବାଣୀବିହାର ଓଭରବ୍ରିଜ୍‍କୁ ଆଶ୍ରା କରି ଜୀବନ ସହ ସଂଗ୍ରାମ କରୁଛି”, କହିଛନ୍ତି ୮୦ ବର୍ଷର ଅସହାୟ ବୃଦ୍ଧା ମନୋରମା ପାଢ଼ୀ।

ମନୋରମା ପାଢ଼ୀ। ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳରେ ତାଙ୍କ ଘର। ଗାଁରେ ଜମିବାଡି ସେମିତି କିଛି ନ ଥିବାରୁ ବଡ଼ ଦୁଃଖକଷ୍ଟରେ ସ୍ୱାମୀଙ୍କ ସହ ରହୁଥିଲେ ମନୋରମା। ହେଲେ ଗରିବୀର ଯନ୍ତ୍ରଣା ଆଉ ସହି ନପାରି ୩୦ ବର୍ଷ ବୟସରେ ମନୋରମା ସ୍ୱାମୀଙ୍କୁ ନେଇ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ଭାବିଥିଲେ ଭୁବନେଶ୍ୱରରେ କିଛି କାମ ଧନ୍ଦା କରି ଉଭୟ ବାକି ଜୀବନ କାଟିଦେବେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା।
ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଯେଉଁ ବାବୁ ଘରେ ୩୦ ବର୍ଷ ଧରି ମନୋରମା କାମ କରୁଥିଲେ ସେହି ବାବୁ ଘର ଗେଟ୍‍ ଏବେ ତାଙ୍କ ପାଇଁ ସବୁଦିନ ଲାଗି ବନ୍ଦ ହୋଇଯାଇଛି। ଶେଷରେ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ବାଣୀବିହାର ଓଭରବ୍ରିଜ୍‍ ତଳ ପାଲଟିଛି ମନୋରମାର ନୂଆ ଠିକଣା । ୨ ବର୍ଷ ହେଲା ମନୋରମା ଏହି ଓଭରବ୍ରିଜ୍‍ ତଳେ ଏକୁଟିଆ ବସିବସି ନିଜ ଅତୀତକୁ ଝୁରୁଛି। ରାଜଧାନୀ ଯେପରି ତାଙ୍କ ଓଠରୁ ହସ ଲିଭାଇ ଦେଇଛି।
ଅତୀତକୁ ମନେ ପକାଇ ମନୋରମା କହିଛନ୍ତି, “୩୦ ବର୍ଷ ହେଲା ଜଣେ ବାବୁଙ୍କ ଘରେ କାମ କରୁଥିଲି। ବାବୁଙ୍କ ଘରକୁ ମୁଁ ମୋ ନିଜ ଘର ଭାବି ନେଇଥିଲି। ବାବୁଙ୍କ ଘରେ କାମ କରିବା ବେଳେ କେବଳ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁଥିଲା। ବୟସ ବଢ଼ିଯିବାରୁ ଆଉ କାମ କରିପାରୁ ନଥିଲି। ଦିନେ କାମ କରୁକରୁ ମୋ’ ଗୋଡ ଭାଙ୍ଗିଗଲା। ବାବୁ ଆଣି ମେଡିକାଲରେ ପକାଇ ଦେଲେ। ଥରେ କି ଦୁଇଥର ଆସି ମେଡିକାଲରେ ଦେଖିଯାଇଛନ୍ତି। ଗୋଡ ଭଲ ହେବା ପରେ ବାବୁଙ୍କ ଘରକୁ ଯାଇଥିଲି। ହେଲେ ଶୁଣିଲି ବାବୁ ଆରପାରିକୁ ଚାଲି ଯାଇଛନ୍ତି। ତାଙ୍କ ପିଲା ଛୁଆ ଭୁବନେଶ୍ୱର ଘରେ ତାଲା ପକାଇ ଦିଲ୍ଲୀରେ ରହୁଛନ୍ତି। ଗାଁରେ ଘରବାଡ଼ି ନ ଥିବାରୁ ଆଉ ଗାଁକୁ ଯିବାକୁ ସାହସ କରିପାରିଲି ନାହିଁ। ଶେଷରେ ବାଣୀବିହାର ଓଭରବ୍ରିଜକୁ ଭରସା କରି ଦିନ କାଟୁଛି।’’
ଓଭରବ୍ରିଜ୍‍କୁ ଘର କରି ନେଇଥିବା ମନୋରମା ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଛି। ଘଡଘଡି ଚଡଚଡି ତାର ଦେହସୁହା ହୋଇ ଗଲାଣି। ଡ୍ରେନର ମଶା ଓ ରାତିର ବୁଲା କୁକୁର ତାର ଚିରସହଚର ପାଲଟିଗଲେଣି। ଯେଉଁଦିନ କୁକୁର ମନୋରମା ବ୍ୟାଗରୁ ଖାଦ୍ୟ ଛଡାଇ ନିଏ ସେଦିନ ତାଙ୍କୁ ଉପାସ ରହିବାକୁ ପଡିଥାଏ। ଏମିତି ଦୁଃଖ ଯନ୍ତ୍ରଣାରେ ସ୍ମାର୍ଟ ସିଟିରେ ମନୋରମା ଭଙ୍ଗା ଗୋଡକୁ ନେଇ ସଂଘର୍ଷ କରୁଛନ୍ତି।
ବାଣୀବିହାର ଓଭରବ୍ରିଜ୍‍ ଦେଇ ପ୍ରତିଦିନ କେତେ ଗାଡି ମୋଟର ଯାଉଛି। ନେତା, ମନ୍ତ୍ରୀ, ଯନ୍ତ୍ରୀ, ପୋଲିସ ଓ ସାଧାରଣ ଲୋକ ସେହି ବାଟ ଦେଇ ଯାଉଥିବା ମନୋରମା ଦେଖୁଛି। ହେଲେ କେହି କେବେ ତାକୁ ଆହା ପଦେ କହିନାହାନ୍ତି କି ପାଖକୁ ଆସି ତା’ ଦୁଃଖ ବୁଝିନାହାନ୍ତି। କେବଳ ସରକାର ଯାହା ମାସକୁ ୩୦୦ ଟଙ୍କା ଭତ୍ତା ଦେଉଛନ୍ତି। ହେଲେ ଏହି ୩୦୦ ଟଙ୍କାରେ ବ୍ୟୟବହୁଳ ରାଜଧାନୀରେ ଚଳିବା କଷ୍ଟକର ହୋଇ ଯାଉଛି ବୋଲି ମନୋରମା କ୍ଷୋଭ ଭରା ସ୍ୱରରେ କହିଛି।
ସରକାର ଭୂମିହୀନ, ନିରାଶ୍ରୟଙ୍କ ପାଇଁ ଯୋଜନା କରୁଥିବା ବେଳେ ମନୋରମାଙ୍କ ପାଖରେ ଏହି ଯୋଜନା ଅପହଞ୍ଚ ହୋଇଯାଇଛି। ଭାଗ୍ୟକୁ ଆଦରି ଏକୁଟିଆ ଜୀବନ ସହ ଲଢେଇ କରୁଛନ୍ତି ୮୦ ବର୍ଷର ମନୋରମା।
(ପ୍ରସ୍ତୁତି: ସତ୍ୟବ୍ରତ ପାଢ଼ୀ)

Tags: Manorama Padhi, Smart city, Smart city Bhubaneswar, Humanity, Human Interest, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment