ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ରାଜନୀତିକୁ ନେଇ ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ଅଙ୍କ  କଷିଛନ୍ତି। ତାଙ୍କ ଗଣିତ କହୁଛି ୨୦୧୯ରେ ଓଡ଼ିଶାରେ ପଦ୍ମ ଫୁଟିବନି। ଚନ୍ଦନ ମିତ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ଏଭଳି ଆକଳନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଚନ୍ଦନ ମିତ୍ରଙ୍କ ଅଙ୍କ ବିଜେଡିକୁ ‘ଚନ୍ଦନ’ ଭଳି ବାସିଥିବା ବେଳେ ବିଜେପି ଏହାକୁ ‘ପବନ’ କହି ଏଡ଼ାଇ ଦେଇଛି।

ବିଜେପିର ପୂର୍ବ ଭାରତ ଦଖଲ ଅଭିଯାନ ଆରମ୍ଭ ହୋଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଉତ୍ତରପ୍ରଦେଶରେ ସଫଳତା ପାଇବା ପରେ ମୋଦି-ଶାହା ଯୋଡି ଫୁଲ୍‌ ଦମ୍‌ରେ ଓଡ଼ିଶା ଉପରେ ଫୋକସ୍ କରୁଛନ୍ତି।
ଓଡ଼ିଶାର ଶାସନ ଗାଦି ଦଖଲ କରିବାକୁ ଶାହା କିଛିଦିନ ତଳେ ୩ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। କର୍ମୀଙ୍କୁ ‘ମିଶନ-୧୨୦’ ହାସଲ କରିବାର ପାଠ ପଢ଼ାଇଥିଲେ। ଏହାକୁ ନେଇ ଓଡ଼ିଶାର ବିଜେପି କର୍ମୀ ଏବଂ ନେତା ଉତ୍ସାହିତ ଥିବା ବେଳେ ଚନ୍ଦନ ମିତ୍ରଙ୍କ ଆକଳନ ସବୁ ଉତ୍ସାହକୁ ଫିକା କରିଦେଇଛି। ଶ୍ରୀ ମିତ୍ରଙ୍କ ଆକଳନ ଓଡ଼ିଶାରେ ଭୁଲ୍ ହେବ ବୋଲି କହୁଥିଲେ ହେଁ ମନରେ ଅଜଣା ଭୟ ସୃଷ୍ଟି ହୋଇଥିବା ପରି ମନେ ହେଉଛି।
ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି,”ଓଡ଼ିଶାର ନୂଆ ଷ୍ଟ୍ରାଟେର୍ଜି ସମ୍ପର୍କରେ ଚନ୍ଦନ ମିତ୍ର ଅବଗତ ନାହାନ୍ତି। ଆମେ ଯେଉଁ ମିଶନ ନେଇ ରଣନୀତି ପ୍ରସ୍ତୁତ କରୁଛୁ ସେଥିରେ ସଫଳ ହେବୁ। ଏହାକୁ କେହି ରୋକିପାରିବେ ନାହିଁ।”
ଚନ୍ଦନ ବିଜେପିର ଜଣେ ସାଧାରଣ ନେତା ନୁହନ୍ତି, ସେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ। ଏହା ପୂର୍ବରୁ ସେ ଓଡ଼ିଶା ପ୍ରଭାରି ଦାୟିତ୍ବରେ ରହିଥିଲେ। ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ମଧ୍ୟ ଶ୍ରୀ ମିତ୍ର ଅତି ନିକଟରୁ ଦେଖିଛନ୍ତି। ଏହାସହ ୨୦୦୯ରେ ବିଜେପି-ବିଜେଡି ମଧ୍ୟରେ ପୁଣି ମେଣ୍ଟ କରିବାକୁ ହୋଇଥିବା ଉଦ୍ୟମରେ ମଧ୍ୟ ଶ୍ରୀ ମିତ୍ର ମଧ୍ୟସ୍ଥତା କରିଥିଲେ। ଏଣୁ ଓଡ଼ିଶା ରାଜନୀତି ବିଷୟରେ ଚନ୍ଦନ ମିତ୍ର ଭଲଭାବେ ଅବଗତ ଅଛନ୍ତି। ଯେଉଁଥିପାଇଁ ଅମିତ ଶାହାଙ୍କ ଓଡ଼ିଶା ଗସ୍ତର ମାତ୍ର ଅଳ୍ପ କେତେଦିନ ପରେ ସେ ଏଭଳି ଆକଳନ କରିଛନ୍ତି।
ଶ୍ରୀ ମିତ୍ର ଏକ ଇଂରାଜୀ ଦୈନିକ ଖବରକାଗଜରେ ଆର୍ଟିକିଲ୍ ଲେଖିଛନ୍ତି। ଏଥିରେ ସେ ଓଡ଼ିଶା ରାଜନୀତି ବିଷୟରେ ଉଲ୍ଲେଖ କରିଛନ୍ତି। କହିଛନ୍ତି ବିଜେପିର ‘ମିଶନ୍-୧୨୦’ ଓଡ଼ିଶାରେ ସଫଳ ହେବ ନାହିଁ। ଉତ୍ତରପଦେଶରେ ବିଜେପି ଯେଉଁ ଜାତିଆଣ ଗେମ୍ ଖେଳି ସଫଳ ହେଲା ତାହା ଓଡ଼ିଶାରେ ସମ୍ଭବ ହେବ ନାହିଁ। କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏଯାଏଁ କମିନି।
ଚନ୍ଦନ ମିତ୍ର ବିଜେପିରେ ରହି ଏଭଳି ଆକଳନ କେଉଁ ଆଧାରରେ କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ତେବେ ସେ ଯାହା ହେଉନା କାହିଁକି ବିଜେପିର ବରିଷ୍ଠ ନେତା ଶ୍ରୀ ମିତ୍ରଙ୍କ ଗଣିତ ‘ଓଡ଼ିଶା ବିଜେପି’ ପାଇଁ ବୁମେରାଂ ପାଲଟିପାରେ ବୋଲି ରାଜନୀତି କରିଡରରେ ଆଲୋଚନା ହେଉଛି।
ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି,”ଚନ୍ଦନ ମିତ୍ର ଠିକ୍ କହୁଛନ୍ତି। ସେ ଓଡ଼ିଶା ରାଜନୀତି ବିଷୟରେ ଭଲଭାବେ ଅବଗତ ଅଛନ୍ତି। ବିଜେପିର ‘ମିଶନ୍-୧୨୦’ ଦିବା ସ୍ବପ୍ନ ହୋଇରହିଯିବ।”

 

LEAVE A REPLY

Please enter your comment!
Please enter your name here