ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବଦଳିଲା ମରୁଡ଼ି ଅଞ୍ଚଳ ଘୋଷଣାର ମାନଦଣ୍ଡ। ଆଗାମୀ ୩ ସପ୍ତାହ ମଧ୍ୟରେ ୫୦ ପ୍ରତିଶତରୁ କମ୍ ବର୍ଷା ହେଲେ ସରକାର ସେହି ଅଞ୍ଚଳକୁ ମରୁଡ଼ି ଅଞ୍ଚଳ ଭାବେ ଘୋଷଣା କରିବେ”, ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ଏହା କହିଛନ୍ତି।

ମରୁଡ଼ି କ୍ଷୟକ୍ଷତି ସମ୍ପର୍କରେ ଜାଣିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତଓ୍ବାରୀ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ରିପୋର୍ଟ ମିଳିନାହିଁ। କମ୍ ବୃଷ୍ଟିପାତ ଯୋଗୁଁ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲିଗଲାଣି। ଫଳରେ ସରକାର ଫସଲ କଟା ରିପୋର୍ଟ ଅପେକ୍ଷା ନ କରି ନୂଆ ଫର୍ମୁଲା ଆପଣାଇଛନ୍ତି।

ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି,”ଯେଉଁ ଅଞ୍ଚଳରେ ଆଗାମୀ ୩ ସପ୍ତାହ ମଧ୍ୟରେ ୫୦ ପ୍ରତିଶତରୁ କମ୍ ବର୍ଷା ହେଲେ ସେହି ଅଞ୍ଚଳକୁ ମରୁଡ଼ି ଅଞ୍ଚଳ ଭାବେ ଘୋଷଣା କରାଯିବ।”

ଚଳିତ ବର୍ଷ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବାରୁ ମରୁଡ଼ି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ମରୁଡ଼ି ପ୍ରଭାବିତ ବ୍ଲକ ସଂଖ୍ୟା ୧୦୩ରୁ ୯୬କୁ କମି ଆସିଛି। ସେପ୍ଟେମ୍ବର ୨୨ ସୁଦ୍ଧା ୭୩ଟି ବ୍ଲକରେ ୧୯ରୁ ୩୯ ପ୍ରତିଶତ କମ୍ ବର୍ଷା ହୋଇଛି। ୨୨ଟି ବ୍ଲକରେ ୩୯ରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଛି।

କଂଗ୍ରେସ କିଷାନ୍ ସେଲ୍‌ ସଭାପତି ଅମୀୟ ପଟ୍ଟନାୟକ କହିଛନ୍ତି,”ବିଜେଡି ଓ ବିଜେପି କଳିରେ ଚାଷୀ ବଳି ପଡୁଛନ୍ତି। ଯେଉଁ ଅଞ୍ଚଳରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଛି ସେହି ଅଞ୍ଚଳକୁ ମରୁଡ଼ି ଘୋଷଣା କରାଯାଉ। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ।”

 

 

 

 

Comment