ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ମାମଲାରେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କୁ ରାସ୍ତା ଦେଖାଇଛି ଦଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଦଳ କାହାର ବ୍ୟକ୍ତିଗତ ମାଲିକାନାର ବିଷୟ ନୁହେଁ।” ଏହି ମନ୍ତବ୍ୟ ପରେ ନାରାୟଣଙ୍କ ଗତି କୁଆଡ଼େ ତା’ ଉପରେ ସମସ୍ତଙ୍କ ନଜର।

ବିଜେପୁର ମାମଲାରେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କ ପାଇଁ ରାସ୍ତା ଦୁଇଟି। ଦଳରେ ରହିବାକୁ ହେଲେ ଅନୁଶାସନ ମାନିବାକୁ ହେବ। ନହେଲେ ରାସ୍ତା ସାଫ୍। କାରଣ ବିଜେପି ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି ଯେ, “ଦଳ କାହାର ବ୍ୟକ୍ତିଗତ ମାଲିକାନାର ବିଷୟ ନୁହେଁ।”
ମଙ୍ଗଳବାର ଦିନ ଭୁବନେଶ୍ବରରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ। ବରଗଡ଼ ଜିଲ୍ଲା ସଭାପତିଙ୍କ ପ୍ରତି ଦଳର ମନୋଭାବ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନୀ ଉତ୍ତରରେ ଧର୍ମେନ୍ଦ୍ର କହିଥିଲେ ଯେ, ଦଳର ସ୍ବାର୍ଥ ପାଇଁ ସମସ୍ତଙ୍କୁ କାମ କରିବାକୁ ହେବ। ସେ ସିଧା ସଳଖ ଭାବେ ନାରାୟଣ ସାହୁଙ୍କ ଅସନ୍ତୋଷ ସମ୍ପର୍କରେ ଉତ୍ତର ରଖି ନଥିଲେ ମଧ୍ୟ କହିଥିଲେ ଯେ, ବିଜେପୁରରେ ଓଡ଼ିଆ ଲୋକଙ୍କ ଲଢ଼େଇ ହେବ। ସେଠାରେ ଚାଷୀଙ୍କ ହକ୍‌ ପାଇଁ ଲଢ଼େଇ ହେବ। ତେଣୁ କିଏ ରହିଲା ନରହିଲା ସେ ବିଷୟ ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ।
ବିଜେଡିର ଅସନ୍ତୁଷ୍ଟ ନେତା ଅଶୋକ ପାଣିଗ୍ରାହୀ ଦଳରେ ଯୋଗଦେବା ପ୍ରସଙ୍ଗରେ ଦଳର ବରଗଡ଼ ଜିଲ୍ଲା ସଭାପତି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ସିଧାସଳଖ ଭାବେ ଅଶୋକଙ୍କୁ ଆଗାମୀ ଉପ ନିର୍ବାଚନରେ ପ୍ରାର୍ଥୀ କରାଗଲେ ଜିଲ୍ଲାରେ ବିରୋଧ ହେବ ବୋଲି ଚେତାବନୀ ଦେଇଥିଲେ। ଦଳ ତାଙ୍କ କଥାକୁ ଗୁରୁତ୍ବ ନଦେବା ଫଳରେ ଗତ ତିନି ଦିନ ଧରି ନାରାୟଣ ଦଳ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି।
ମଙ୍ଗଳବାର ସକାଳୁ ନାରାୟଣ ଗଣମାଧ୍ୟମ ଜରିଆରେ ଦଳର ରାଜ୍ୟ ସଭାପତିଙ୍କୁ ଜଣାଇ ଦେଇଥିଲେ ଯେ, ଜିଲ୍ଲା ସଭାପତି ପଦରୁ ସେ ଅବ୍ୟାହତି ଚାହାନ୍ତି। ତେବେ ତାଙ୍କ ଧମକର କୌଣସି ଉତ୍ତର ଦଳ ପକ୍ଷରୁ ଦିଆଯାଇ ନାହିଁ। ତେବେ “କିଏ ରହିଲା ନରହିଲା ସେ ବିଷୟ ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ” ବୋଲି ଧର୍ମେନ୍ଦ୍ର ଦେଇଥିବା ମନ୍ତବ୍ୟ ନାରାୟଣଙ୍କ ପ୍ରତି ଦଳର ସିଧାସଳଖ ସଙ୍କେତ ବୋଲି ଚର୍ଚ୍ଚା ହେଉଛି।
ଏବେ ନାରାୟଣ ପଦ୍ମବନ ଛାଡ଼ି ଅନ୍ୟ ଶିବିରକୁ ମନ ବଳାଇବେ କି ନା ତାହା ଖୁବଶିଘ୍ର ସ୍ପଷ୍ଟ ହୋଇଯିବ।

 

LEAVE A REPLY

Please enter your comment!
Please enter your name here