ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରୁ କାଠମାଣ୍ଡୁ ସାଇକେଲ ଯାତ୍ରା। ଏଭଳି ଦୁଃସାହସିକ ପଦକ୍ଷେପ ନେଇଛନ୍ତି ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣ ସଦସ୍ୟ। ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ନେଇ କାଠମାଣ୍ଡୁକୁ ଯାତ୍ରା କରିଥିବା ସାଇକେଲ୍‌ ଯାତ୍ରୀ ଗୁରୁବାର ଆଜମଗଡରେ ପହଞ୍ଚିଛନ୍ତି। ୬ ଦିନର ସାଇକେଲ୍‌ ଯାତ୍ରା କେମିତି ଥିଲା ‘ଓଡ଼ିଶାଲାଇଭ୍‌’ ସହ ସ୍ମୃତି ବାଣ୍ଟିଛନ୍ତି।

ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ନେଇ କଟକରୁ କାଠମାଣ୍ଡୁକୁ ଦୁଃସାହସିକ ସାଇକେଲ ଯାତ୍ରା କରିଛନ୍ତି ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣ ସଦସ୍ୟ। ୨୮ ତାରିଖରୁ କଟକ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ୮ ଦିନରେ ପହଞ୍ଚିଛି। ଏହି ଦୁଃସାହସିକ ସାଇକେଲ୍ ଯାତ୍ରୀମାନେ ଆଜି ଉତ୍ତରପ୍ରଦେଶର ଆଜମଗଡରେ ପହଞ୍ଚିଛନ୍ତି।
କଟକରୁ ଯାତ୍ରା ଆରମ୍ଭ କରିଥିବା ଏହି ସାଇକେଲ୍ ଯାତ୍ରୀ ପ୍ରଥମ ଦିନରେ ଅନୁଗୁଳ ପର୍ଯ୍ୟନ୍ତ ଯାଇଥିଲେ। ଦ୍ବିତୀୟ ଦିନ ଅର୍ଥାତ୍ ୨୯ ତାରିଖରେ ସେମାନେ ଅନୁଗୁଳରୁ ଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ନିଶ୍ବାସରେ ସେମାନେ ରାସ୍ତା ସାରା ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ପ୍ରଚାର କରି ସମ୍ବଲପୁର ପର୍ଯ୍ୟନ୍ତ ଯାଇଥିଲେ।
ସମ୍ବଲପୁରରେ ରାତିରେ ରହିବା ସହ ମହାନଦୀ କ୍ଲବରେ ରାତ୍ରିଭୋଜନ କରିଥିଲେ। ୩୦ ତାରିଖ ସକାଳୁ ସେମାନେ ପୁଣି ଯାତ୍ରା ଆରମ୍ଭ କରିଥିଲେ। ଆଉ ଏହି ଯାତ୍ରାରେ ସମ୍ବଲପୁର ଏସ୍‌ପି ଏବଂ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସାମିଲ୍‌ ହୋଇଥିଲେ। ୮ ଜଣିଆ ଟିମ୍‌ଙ୍କୁ ଉତ୍ସାହିତ କରିବା ପାଇଁ ଏସ୍‌ପି ଏବଂ ଆର୍‌ଡିସି

ଝାରସୁଗୁଡ଼ା ପର୍ଯ୍ୟନ୍ତ ସାଇକେଲ୍ ଯାତ୍ରାରେ ଆସିଥିଲେ।

ଝାରସୁଗୁଡ଼ାର ପଶୁପତିନାଥ ମନ୍ଦିର ଦର୍ଶନ କରିବା ସହ ସ୍ଥାନୀୟ ଲୋକେ ସାଇକେଲ୍ ଯାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ସେମାନେ ଛତିଶଗଡ ସୀମାରେ ପ୍ରବେଶ କରିଥିଲେ।

୮ ଜଣିଆ ଟିମ୍‌ର ସଦସ୍ୟ ଅଜୟ ନନ୍ଦ କହିଛନ୍ତି, “ଆମେ ପ୍ରତିବର୍ଷ ଏଭଳି ଦୁଃସାହସିକ ସାଇକେଲ ଯାତ୍ରାରେ ଭାରତ ପରିଭ୍ରମଣ କରିଥାଉ। ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ପ୍ରଦାନ କରିବା ସହ ସାଇକେଲ ଚାଳନା ଉପରେ ଲୋକଙ୍କୁ ପ୍ରେରଣା ଦେବା ହେଉଛି ଆମ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।”
ଟପକେରାରେ ରାତ୍ରିଯାପନ କରିବା ପରେ ୧ ତାରିଖରେ ଅମ୍ବିକାପୁର ଅଭିମୁଖେ ଯାତ୍ରା କରିଥିଲେ। ଟାପକେରାରୁ ଅମ୍ବିକାପୁର ରାସ୍ତା କଦର୍ଯ୍ୟ ହୋଇଥିବାରୁ ସାଇକେଲ ଯାତ୍ରୀମାନେ ଅସୁବିଧାରେ ପଡ଼ିଥିଲେ। ତଥାପି ସେମାନେ ଖାଲ ଢିପ ରାସ୍ତାରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଅମ୍ବିକାପୁରରେ ପହଞ୍ଚିଥିଲେ।
୨ ତାରିଖରେ ଅମ୍ବିକାପୁରରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇ ରେଣୁକୂଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ବାଟସାରା ଓଆର୍‌ଏସ୍‌, ଲେମ୍ବୁ ପାଣି ଏବଂ ଏନର୍ଜି ଡ୍ରିଙ୍କ୍‌ ନେଇ ଯାତ୍ରାକୁ ସରସ ସୁନ୍ଦର କରିଥିଲେ ଏହି ଦୁଃସାହସିକ ସାଇକେଲ୍ ଯାତ୍ରୀ।
୨ ତାରିଖ ସନ୍ଧ୍ୟାରେ ସେମାନେ ଉତ୍ତରପ୍ରଦେଶର ରେଣୁକୂଟରେ ପହଞ୍ଚି ଯାଇଥିଲେ।  ୩ ତାରିଖରୁ ଏମାନେ ରେଣୁକୂଟରୁ ବାରାଣାସୀ ଯାତ୍ରା କରିଥିଲେ। ୪ ତାରିଖରେ ବାରାଣାସୀରେ ବିଶ୍ରାମ ନେବା ପରେ ୫ ତାରିଖ ସକାଳୁ ପୁଣି ଆଜମଗଡ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଦୁଃସାହସିକ ସାଇକେଲ ଯାତ୍ରା ଟିମ୍‌ର ସଦସ୍ୟ। ୫ ତାରିଖ ସନ୍ଧ୍ୟା ସୁଦ୍ଧା ସେମାନେ ଆଜମଗଡରେ ପହଞ୍ଚି ଯାଇଥିବା ଜଣାପଡ଼ିଛି। ୧୦ ତାରିଖରେ ସେମାନେ ନେପାଳରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।

 

LEAVE A REPLY

Please enter your comment!
Please enter your name here