କୃଷ୍ଣକୁମାର ମହାନ୍ତି

ଆଦିବାସୀବହୁଳ ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ଯୁବ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରୁଦ୍ରରଂଜନ ଶେଜପଡ଼ା କମାଲ୍ କରିଦେଖାଇଛନ୍ତି । ଯେଉଁ କଥା ସେ ମନରେ ଭାବିଛନ୍ତି, ତାକୁ ତାଙ୍କ ଚଳଚ୍ଚିତ୍ରରେ ଉତାରିଛନ୍ତି। ଆଉ ସେଇ ଚଳଚ୍ଚିତ୍ର ତାଙ୍କ ପାଇଁ ସଫଳତା ଆଣିଦେଇଛି। ୨୦୧୧ରେ ତାଙ୍କ ଚଳଚ୍ଚିତ୍ର ‘ଏକ୍ ଇଡିୟଟ୍’ ଏଡୁଡକ୍ ଆନ୍ତର୍ଜାତିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି।
ବିଭିନ୍ନ ଦେଶରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ ପଛରେ ପକାଇ ଶେଜପଡ଼ାଙ୍କ ଚଳଚ୍ଚିତ୍ର ଅନ୍ୟ ୪ଟି ଚଳଚ୍ଚିତ୍ର ସହ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଦର୍ଶନ ପାଇଁ ଯୋଗ୍ୟତା ହାସଲ କରିଛି। ଏନେଇ ଆସନ୍ତା ନଭେମ୍ବର ୧୨ ତାରିଖ ଦିନ ଦିଲ୍ଲୀ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଂଟର ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବ।
ଚଳଚ୍ଚିତ୍ରଟି ଜଣେ ଛାତ୍ରର ମନସ୍ତତ୍ତ୍ୱ ଉପରେ ଆଧାରିତ। ଛାତ୍ର ବବ୍‌ଲୁ ଯେଉଁ ଖରାପ ହସ୍ତାକ୍ଷର ପାଇଁ ସବୁବେଳେ ତା’ର ଶିକ୍ଷକଙ୍କଠାରୁ ଗାଳି ଶୁଣେ, ସେ ଦିନେ ରାସ୍ତା ଉପରେ ସୁନ୍ଦର ହସ୍ତାକ୍ଷର ଲେଖି ଶିକ୍ଷକଙ୍କ ଧାରଣାକୁ ବଦଳାଇଦିଏ। ଅବଶ୍ୟ ଏଥିରେ ଦୁଷ୍ଟାମିର ପ୍ରତିଫଳନ ରହିଛି। ତେବେ ଶିକ୍ଷକ ଜଣକ ବବ୍‌ଲୁ ଭିତରେ ଥିବା ଦକ୍ଷତାକୁ ଚିହ୍ନିପାରିଛନ୍ତି। ଏହା ହେଉଛି ‘ଏକ ଇଡିୟଟ୍‌’ର ମୂଳ କାହାଣୀ|
“ମୁଁ କଲେଜରେ ପାଠ ପଢ଼ିବା ବେଳେ ସୋସିଆଲ୍ ମିଡିଆରେ ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ର ଦେଖି ପ୍ରଭାବିତ ହୋଇଥିଲି। ମୋ ମତରେ ଗୋଟିଏ ୩ ଘଣ୍ଟାର ଚଳଚ୍ଚିତ୍ର ସମାଜକୁ ଯେଉଁ ବାର୍ତ୍ତା ଦେଇପାରିବ, ଏକ ମିନିଟ୍‌ର ଚଳଚ୍ଚିତ୍ର ମଧ୍ୟ ସେହି ବାର୍ତ୍ତା ଦେବାର କ୍ଷମତା ରଖେ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ରୁଦ୍ରରଂଜନ। ତେଣୁ ଯୁବ ଅବସ୍ଥାରୁ ହିଁ ସାମାଜିକ ବାର୍ତ୍ତା ଥିବା ବିଭିନ୍ନ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି।
ଶେଜପଡ଼ା ଏଇ ଭିତରେ ଏକାଧିକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ‘ସାନ୍ତାଲ୍ସ – ୱାନ୍ ଡେ ଡିଲିଙ୍ଗ୍’ ଓ ‘ଆଇଡେଂଟିଟି’।
‘ଏକ୍ ଇଡିୟଟ୍’ ପୂର୍ବରୁ ବିୱାଇଓଏଫ୍ଏଫ୍, ଅନ୍‌ଫଲ୍‌ଡ ଓ ବିୱାଇଏସ୍ଏଫ୍ଏଫ୍ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋ‍ଇଛି। ସେହିପରି ଖବରକାଗଜରେ ଶେଜପଡ଼ାଙ୍କ ଲିଙ୍ଗଭେଦ ଉପରେ ଅନେକ ଲେଖା ପ୍ରକାଶ ପାଇଛି| ୨୦୧୨ ଓ ୨୦୧୪ରେ ସେ ଜାତୀୟ ଲାଡ୍‌ଲି ମିଡିଆ ଆଣ୍ଡ ଆଡଭର୍ଟାଇଜିଂ ପୁରସ୍କାର ପାଇଛନ୍ତି।
ବାପା ରବୀନ୍ଦ୍ରନାଥ ଶେଜପଡ଼ା ଓ ମାଆ ଚମ୍ପାବତୀ ବାରିକ ତଥା ଭାଇ ଦେବପ୍ରସନ୍ନ ଶେଜପଡ଼ା ଶିକ୍ଷକତା କରନ୍ତି| ରୁଦ୍ରରଂଜନ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସି ‘ଏକ୍ ଇଡିୟଟ୍’ ଭଳି କାହାଣୀକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରେରଣା ପାଇଥିଲେ। ଚଳଚ୍ଚିତ୍ର ସହ ରୁଦ୍ରରଂଜନଙ୍କ ଫଟୋ ଉତ୍ତୋଳନ ତଥା ଗଳ୍ପ ଓ କବିତା ରଚନାରେ ରୁଚି ରହିଛି। ଏବେ ସେ ସାମ୍ବାଦିକତା ବୃତ୍ତିରେ ଥିବା ବେଳେ ଭବିଷ୍ୟତରେ ଜଣେ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି।

Comment