ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରର ନାଲ୍‌କୋ ନଗରରେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ନାଲକୋ ନଗରର ୨୫୫ ଘରକୁ ଗ୍ୟାସ୍‌ ସଂଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ୧୩ଟି ଜିଲ୍ଲାରେ ୭୬୮ କି ମି ପାଇପ୍ ଲାଇନ୍ ବିଛାଯିବ ବୋଲି ଜଣାପଡ଼ିଛି।
ଏହି ୧୩ଟି ଜିଲ୍ଲାରେ ଅନୁଗୁଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଅନ୍ତର୍ଭୁକ୍ତ ହୋଇଛି।
ଓଡ଼ିଶାର ୨ ଲକ୍ଷ ୫୦ ହଜାର ପରିବାରକୁ ପିଏନ୍‌ଜି ଯୋଗାଣ କରାଯିବ। ଏଥିପାଇଁ ୫୨୦୦ କୋଟିରୁ ଅଧିକ ଟଙ୍କା ପୁଞ୍ଜି ବିନିଯୋଗ କରାଯିବ। ୪୦ରୁ ଅଧିକ ସଂଖ୍ୟକ ସିଏନ୍‌ଜି ବିତରଣ କେନ୍ଦ୍ର ଏବଂ ୨ ଲକ୍ଷରୁ ଅଧିକ ସଂଖ୍ୟକ ଯାନବାହନ ନିମନ୍ତେ ଇନ୍ଧନ ଯୋଗାଣ କରାଯିବ।
ଏହି ଲୋକାର୍ପଣ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ, ଗେଲ୍‌ର ସିଏମ୍‌ଡି ବି ସି ତ୍ରିପାଠୀ, ଗେଲ୍‌ ଚିଫ୍ ଜେନେରାଲ ମ୍ୟାନେଜର ଏସ୍‌.କେ.ପାଠକ ପ୍ରମୁଖ ଉପସ୍ଥିତ ଥିଲେ।

 

Comment