ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ଭୁବନେଶ୍ବର ସ୍ବେରେଜ ବ୍ୟବସ୍ଥାରେ ମଧ୍ୟ କ୍ୟାବିନେଟ୍ ମୋହର ଲାଗିଛି। ଏହାସହ ଓଡ଼ିଶା ବିଧାନସଭାର ଦଶମ ଅଧିବେଶନର ସତ୍ରାବସାନକୁ ମଧ୍ୟ ଅନୁମୋଦନ ମିଳିଛି।
କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ୩ଟି ବ୍ଲକର ଚାଷଜମିକୁ ଜଳସେଚନ ସୁବିଧା ନିମନ୍ତେ ଲିଫ୍ଟ କେନାଲ ସିଷ୍ଟମ ଘୋଷଣା କରିଥିଲେ। ଏଥିପାଇଁ ଆଜି କ୍ୟାବିନେଟରେ ୧୨୪୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବିଜେପୁର, ସୋହେଲା, ବରପାଲ୍ଲି ବ୍ଲକର ୨୫,୬୦୦ ହେକ୍ଟର ଚାଷଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିବ। ମାର୍ଚ୍ଚ ସୁଦ୍ଧା ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି।
ସେହିପରି ଭୁବନେଶ୍ବର ସ୍ବେରେଜ ପ୍ରକଳ୍ପ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ପ୍ରକଳ୍ପକୁ ୬ଟି ସ୍ବେରେଜ ଜିଲ୍ଲାରେ ଭାଗ କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ସହରର ପ୍ରାୟ ୨୨.୧୮୬ ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ୧୭୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

Comment