ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁଙ୍କ ଅପରେସନ୍ ପରେ ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି ଓଡ଼ିଶାବାସୀ। ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ ସବୁଠି ଚାଲିଛି ପୂଜାର୍ଚ୍ଚନା। ଲୋକେ ଉଭୟଙ୍କ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଜାଳିଛନ୍ତି।
କନ୍ଧମାଳର ବାଲିଗୁଡ଼ାରେ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିବା ବେଳେ ବନବାସୀ ସେବା ସମିତିର ସଦସ୍ୟ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ସାଧାରଣ ଲୋକେ ପ୍ରାର୍ଥନା କରିଛନ୍ତି। ସିଂହଦ୍ବାର ନିକଟରେ ଦୀପଦାନ କରାଯାଇଛି। ମହାପ୍ରଭୁ ଜଗନ୍ନାଥ ଦୁଇ ଭାଇଙ୍କୁ ସୁସ୍ଥ କରି ଓଡ଼ିଶା ଫେରାଇ ଆଣନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ଲୋକେ। କଟକ ଏବଂ ଭୁବନେଶ୍ବରର ବିଭିନ୍ନ ମନ୍ଦିରେ ମଧ୍ୟ ଚାଲିଛି ପୂଜାର୍ଚ୍ଚନା। ସକାଳୁ ସନ୍ଧ୍ୟା ଯାଏଁ ଲୋକେ ଜଗା-କାଳିଆଙ୍କ ପାଇଁ ଦୀପ ଜାଳିଛନ୍ତି। ବିଜେଡି ପକ୍ଷରୁ ରାମ ମନ୍ଦିର ନିକଟରେ କ୍ୟାଣ୍ଡେଲ ରାଲି କରାଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଦୁଇ ଭାଇଙ୍କ ଆରୋଗ୍ୟ କାମନା କରିଛନ୍ତି।
ବୁଧବାର ୧୧ ଘଣ୍ଟାର ଅପରେସନ୍‌ ପରେ ଦୁଇ ଭାଇଙ୍କୁ ଅଲଗା କରାଯାଇଛି। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଆଇସିୟୁରେ ରଖାଯାଇଛି। ଆସନ୍ତା ୪୮ ଘଣ୍ଟା ଉଭୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଡାକ୍ତରୀ ଟିମ୍ କହିଛନ୍ତି। ତେବେ ଜଗାର ସ୍ବାସ୍ଥ୍ୟାବସ୍ଥା ଟିକେ ଭଲ ଥିବା ବେଳେ କାଳିଆର ସ୍ବାସ୍ଥ୍ୟ ଭଲ ନଥିବା ଏମ୍‌ସ ପକ୍ଷରୁ କୁହାଯାଇଛି।

Comment