ଓଡ଼ିଶାଲାଇଭ୍‌ ବ୍ୟୁରୋ

ମରୁଡ଼ି ପ୍ୟାକେଜ ଘୋଷଣାର ଦିନକ ପରେ ବରଗଡ଼ ଜିଲ୍ଲାର ଗାଇସିଲଟ ବ୍ଲକରେ ଜୀବନ ହାରିଛନ୍ତି ଚାଷୀ। ଏହାକୁ ନେଇ ରାଜନୀତିରେ ଆରମ୍ଭ ହୋଇଛି କାଦୁଅଫିଙ୍ଗା।

ସ୍ବଳ୍ପ ବୃଷ୍ଟି ଦୋହଲାଇ ଦେଇଛି ଚାଷୀର ମେରୁଦଣ୍ଡ। ୧୫ଟି ଜିଲ୍ଲାର ୭୦ ବ୍ଲକରେ ଦେଖାଦେଇଛି ମରୁଡ଼ି। ଏହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ରାଜ୍ୟ ସରକାର ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ୍। ଏହି ପ୍ୟାକେଜ ଘୋଷଣାର ଦିନକ ପରେ ବରଗଡ଼ ଜିଲ୍ଲାରେ ଜଣେ ଚାଷୀ ଜବୀନ ହାରିଛନ୍ତି। ଜୀବନ ହାରିଥିବା ଚାଷୀ ଜଣକ ହେଲେ ଗାଇସିଲଟ ବ୍ଲକ ମଲମୁଣ୍ଡା ଗ୍ରାମର ଇନ୍ଦ୍ର ବରିହା।
ମରୁଡ଼ିରେ ଫସଲ ହାନି ହୋଇଥିବାରୁ ଇନ୍ଦ୍ର ରବିବାର ବିଷ ପିଇ ଦେଇଥିଲେ। ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି।
ବରଗଡ଼ ଜିଲ୍ଲାରେ ଜଣେ ଚାଷୀଙ୍କ ଆତ୍ମହତ୍ୟାକୁ ଏବେ ବିରୋଧୀ ଅସ୍ତ୍ର କରିଛନ୍ତି। ରାଜ୍ୟ ସରକାରଙ୍କ ମରୁଡ଼ି ପ୍ୟାକେଜ କ୍ଷତିଗ୍ରସ୍ତ ଚାଷୀଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଏହାସହ ପ୍ୟାକେଜ ଘୋଷଣାରେ ବିଳମ୍ବ ହୋଇଥିବା ବିଜେପି ଅଭିଯୋଗ କରିଛି।
୩୩ ପ୍ରତିଶତ ଫସଲ ହାନି ହୋଇଥିବା ଅଣ ଜଳସେଚିତ ଅଞ୍ଚଳର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଏବଂ ଜଳସେଚନ ସୁବିଧା ଥିବା ଅଞ୍ଚଳର ଚାଷୀଙ୍କୁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଜଳକର ସମ୍ପୂର୍ଣ୍ଣ ଛାଡ଼ କରାଯିବା ସହ ସ୍କୁଲ, କଲେଜ ପିଲାଙ୍କ ପରୀକ୍ଷା ଓ ଟ୍ୟୁସନ ଫି ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହ ଖରିଫରେ ଫସଲହାନିକୁ ନେଇ ଚିନ୍ତାରେ ଥିବା ଚାଷୀଙ୍କୁ ସହାୟତା ମିଳିବ। ମରୁଡ଼ି ପ୍ରବଣ ଅଞ୍ଚଳରେ ରବି ଋତୁ ପାଇଁ ୧.୨୫ ଲକ୍ଷ ଡାଲି ଜାତୀୟ ମନି କିଟ୍ ମିଳିବ। ୫୦ ହଜାର ତୈଳବିଜ ଏବଂ ୨୫ ହଜାର ପନିପରିବା ମନି କିଟ୍ ମିଳିବ। ମରୁଡ଼ି ଅଞ୍ଚଳରେ ଅଧିକ ୫୦ ଦିନ ମନରେଗା କାମ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।
ଏହି ଘୋଷଣା କିଛି କାମ କରି ନଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଚଳିତ ସଜିନ୍‌ରେ ୧୪ ପ୍ରତିଶତ କମ୍ ବର୍ଷା ହୋଇଛି। ବର୍ଷା ଋତୁରେ ସାଧାରଣତଃ ଓଡ଼ିଶାର ୧,୧୪୪.୩ ମିମି ବର୍ଷା ହୋଇଥିବା ବେଳେ ୧,୦୩୧ ମିମି ବର୍ଷା ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।
 

Comment