ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅଲ୍‌-ନାଇଟ୍ କନ୍‌ସର୍ଟ ‘ୟାମିନି’।

 ‘ସ୍ପିକ୍‌ମାକେ’ ପକ୍ଷରୁ ଭୁବନେଶ୍ୱରରେ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ଅଲ୍‌-ନାଇଟ୍‍ କନ୍‌ସର୍ଟ ‘ୟାମିନି’। ଆଚାର୍ଯ୍ୟବିହାରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ଫିଜିକ୍‌ସ ଅଡିଟୋରିୟମ୍‌ରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ଅବସରରେ ରାତି ତମାମ୍ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବ।
ଏହି କାର୍ଯ୍ୟକ୍ରମକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ସୁବାସ ପାଣି, ଆଇପିସିଏର ଟ୍ରଷ୍ଟି ପାରମିତା ମହାପାତ୍ର, ଭୁବନେଶ୍ବର ସୈନିକ ସ୍କୁଲ୍‌ର ପ୍ରିନ୍ସପାଲ୍ କ୍ୟାପ୍ଟେନ୍ କାଞ୍ଚନ ମୁଖାର୍ଜୀ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍‌ଘାଟନ କରିଥିଲେ।
ବିଶିଷ୍ଟ କର୍ଣ୍ଣାଟକୀ ଭାଓଲିନ୍‌ ବାଦକ ଡକ୍ଟର ଏଲ୍ ସୁବ୍ରମଣ୍ୟମ କାର୍ଯ୍ୟକ୍ରମ ଆରମ୍ଭରୁ ନିଜର କଳା ପ୍ରଦର୍ଶନ କରିଥିଲେ। ତାଙ୍କ ଭାଓଲିନ୍‌ର ସୁମଧୁର ସୁର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ଏହି ଉଦ୍ୟମ କରାଯାଉଛି। ଦେଶବିଦେଶରେ ଥିବା ଦର୍ଶକମାନେ ସ୍ପିକ୍‌ମାକେର ଫେସବୁକ ପେଜ୍‌ (www.facebook.com/spicmacay) ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଲାଇଭ୍‌ଷ୍ଟ୍ରିମିଂ ଦେଖିପାରିବା ପାଇଁ ବ୍ୟବସ୍ଥା କରାଯାଇଛି। ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍‍ ପକ୍ଷରୁ ଏହି ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି।
“ୟାମିନି ହେଉଛି ସ୍ପିକ୍‌ମାକେର ଏକ ବିଶେଷ ପ୍ରଚେଷ୍ଟା। ଏହା ମାଧ୍ୟମରେ ବିଭିନ୍ନ ଭାରତୀୟ ଶାସ୍ତ୍ରୀୟ ଧାରାକୁ ଛାତ୍ର ଓ ଯୁବକମାନଙ୍କ ପାଖରେ ପହଞ୍ଚାଇବାକୁ ଅନୁଷ୍ଠାନ ଉଦ୍ୟମ କରିଆସୁଛି। ଓଡ଼ିଶା ଚାପ୍‍ଟର୍‌ ପକ୍ଷରୁ ୨୦୧୫ ମସିହାରେ ପ୍ରଥମେ ୟାମିନି ଆୟୋଜିତ ହୋ‍ଇଥିଲା। ଚଳିତ ବର୍ଷ ଏହାର ତୃତୀୟ ସଂସ୍କରଣ ଆରମ୍ଭ ହୋଇଛି”, ଏହା କହିଛନ୍ତି ସ୍ପିକ୍‌ମାକେ ଓଡ଼ିଶା ଚାପଟରର ସଂଯୋଜିକା ବବିତା ମିଶ୍ର।
ଏହି କାର୍ଯ୍ୟକ୍ରମରେ ଏକ୍‌ସଆଇଏମ୍‌ବି, କେଏମ୍‌ବିବି, ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସ ଏବଂ ସୈନିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ସହରର ବହୁ କଳା ଓ ସଂସ୍କୃତିପ୍ରେମୀ ଯୋଗଦେଇଛନ୍ତି। ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସାରା ରାତି ଚାଲିବ ଏବଂ ଜଣକ ପରେ ଜଣେ ପ୍ରସିଦ୍ଧ ଶିଳ୍ପୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ।
ବିଶିଷ୍ଟ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଗୀତା ଚନ୍ଦ୍ରନ୍, ସୀତାର ବାଦକ ନିଶାନ୍ତ ଖାନ୍, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ମଞ୍ଜୁଶା ପାଟିଲ କୁଲକର୍ଣ୍ଣି ଏବଂ ଧୃପଦ (ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ) କଣ୍ଠଶିଳ୍ପୀ ଏଫ୍‌ ଓ୍ବାସିଫୁଦ୍ଦିନ୍ ଡଗର ପ୍ରମୁଖ ଆଜି ରାତି ତମାମ୍‌ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବେ।

 

Comment