ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜଗା-କାଳିଆଙ୍କୁ ଏମ୍‌ସରେ ଦେଖି କାନ୍ଦି ପକାଇଲେ ମାଆ
  • ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବି ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା
  • କାଳିଆକୁ ଦିଆଯାଉଛି ନିଦ ଔଷଧ

“ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଜଗା ଆଜି ଭେଣ୍ଟିଲେଟରରୁ ବାହାରିଛି। ହେଲେ କାଳିଆର ସ୍ବାସ୍ଥ୍ୟ ଟିକେ ମାନ୍ଦା ରହୁଛି”,- ଏହା କହିଛନ୍ତି ଏମ୍‌ସ ପ୍ରଫେସର ଅଶୋକ ମହାପାତ୍ର।

ଦ୍ବିତୟ ପର୍ଯ୍ୟାୟ ଅପରେସନ୍ ପରେ ଜଗା-କାଳିଆଙ୍କୁ ଅଲଗା କରାଯାଇଛି। ଆଜି ଜଗା-କାଳିଆଙ୍କୁ ତାଙ୍କ ମାଆ ପ୍ରଥମ ଥର ପାଇଁ ଦିଲ୍ଲୀ ଏମ୍‌ସରେ ଭେଟିଛନ୍ତି। ଉଭୟଙ୍କୁ ଦେଖିବା ପରେ ମାଆଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଦିଲ୍ଲୀ ଯାଇ ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଏମ୍‌ସ ପକ୍ଷରୁ କୁହାଯାଇଛି ଯେ, ଜଗା ହାତ ଗୋଡ଼ ହଲାଉଛି। ତାଙ୍କ ମାଆ ଡାକିଲେ ସେ ପ୍ରତିକ୍ରିୟା ପ୍ରକାଶ କରୁଛି। ହେଲେ କାଳିଆ ଟିକେ ଦୁର୍ବଳ ରହିଛି। ତାର ଚେତା ଏଯାଏଁ ଫେରିନାହିଁ।

ଅଶୋକ ମହାପାତ୍ର ଆହୁରି କହିଛନ୍ତି ଯେ, ଜଗାକୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲେ ମଧ୍ୟ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେ ସ୍ବାଭାବିକ ନିଶ୍ବାସ ପ୍ରଶ୍ବାସ ନେଉଛି। ସେ ଖିଆ ପିଆ କଲେ ଆମେ ତାକୁ ସାଧାରଣ ଓ୍ବାର୍ଡକୁ ନେବୁ। କାଳିଆର ଫିଡ୍‌ସ ରହିଥିଲା। ନିଦ ହେବା ପାଇଁ ତାକୁ ଔଷଧ ଦିଆଯାଉଛି। ଫଳରେ ଜଗା ଅପେକ୍ଷା କାଳିଆ ମାନ୍ଦା ରହୁଛି।

ଅକ୍ଟୋବର ୨୫ରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ୍ କରାଯାଇଥିଲା। ୧୧ ଘଣ୍ଟା ଅପରେସନ୍ ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ୭୨ ଘଣ୍ଟା ଅବଜରେଭସନ୍‌ରେ ରଖାଯିବା ପରେ ଉଭୟ ଆଇସିୟୁରେ ରହିଥିଲେ। ଏପଟେ ଜଗା-କାଳିଆଙ୍କ ଆରୋଗ୍ୟ କାମନା କରି ଓଡ଼ିଶାରେ ପୂଜାର୍ଚ୍ଚନା କରାଯାଇଥିଲା।

 

Comment