ଓଡ଼ିଶାଲାଇଭ୍‌ ବ୍ୟୁରୋ

“ରନ୍ଧନ ଗ୍ୟାସ୍‌ ମୂଲ୍ୟ ବୃଦ୍ଧିର ପ୍ରତିବାଦ କରିଛି ମହିଳା ବିଜେଡି। ଏହାକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ। ଏହାସହ ଶୁକ୍ରବାର ରାଜଭବନ ସମ୍ମୁଖରେ ମହିଳା ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବ”,- ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ।

ନିକଟରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାମସର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହାକୁ ମହିଳା ବିଜେଡି ପ୍ରତିବାଦ କରିଛି। ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଏହା କେନ୍ଦ୍ର ସରକାର ବୋଝ ଲଦିଛନ୍ତି ବୋଲି ମହିଳା ବିଜେଡି ପକ୍ଷରୁ କୁହାଯାଇଛି। ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଉପ-ସଭାପତି ଉଷା ଦେବୀ ଏବଂ ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି ଯେ, କେନ୍ଦ୍ର ସରକାର ଶସ୍ତାରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ କହୁଥିବା ବେଳେ ବାରମ୍ବାର ମୂଲ୍ୟ ବୃଦ୍ଧି କରି ଲୋକଙ୍କୁ ହଇରାଣ କରୁଛନ୍ତି। ଏଣୁ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗ୍ୟାସ ମୂଲ୍ୟ ହ୍ରାସ କରିବାକୁ ମହିଳା ବିଜେଡି ଦାବି କରିଛି।

ଶୁକ୍ରବାର ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ଆସନ୍ତା ୬ ତାରିଖରେ ମହିଳା ବିଜେଡି ପକ୍ଷରୁ ୩ଟି ଆର୍‌ଡିସି ଅଫିସ ସମ୍ମୁଖରେ ଧାରଣା ଦିଆଯିବ। ଯଦି କେନ୍ଦ୍ର ସରକାର ଦର ହ୍ରାସ ନକରନ୍ତି ତାହାଲେ ସମସ୍ତ ବ୍ଲକ ଅଫିସ୍ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here