(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ଏକ ସଦ୍ୟ ପ୍ରକାଶିତ ଅନୁଧ୍ୟାନ ଉପରେ ଯଦି ଆମେ ଆଖି ପକେଇବା ଆମକୁ ଅତ୍ୟନ୍ତ ନିରାଶ ହେବାକୁ ପଡ଼ିବ। ଏହି ସର୍ଭେ ଅନୁସାରେ ଆମ ଦେଶରେ ଡାକ୍ତରମାନେ ରୋଗୀ ଦେଖିବା ପାଇଁ ହାରାହାରି ମାତ୍ର ୨ ମିନିଟ ସମୟ ଦେଇଥାନ୍ତି। ଡାକ୍ତରୀ ପରାମର୍ଶ ଉପରେ ହୋଇଥିବା ଏକ ବଡ଼ ଆନ୍ତର୍ଜାତିକ ସର୍ଭେରୁ ଏହା ଜଣାପଡିଛି। ପଡୋଶୀ ପାକିସ୍ତାନ ଓ ବଙ୍ଗଳା ଦେଶରେ ତ ସ୍ଥିତି ଆହୁରି ଗମ୍ଭୀର। ଏହି ଦୁଇ ଦେଶରେ ଡାକ୍ତରମାନେ ହାରାହାରି ଗୋଟିଏ ମିନିଟ ପାଇଁ ହିଁ ରୋଗୀଙ୍କ କଥା ଶୁଣନ୍ତି।

ମେଡିକାଲ ଜର୍ଣ୍ଣାଲ ବିଏମଜେ ଓପେନରେ ଏହି ସର୍ଭେ ପ୍ରକାଶ ପାଇଛି। ଆମେରିକା, ସୁଇଡେନ ଭଳି ଦେଶରେ ରୋଗୀ ଦେଖା ସମୟ ପ୍ରାୟ ୨୦ ମିନିଟ। ଜର୍ଣ୍ଣାଲରେ କୁହାଯାଇଛି ଯେ ଏହା ଚିନ୍ତାର ବିଷୟ କାରଣ ୧୮ଟି ଦେଶ ଯେଉଁଠି ବିଶ୍ଵ ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ରୁହନ୍ତି, ସେଠି ଡାକ୍ତର ମାତ୍ର ଦୁଇ ଚାରି ମିନିଟରେ ରୋଗୀଙ୍କୁ ବିଦା କରିଥାନ୍ତି।

ଡାକ୍ତରୀ ପରାମର୍ଶ ପାଇଁ ଏତେ କମ ସମୟ ଆଦୌ ଠିକ୍ ନୁହେଁ ବୋଲି ଗବେଷକମାନେ କହିଛନ୍ତି। ତା’ ଛଡ଼ା ଡାକ୍ତରମାନଙ୍କ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଉଛି। ଷ୍ଟଡି ଅନୁସାରେ ରୋଗୀ ଅଧିକାଂଶ ସମୟ ଔଷଧ ଦୋକାନରେ ଏବଂ ଆଣ୍ଟିବାୟୋଟିକ୍ ସେବନ କରିବାରେ ସମୟ ଅତିବାହିତ କରିଥାନ୍ତି। ଡାକ୍ତରଙ୍କ ସହ ସମ୍ପର୍କ ସ୍ଥାପନର ପରିଧି ସଙ୍କୁଚିତ ହେବା ନେଇ ଉକ୍ତ ଗବେଷଣାରେ ଚିନ୍ତା ପ୍ରକଟ କରିଛନ୍ତି ଗବେଷକ।

ପରାମର୍ଶର ସମୟ କମ୍ ହେବା ଅର୍ଥ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୁରୁତର ସମସ୍ୟା ରହିଛି। ଭାରତ ପରିପ୍ରେକ୍ଷୀରେ ବିଶେଷଜ୍ଞମାନଙ୍କ କହିବା କଥା ଯେ ଏଣେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅସମ୍ଭବ ଭାବରେ ବୃଦ୍ଧି ପାଉଛି ଅଥଚ ସେହି ସଂଖ୍ୟାରେ ମୌଳିକ ଚିକିତ୍ସା ବା ପ୍ରାଇମେରି କେୟାର ପାଇଁ ଡାକ୍ତର ମିଳୁନାହାନ୍ତି। ମନେରଖିବାକୁ ହେବ ଯେ ପ୍ରାଥମିକ ଡାକ୍ତରମାନେ କନ୍‌ସଲଟାଣ୍ଟଙ୍କଠାରୁ ଅଲଗା କାରଣ ଓପିଡିରେ ନିଯୁକ୍ତ ଡାକ୍ତର ମାନଙ୍କ ମେଡିସିନରେ ସ୍ୱତନ୍ତ୍ର ତାଲିମ ପାଇଥା’ନ୍ତି।

ରୋଗୀଙ୍କୁ ଡାକ୍ତର ଦୁଇ ତିନି ମିନିଟ ସମୟ ଦେଉଥିବା କଥା ଊଣା ଅଧିକ ସବୁଠାରେ ଦେଖାଯାଏ। ସରକାରୀ ହସ୍ପିଟାଲରେ ଓପିଡିରେ ଯଦି ଥରକେ ଦୁଇ ତିନି ରୋଗୀ ଡାକ୍ତରଙ୍କ ଚାମ୍ଵରରେ ପଶନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏପରିକି ଘରୋଇ ହସ୍ପିଟାଲରେ ମଧ୍ୟ ଏକା ଅବସ୍ଥା।

ଭାରତରେ ଡାକ୍ତରମାନେ ରୋଗୀଙ୍କଠାରୁ କେବଳ ଲକ୍ଷଣ ଶୁଣିଥା’ନ୍ତି ଶାରୀରିକ ପରୀକ୍ଷା ପାଇଁ ସମୟ ନଥାଏ ବୋଲି ଏହି ସର୍ଭେରେ କୁହାଯାଇଛି।

Comment