ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଆଦିର ସୁରକ୍ଷା ପାଇଁ କାମ କରୁଥିବା ‘ସୃଜନିକା’ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ବିଭବ ଡଟ୍‌ ଇନ୍‌ ୱେବସାଇଟ୍ ଲୋକାର୍ପିତ ହୋଇଛି। ପୁରୁଣା ଓଡ଼ିଆ ପୁସ୍ତକ, ପତ୍ରିକା, ଖବରକାଗଜର ଡିଜିଟାଇକେସନ୍ କରାଯାଇ ୱେବସାଇଟରେ ପ୍ରଦାନ କରାଯାଇଛି।

୧୯୫୦ ମସିହା ପୂର୍ବରୁ ପ୍ରକାଶିତ ୨୧ଟି ଖବରକାଗଜ, ୬୮ଟି ପତ୍ରପତ୍ରିକା ସହ ପ୍ରାୟ ୬୦ଟି ପୁସ୍ତକ ମଧ୍ୟ ଉପଲବ୍ଧ। ଧୀରେଧୀରେ ୱେବସାଇଟରେ ଅନ୍ୟନ୍ୟ ବିଷୟ ଉପଲବ୍ଧ ହେବ ବୋଲି ସୃଜନିକା ପକ୍ଷରୁ କୁହାଯାଇଛି। ରେଫରେନ୍ସ ବିଭାଗରେ ପରିକ୍ରମା, ଭାଷା-ସାହିତ୍ୟ, ଜ୍ଞାନକୋଷ, ଗ୍ରନ୍ଥସୂଚୀ, ଇତିହାସ ଓ ସଂସ୍କୃତି, କଳା ଭାସ୍କର୍ଯ୍ୟ, ଚରିତ ପଞ୍ଜିକା ଆଦି ଉପବିଭାଗମାନ ଅଛି।

ବିଶେଷ ବିଭାଗରେ ଓଡ଼ିଆ ଭାଷାର ଅମୂଲ୍ୟ ରତ୍ନ ଗୀତଗୋବିନ୍ଦ, ଚର୍ଯ୍ୟାଗୀତିକା, ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରହିଛି। ଶବ୍ଦାର୍ଥ ବିଭାଗରେ ୩୦ ହଜାର ଓଡ଼ିଆ ଓ ଇଂରାଜୀ ଶବ୍ଦର ଅର୍ଥ ରହିଛି। ସାଧନ ବିଭାଗରେ ଓଡ଼ିଆ ଭାଷାରେ କମ୍ପ୍ୟୁଟରରେ କାମ କରିବା ପାଇଁ ସୃଜନିକା ପକ୍ଷରୁ ବିକଶିତ କରାଯାଇଥିବା କିଛି ସାଧନକୁ ସ୍ଥାନିତ କରାଯାଇଛି।

ଏହି ଲୋକାର୍ପଣ ଉତ୍ସବରେ ସୃଜନିକା ତରଫରୁ ନିଖିଲ୍‌ ପଟ୍ଟନାୟକ, ପୁଷ୍ପଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 

Comment