ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ନକଲି କୀଟନାଶକ ବିକ୍ରି କରୁଥିବା ୧୧ଟି କମ୍ପାନିକୁ ବ୍ଲାକ ଲିଷ୍ଟେଡ କରିଛନ୍ତି ରାଜ୍ୟ ସରକାର।

ନକଲି କୀଟନାଶକ ବିକ୍ରି କରୁଥିବା କମ୍ପାନି ବିରୋଧରେ ସରକାର ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। ୧୧ଟି କମ୍ପାନିକୁ ଆଜି କଳାତାଲିକାଭୁକ୍ତ କରାଯାଇଛି। ଫଳରେ ଏହି କମ୍ପାନି ଆଉ ରାଜ୍ୟରେ କୀଟନାଶକ ବିକି ପାରିବେ ନାହିଁ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି।

ସୌରଭ ଗର୍ଗ କହିଛନ୍ତି, “ନକଲି କୀଟନାଶକକୁ ନେଇ ହୋ-ହଲ୍ଲା ହେବା ପରେ ସରକାର ବିଭିନ୍ନ କମ୍ପାନିର କୀଟନାଶକ ନମୁନା ଯାଞ୍ଚ କରିଥିଲେ। ସେଥିମଧ୍ୟରୁ ୧୧ଟି କମ୍ପାନି ପ୍ରସ୍ତୁତ କରିଥିବା କୀଟନାଶକ ଖରାପ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ଏହାସହ ସଂପୃକ୍ତ କମ୍ପାନିକୁ ରିପୋର୍ଟ ତଲବ କରାଯାଇଛି।”

ଅକ୍ଟୋବର ମାସରେ ୫୮ଟି କୀଟନାଶକ ନମୁନା ଯାଞ୍ଚ  କରାଯାଇଥିବା ବେଳେ ନଭେମ୍ବରରେ ୧୦୦ଟି ନମୁନା ଯାଞ୍ଚ କରାଯାଇଥିଲା।

ଏପଟେ ଫସଲ କ୍ଷୟକ୍ଷତି ନେଇ କୃଷି ବିଭାଗ ପକ୍ଷରୁ ଆଜି ସଚିବାଳୟରେ ସମୀକ୍ଷା କରାଯାଇଛି। ଚାଷୀଙ୍କୁ କ୍ଷୟକ୍ଷତି ଜନିତ ସହାୟତା ମିଳିବ ବୋଲି ନିଷ୍ପତ୍ତି ହୋଇଛି। ଚକଡ଼ା ପୋକ ପ୍ରଭାବିତ ଚାଷୀଙ୍କୁ ଆଜିଠୁ ଅନ୍‌ଲାଇନ୍‌ ମାଧ୍ୟମରେ ସବସିଡ୍‌ ପ୍ରଦାନ କରାଯାଉଛି। କେତେ ଚାଷୀ ସବ୍‌ସିଡ୍‌ ପାଇଲେ ତାର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ନିର୍ଦ୍ଦଶେ ଦେଇଛନ୍ତି।  ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ସବ୍‌ସିଡ୍‌ ପ୍ରଦାନ କରାଯାଉଛି।

Comment