ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଛି। ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରି ନଥିବା ଓଡ଼ିଶା ଏବେ ଚେନ୍ନାଇସ୍ଥିତ ଭାରତୀୟ ଭୌତିକ ସମ୍ପତ୍ତି କର୍ତ୍ତୃପକ୍ଷଙ୍କ ନିକଟକୁ ଯିବା ପାଇଁ ସଜବାଜ ହେଉଛି।

ରସଗୋଲା ପାଇଁ ଆଜି ସଚିବାଳୟରେ ବସିଥିଲା ସମୀକ୍ଷା ବୈଠକ। ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଖୁବଶୀଘ୍ର ଓଡ଼ିଶା ଆବେଦନ କରିବ ବୋଲି ନିଷ୍ପତ୍ତି ହୋଇଛି।

ଏମ୍‌ଏସ୍‌ଏମ୍‌ଇ ସଚିବ ଏଲ୍‌ ଏନ୍‌ ଗୁପ୍ତା କହିଛନ୍ତି, “ଓଡ଼ିଶା ରସଗୋଲା ୮୦୦ ବର୍ଷର ପୁରୁଣା। ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡ଼ିତ ହୋଇ ରହିଥିବାରୁ ଚାରିଆଡ଼େ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ରସଗୋଲା ସମ୍ପର୍କରେ ସବୁ ତଥ୍ୟ ପ୍ରମାଣ ଯୋଗାଡ଼ କରାଯାଇ ଜିଆଇ ମାନ୍ୟତା ଲାଗି ଆବେଦନ କରାଯିବ।”

ପଶ୍ଚିମବଙ୍ଗର ବାଂଲା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଥିବା କୁହାଯାଉଛି। ଆଜିର ବୈଠକରେ ଉନ୍ନୟନ କମିଶନର, ଏମ୍‌ଏସ୍‌ଏମ୍‌ଇ, ବିଜ୍ଞାନ ଓ ପ୍ରଯୁକ୍ତି, ଆଇନ ସଚିବ ଉପସ୍ଥିତ ଥିଲେ।

ରସଗୋଲାର ଉତ୍ପତ୍ତିସ୍ଥଳକୁ ନେଇ ଗତ ଦୁଇ ବର୍ଷ ହେଲା ପଶ୍ଚିମବଙ୍ଗ-ଓଡ଼ିଶା ମଧ୍ୟରେ ଲଢ଼େଇ ଲାଗି ରହିଥିଲା। ବଙ୍ଗଳା ହେଉଛି ରସଗୋଲାର ଉତ୍ପତ୍ତିସ୍ଥଳ ବୋଲି ପଶ୍ଚିମବଙ୍ଗ ସରକାର ଯୁକ୍ତି ବାଢ଼ିଥିଲେ। ବଙ୍ଗଳାର ପ୍ରସିଦ୍ଧ ମିଠା ପ୍ରସ୍ତୁତକାରୀ ନବୀନ ଦାସ ୧୮୬୮ରେ ରସଗୋଲା ଆବିଷ୍କାର କରିଥିଲେ ବୋଲି ସେଠାକାର ସରକାର କହିଥିଲେ। ଏପଟେ ଓଡ଼ିଶା ସରକାର ମଧ୍ୟ ନିଜର ଦାବି ଉପସ୍ଥାପନ କରିଥିଲେ। ରସଗୋଲାର ଉତ୍ପତ୍ତି ୬୦୦ ବର୍ଷ ତଳର ବୋଲି ଓଡ଼ିଶା ସରକାର କହିଥିଲେ। ଫଳରେ ରସଗୋଲାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ପଶ୍ଚିମବଙ୍ଗ ସରକାର ଭାରତୀୟ ଭୌତିକ ସମ୍ପତ୍ତି କାର୍ଯ୍ୟାଳୟରେ ଆବେଦନ କରିଥିଲେ।

ରସଗୋଲା ଓଡ଼ିଶାର ଦର୍ଶାଇବା ପାଇଁ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବା ଲାଗି ଓଡ଼ିଶା ସରକାର ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ବ ଦେଇଥିଲେ। ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା। ବର୍ଷେ ହେଲା ଏହି କାମ ଚାଲିଥିଲେ ମଧ୍ୟ ସରକାର ଏଦିଗରେ ବିଶେଷ ଆଗେଇ ନଥିଲେ। ପରେ ଶିଳ୍ପ ବିଭାଗକୁ ଓଡ଼ିଶା ସରକାର ଏହି ଦାୟିତ୍ବ ଦେଇଥିଲେ।

 

 

Comment