ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନବକୃଷ୍ଣ ଚୌଧୁରୀ ସେଚ୍ ଉନ୍ନୟନ ଯୋଜନା ଉପରେ ମୋହର
  • ପ୍ରକଳ୍ପ ପାଇଁ ୬୩୫ କୋଟି ଟଙ୍କାର ବ୍ୟୟବରାଦ
  • ୧୪୦ଟି କଲେଜ ଏବଂ ୧୧ଟି ବିଶ୍ବବିଦ୍ୟାଳୟରେ ଖର୍ଚ୍ଚ ହେବ ୧୦୭୧ କୋଟି
  • ବ୍ରହ୍ମପୁରରେ ହେବ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ
  • ବନ୍ୟଜନ୍ତୁ ଆକ୍ରମଣରେ ପ୍ରାଣ ହରାଇଲେ ମିଳିବ ୪ ଲକ୍ଷ

ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ବସିଥିଲା କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ୧୧ଟି ପ୍ରସ୍ତାବ ଉପରେ ବାଜିଛି ମୋହର। କ୍ୟାବିନେଟରେ ଜଳସେଚନ, ଉଚ୍ଚଶିକ୍ଷା, ବନ୍ୟଜନ୍ତୁ ଆକ୍ରମଣ ଏବଂ ପୌର ପରିଷଦ ସଂରକ୍ଷଣ ନିୟମ ଉପରେ ହୋଇଥିଲା ଆଲୋଚନା।

କ୍ୟାବିନେଟରେ ଆଜି ଜଳସେଚନ ବ୍ୟବସ୍ଥା ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସମାଜସେବୀ ନବକୃଷ୍ଣ ଚୌଧୁରୀଙ୍କ ନାମରେ ଏକ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଛନ୍ତି ସରକାର। ନବକୃଷ୍ଣ ଚୌଧୁରୀ ସେଚ୍ ଉନ୍ନୟନ ଯୋଜନା ଉପରେ ମୋହର ମାରିଛି ରାଜ୍ୟ କ୍ୟବିନେଟ୍। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫୫ ହଜାର ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ମିଳିପାରିବ। ଏଥିପାଇଁ ୬୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୩ ବର୍ଷରେ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ କରାଯାଇଛି।

ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ବବ୍ୟାଙ୍କ ପାଣ୍ଠି ଖର୍ଚ୍ଚ ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିଛି। ୧୪୦ଟି କଲେଜ ଏବଂ ୧୧ଟି ବିଶ୍ବବିଦ୍ୟାଳୟରେ ୧୦୭୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବ୍ରହ୍ମପୁରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପ ପାଇଁ ୧୧୮.୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ବନ୍ୟପାଣୀ ସୁରକ୍ଷା ନିୟମ-୧୯୭୪ର ସଂଶୋଧନ କରାଯାଇଛି। ସଂଶୋଧନ ନିୟମ ଅନୁଯାୟୀ ବନ୍ୟଜନ୍ତୁ ଆକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଅଧିକ ଟଙ୍କା ମିଳିବ। ରାମଶିଆଳ, ହେଟାବାଘ ଭଳି ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ମିଳିବ। ପୂର୍ବରୁ ୩ ଲକ୍ଷ ଟଙ୍କା ଦିଆଯାଉଥିଲା। ଏହାସହ ମେଣ୍ଢ଼ା, ଛେଳି ପ୍ରାଣ ହରାଇଲେ ୨୦୦୦ ଟଙ୍କାର ସହାୟତା ମିଳିବ।

ପୌର ପରିଷଦ ଅଧିନିୟମକୁ ମଧ୍ୟ କ୍ୟାବିନେଟରେ କରାଯାଇଛି ସଂଶୋଧନ। ପ୍ରତି ନିର୍ବାଚନରେ ଓ୍ବାର୍ଡରେ ପ୍ରାର୍ଥୀ ସଂରକ୍ଷଣ ବ୍ୟବସ୍ଥା ବଦଳିବ। ଏହାଛଡ଼ା ୪୭୩ଟି ବିଦ୍ୟୁତ ଉପକେନ୍ଦ୍ର ଖୋଲିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

 

 

Comment