ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ-୨୦୧୬ ପାଇଁ ରାଜ୍ୟ ସରକାର ଆଜି ପୁରସ୍କାର ଘୋଷଣା କରିଛନ୍ତି। ସଙ୍ଗୀତ ଜଗତରେ ଜୀବନବ୍ୟାପୀ ସାଧନା ପାଇଁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ମିଳିବ ଜୟଦେବ ସମ୍ମାନ। ପ୍ରଥମଥର ପାଇଁ ଜଣେ କଣ୍ଠଶିଳ୍ପୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି।

  • ମୋହନ ସୁନ୍ଦର ଦେବ ଗୋସ୍ପାମୀ ସମ୍ମାନ  ପାଇବ ଫିଲ୍ମ ‘ଚିନି’
  • ‘ନାମାର୍ଦ୍ଦ’ ଚଳଚ୍ଚିତ୍ରର  ନିର୍ଦ୍ଦେଶକ ଅଜୟ ରଥ ପାଇବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର
  • ସମରେଶ ରାଉତରାୟଙ୍କୁ ଶ୍ରେଷ୍ଠ ଅଭିନେତା, ଲିପିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ
  • ‘ସିନ୍ଦୁର ବିନ୍ଦୁ’କୁ ମିଳିବ ଶ୍ରେଷ୍ଠ ଟେଲି ଧାରାବାହିକ ପୁରସ୍କାର

ସଙ୍ଗୀତ ଜଗତରେ ଜୀବନବ୍ୟାପୀ ସାଧନା ପାଇଁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ମିଳିବ ଜୟଦେବ ସମ୍ମାନ। ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ-୨୦୧୬ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ପ୍ରଥମଥର ପାଇଁ ଜଣେ କଣ୍ଠଶିଳ୍ପୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି। ସେହିପରି ମୋହନ ସୁନ୍ଦର ଦେବ ଗୋସ୍ପାମୀ ସମ୍ମାନ ପାଇଁ ନବଜୀବନ ଫିଲ୍ମସ ନିବେଦିତ ଚଳଚ୍ଚିତ୍ର “ଚିନି”କୁ ଜୁରୀ ମେମ୍ବରମାନେ ମନୋନୀତ କରିଛନ୍ତି। ସୋମବାର ପାନ୍ଥନିବାସରେ  ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ  ଏହି ସୂଚନା ଦେଇଛନ୍ତି  ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

‘ନାମାର୍ଦ୍ଦ’ ଚଳଚ୍ଚିତ୍ରର  ନିର୍ଦ୍ଦେଶକ ଅଜୟ ରଥ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେହିପରି ‘ନାମାର୍ଦ୍ଦ’ ଫିଲ୍ମରେ ଅଭିନୟ ପାଇଁ ସମରେଶ ରାଉତରାୟଙ୍କୁ ଶ୍ରେଷ୍ଠ ଅଭିନେତା, ‘ମିମାଂସା’ ଚଳଚ୍ଚିତ୍ର ପାଇଁ ସୁଶ୍ରୀ ସଙ୍ଗୀତା ମହାପାତ୍ର ଓରଫ (ଲିପି) ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପାଇବେ।

ଶ୍ରେଷ୍ଠ କାହାଣୀ ପାଇଁ ‘ନାମାର୍ଦ୍ଧ’ ଚଳଚ୍ଚିତ୍ରର ଦିଲ୍ଲୀପ କୁମାର ଚୌଧୁରୀ, ‘ତୁ କହିବୁ ନା ମୁଁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଗୁଡଲି ରଥ, ଅଗସ୍ତ୍ୟା ଚଳଚ୍ଚିତ୍ରର ଗୀତ ‘ଧୀରେ ଧୀରେ ଭଲ ପାଇଗଲି…’ର ଗୀତିକାର ସୁବ୍ରତ ସ୍ବାଇଁଙ୍କୁ ଶ୍ରେଷ୍ଠ ଗୀତିକାର, ‘ଲଭ୍ ୟୁ ଜେସିକା’ ଚଳଚ୍ଚିତ୍ରର ଶ୍ରେଷ୍ଠ ସମ୍ପାଦନା ପାଇଁ ସୁକୁମାର ମଣି ପ୍ରମୁଖ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି।

ଅନ୍ୟପକ୍ଷେ ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର, ଶ୍ରେଷ୍ଠ ପ୍ରାମଣିକ ଚଳଚ୍ଚିତ୍ର ମନୋନିତ ହୋଇନାହିଁ। ଓଡ଼ିଶାରେ ଆଦିବାସୀ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ର ପ୍ରତିଯୋଗିତାକୁ ଆସିନାହିଁ ବୋଲି ଜୁରୀ ସଦସ୍ୟମାନେ ସୂଚନା ଦେଇଛନ୍ତି।

୫ମ ରାଜ୍ୟ ଟେଲି ପୁରସ୍କାର

ସେହିପରି ୫ମ ରାଜ୍ୟ ଟେଲି ପୁରସ୍କାର-୨୦୧୬ ପାଇଁ ଶ୍ରେଷ୍ଠ ସିରିଏଲ, ଶ୍ରେଷ୍ଠ ଅଭିନେତା ପ୍ରମୁଖଙ୍କ ନାଁ ଘୋଷଣା କରାଯାଇଛି। ଧାରାବାହିକ ‘ସିନ୍ଦୁର ବିନ୍ଦୁ’କୁ ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ପୁରସ୍କୃତ କରାଯିବ। ତେବେ ଜୁରୀ ସଦସ୍ୟମାନେ ଟେଲି ସିରିଏଲ ପାଇଁ କୌଣସି ଶ୍ରେଷ୍ଠ ନିର୍ଦ୍ଦେଶକଙ୍କୁ ମନୋନିତ କରିନାହାନ୍ତି।

ଟେଲି  ପୁରସ୍କାର-୨୦୧୬ ପାଇଁ ଚୌଧୁରୀ ସତ୍ୟବ୍ରତ ଦାସଙ୍କୁ ଶ୍ରେଷ୍ଠ ଅଭିନେତା (ସିନ୍ଦୁର ବିନ୍ଦୁ), ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶ୍ବେତଲିନାଙ୍କୁ (ଏସିପି ନିକିତା), ଶ୍ରେଷ୍ଠ ଖଳନାୟକ ଭାବେ ରିଷି ପଟ୍ଟନାୟକ (କିଏ), ଶ୍ରେଷ୍ଠ ଖଳନାୟିକା ଭାବେ ଯାଜ୍ଞସେନୀ ମହାପାତ୍ର (ଏସିପି ନିକିତା), ଶ୍ରେଷ୍ଠ ସଂଳାପ ଲେଖକ ସତ୍ୟରଞ୍ଜନ ମିଶ୍ର (ଦେଖ୍ ଖବର ରଖ ନଜର) ଙ୍କୁ ଜୁରୀ ସଦସ୍ୟମାନେ ମନୋନିତ କରିଛନ୍ତି।

ବିପିନ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୁବାସ ଦାଶ, ଶୀର୍ଷାନନ୍ଦ ଦାସ କାନୁନଗୋ, ଶୈଳେଶ୍ବର ନନ୍ଦ, ସୂର୍ଯ୍ୟ ଦେଓ, ଦୋଳଗୋବିନ୍ଦ ରଥ, ଗୀତା ପଟ୍ଟନାୟକ ପ୍ରମୁଖ ଜୁରୀ କମିଟିରେ ରହି ଚଳଚ୍ଚିତ୍ରଗୁଡ଼ିକ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନିତ କରିଛନ୍ତି। ସେହିପରି ଓଡ଼ିଶା ଟେଲି ପୁରସ୍କାର ପାଇଁ ଜୁରୀ ମେମ୍ବର ଭାବେ ବରିଷ୍ଠ ସାମ୍ବାଦିକ ଓ ଚଳଚ୍ଚିତ୍ର ସମାଲୋଚକ ପ୍ରଦୋଷ ପଟ୍ଟନାୟକ, ଲାଲା ବୀରେନ୍ ପ୍ରସାଦ ରାୟ, ସୁସ୍ମିତା ବାଗ୍‌ଚି, ସ୍ନେହପ୍ରଭା ସାମନ୍ତରାୟ, ଗୀତା ଦାସ, ବୃନ୍ଦାବନ ଜେନା ରହିଥିଲେ।

ଚଳଚ୍ଚିତ୍ର ଜୁରୀ ଅଧ୍ୟକ୍ଷ ବିପିନ ବିହାରୀ ମିଶ୍ର କହିଛନ୍ତି ଯେ, “ପୁରସ୍କାର ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବିଚାରକମାନଙ୍କୁ କୌଣସି ବ୍ୟକ୍ତିବିଶେଷ ପ୍ରଭାବିତ କରିନାହାନ୍ତି। ଜୁରୀ ସଦସ୍ୟମାନେ ଫିଲ୍ମର ବିଭିନ୍ନ ଦିଗକୁ ବିଚାର କରି ପୁରସ୍କାର ଘୋଷଣା କରିଛନ୍ତି। ‘ଚିନି’ ଚଳଚ୍ଚିତ୍ରରେ ଆରମ୍ଭରୁ ଶେଷ ଯାଏଁ ବିଶେଷ ବାର୍ତ୍ତା ରହିଛି।

୧୯୫୮ ମସିହାରୁ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ତେଣୁ ପ୍ରଥମଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରରେ ରାଜ୍ୟ ସରକାର ଜଣେ କଣ୍ଠଶିଳ୍ପୀଙ୍କୁ ଜୟଦେବ ପୁରସ୍କାର ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି।”

ଟେଲି ପୁରସ୍କାରର ଜୁରୀ ସଦସ୍ୟ ପ୍ରଦୋଷ ପଟ୍ଟନାୟକ କହିଛନ୍ତି ଯେ, “ଓଡ଼ିଆ ସିରିଏଲ୍ ତାର ମୌଳିକତା ହଜାଇ ବସିଛି। ଓଡ଼ିଆ ଘରର କାହାଣୀ, ପରମ୍ପରା ଆଉ ଧାରାବାହିକରେ ସ୍ଥାନିତ କରାଯାଉନାହିଁ। ନିର୍ଦ୍ଦେଶକମାନେ ଅନ୍ୟ ଭାଷାର କାହାଣୀକୁ ଆଣି ଓଡ଼ିଆ ଭାଷାରେ ଅନୁବାଦିତ କରି ଦର୍ଶକମାନଙ୍କୁ ଦେଖାଉଛନ୍ତି। ଫଳରେ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ କାହାଣୀ ୨୦୧୬ ବର୍ଷ ପାଇଁ ମନୋନିତ ହୋଇପାରି ନାହିଁ।”

ଓଡ଼ିଆ ଭାଷାରେ ଉନ୍ନତ ଓ ମୂଲ୍ୟବୋଧଭିତ୍ତିକ ବିଷୟବସ୍ତୁ ଉପରେ ଆଧାରିତ ହେଉଥିବା ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ରଗୁଡ଼ିକୁ ଅଧିକ ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରି ଆସୁଛନ୍ତି। ମୋଟ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ୨୭ଟି ବିଭାଗ ପାଇଁ ଏହା ମନୋନିତ କରାଯାଇଥାଏ। ଏଥିପାଇଁ ରାଜ୍ୟ ସରକାର ଚଳିତବର୍ଷ ମୋଟ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ। ‘ଶ୍ରୀ ଜୟଦେବ ସମ୍ମାନ’ ପାଇଁ ୧ଲକ୍ଷ ଟଙ୍କା ଓ ‘ମୋହନ ସୁନ୍ଦର ଦେବ ଗୋସ୍ପାମୀ ସମ୍ମାନ’ ପାଇଁ ୫୦ହଜାର ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଉପଢ଼ୌକନ ପ୍ରଦାନ କରାଯାଇଥାଏ।

Comment