ଡକ୍ଟର ହରପ୍ରସନ୍ନ ଦାସ

ସୁଖ, ଶାନ୍ତି ସଫଳ ଜୀବନର ଚାବିକାଠି ହେଉଛିଭଲପାଇବା ଆମେ ସମସ୍ତେ ଭଲପାଇବା ଶବ୍ଦଟି ସହିତ ସୁପରିଚିତ କିନ୍ତୁ ଆମେ ଏହାର ସଦବ୍ୟବହାର ପରିବର୍ତ୍ତେ କୁବ୍ୟବହାର କରିଥାଉ ଭଲପାଇବା ଶବ୍ଦଟି ଏତେ କଳୁଷିତ ହୋଇଯାଇଛି ଯେ ଏହାର ଓଜନ ବି କମିଯାଇଛି

କିଛିଦିନ ତଳେ ମୁଁ ଆତ୍ମବିକାଶ ସମ୍ପର୍କୀୟ ଏକ କର୍ମଶାଳାରେ ଭାଗ ନେବାପାଇଁ ପୁରୀ ଯାଇଥିଲି। କର୍ମଶାଳା ସରିଲା ପରେ ମୁଁ ଭୁବନେଶ୍ୱର ଫେରି ଆସିବା ପୂର୍ବରୁ ସମୁଦ୍ରକୂଳରେ ବସିଥିଲି। ସେହି ସମୟରେ ଯୁବକଟିଏ ଆସି ମୋ ପାଖରେ ବାଲିରେ ବସିପଡ଼ିଲେ।

ହସି ହସି କହିଲେ- ‘ସାର୍ ଆପଣଙ୍କ ବକ୍ତବ୍ୟଟି ଅତି ଜୀବନ୍ତ ଥିଲା। ଜୀବନର ପ୍ରକୃତ ଅନୁଭୂତିକୁ ଆପଣ ପ୍ରକାଶ କରିଥିଲେ ଯାହା ହୃଦୟକୁ ଛୁଇଁ ଯାଇଥିଲା’। ମୁଁ ହସିଦେଇ କହିଲି- ‘ସବୁ ପ୍ରଭୁକୃପା, ଯାହା ଅନୁଭୂତି ଜୀବନର ଅଙ୍ଗେନିଭା କଥାରୁ ପାଇଛି ତାହାହିଁ ଆପଣମାନଙ୍କୁ କହିଥିଲି’।

ଯୁବକଟି ଗମ୍ଭୀର ହୋଇ କହିଲା- ‘ସାର୍, ଗୋଟିଏ ଛୋଟ ପ୍ରଶ୍ନ ପଚାରିପାରିବି?’ ମୁଁ ହସି ହସି ଉତ୍ତର ଦେଲି- ‘ଛୋଟ କାହିଁକି, ବଡ଼ ପ୍ରଶ୍ନଟିଏ ବି ପଚାରିପାରିବେ’। ଯୁବକଟି ପଚାରିଲା- ‘ଏହି ସଂଘର୍ଷମୟ ଜୀବନରେ କ’ଣ କଲେ ଜଣେ ସୁଖ, ଶାନ୍ତି ଓ ସଫଳ ଜୀବନଯାପନ କରିପାରିବ? ମତେ ଟିକେ ସଠିକ୍ ଉପାୟଟି କୁହନ୍ତୁ।

ପ୍ରଶ୍ନଟି ଖୁବ୍ ଛୋଟ ହେଲେବି ବଡ଼ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାର ଉତ୍ତର ଧର୍ମଶାସ୍ତ୍ର, ଜୀବନ ସମ୍ପର୍କୀୟ ପୁସ୍ତକ, ମହାପୁରୁଷଙ୍କ ବାଣୀ ଓ ପତ୍ରପତ୍ରିକାରେ ଆଲୋଚନା କରାଯାଇଛି। କିନ୍ତୁ ଆମେ ସବୁ ବୁଝି ବି ଅବୁଝା ସବୁ ଜାଣି ବି ଅଜଣା। କାରଣ ଜାଣିବା ଓ ବୁଝିବା ଭିତରେ ଅନେକ ପାର୍ଥକ୍ୟ। ସେପରି ବୁଝିବା ଓ କାମରେ କରି ଦେଖାଇବା ଦୁଇଟା ଅଲଗା କଥା।

ଯୁବକଟିର ପ୍ରଶ୍ନର ଉତ୍ତର ମୁଁ କେଉଁ ପ୍ରକାରରେ ଦେବି ସେକଥା ଭାବି ଟିକିଏ ନୀରବ ରହିଲି। ଯୁବକଟି କ’ଣ ଭାବିଲା କେଜାଣି ଅତି ନମ୍ରତାର ସହିତ କହିଲା- ‘କ୍ଷମା କରିବେ ସାର୍, ମୁଁ ବୋଧେ ଆପଣଙ୍କୁ ବିରକ୍ତ କଲି। ସମୁଦ୍ର କୂଳରେ ଏକୁଟିଆ ବସି ନିଶ୍ଚିତ ଭାବରେ ଆପଣ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଥିବେ। ଠିକ୍ ଅଛି ମୁଁ ଆଉକେବେ ଆପଣଙ୍କ ସହିତ ଫୋନରେ କଥାହୋଇ ବୁଝିନେବି’।

ଏତିକି କହି ଯୁବକଟି ଯିବାପାଇଁ ଉଠି ଛିଡ଼ା ହେଲେ। ମୁଁ ହସିଦେଇ କହିଲି- ‘ବସ! କିଛି ସମୟ ପରେ ମୁଁ ତୁମ ପ୍ରଶ୍ନର ସଠିକ୍ ଉତ୍ତର ଦେବି’। ଯୁବକଟି ପୁଣିଥରେ ମୋ ପାଖରେ ବାଲି ଉପରେ ବସିପଡ଼ିଲେ ଏବଂ ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଆରମ୍ଭ କଲି।

ସୁଖ, ଶାନ୍ତି ଓ ସଫଳ ଜୀବନର ଚାବିକାଠି ହେଉଛି ‘ଭଲପାଇବା’। ଆମେ ସମସ୍ତେ ଭଲପାଇବା ଶବ୍ଦଟି ସହିତ ସୁପରିଚିତ। କିନ୍ତୁ ଆମେ ଏହାର ସଦବ୍ୟବହାର ପରିବର୍ତ୍ତେ କୁବ୍ୟବହାର କରିଥାଉ। ଭଲପାଇବା ଶବ୍ଦଟି ଏତେ କଳୁଷିତ ହୋଇଯାଇଛି ଯେ ଏହାର ଓଜନ ବି କମିଯାଇଛି। ଅର୍ଥାତ୍ ଏହାର ଗୁରୁତ୍ୱଟା ଆମ୍ଭେମାନେ କେହି ସଠିକ୍ ଭାବରେ ଅନୁଭବ କରିପାରୁନୁ। ନିଃସ୍ୱାର୍ଥପର ଭାବରେ ଏକ ତ୍ୟାଗମୂଳକ ମନୋଭାବ ନେଇପାରିବା ଅପେକ୍ଷା ଦେବାରେ ଯେଉଁ ଆନନ୍ଦ ଥାଏ, ତାହାହିଁ ହେଉଛି ପ୍ରକୃତ ଭଲପାଇବାର ମୂଲ୍ୟବୋଧ। ଜୀବନରେ ଯଦି ତିନୋଟି ଜିନିଷକୁ ଆମେ ଭଲ ପାଇପାରିବା ତେବେ ଆମର ଜୀବନ ସୁଖମୟ, ଶାନ୍ତିମୟ ଓ ସଫଳ ହୋଇପାରିବ।

ପ୍ରଥମଟି ହେଲା- ନିଜକୁ ଭଲପାଇବା। ଯିଏ ପ୍ରକୃତରେ ନିଜକୁ ଭଲପାଇବ, ସେ ନିଜର ସମୟ, ପ୍ରତିଭା ଓ ଶକ୍ତିକୁ ନଷ୍ଟ କରିବ ନାହିଁ । ଏକଥା ସତ ଯେ ସମୟଟା ଅତି ମୂଲ୍ୟବାନ୍ ଜାଣିବି ଆମେ ସମୟର ଅପବ୍ୟବହାର କରିଥାଉ। ଯେପରିକି ମୋବାଇଲରେ ଅଯଥା କଥା ଆଲୋଚନା କରି, ପରଚର୍ଚ୍ଚା ଓ ପରନିନ୍ଦାରେ ଭାଗନେଇ ଇତ୍ୟାଦି। ସେହିପରି ନିଜର ଅନ୍ତର୍ନିହିତ ପ୍ରତିଭାଗୁଡ଼ିକର ସଠିକ୍ ବ୍ୟବହାର ନକରି ନକରାତ୍ମକ ମନୋବୃତ୍ତିରେ ନିଜ ବୁଦ୍ଧିର ଅପବ୍ୟବହାର କରିଥାଉ। ଏହାଦ୍ୱାରା ପ୍ରଥମେ ନିଜର ହିଁ କ୍ଷତି ହୋଇଥାଏ। ସେହିପରି ଆମର ଶାରୀରିକ, ମାନସିକ ଏବଂ ଆତ୍ମିକ ଶକ୍ତିର ସଠିକ୍ ବ୍ୟବହାର ହୋଇପାରିନଥାଏ। ଯିଏ ନିଜକୁ ପ୍ରକୃତରେ ଭଲପାଇପାରିବ, ସିଏ ନିଜକୁ ସବୁବେଳେ ସଜାଡ଼ିବା ପାଇଁ ନିଜକୁ ନିଜେ ଅବାଟରୁ ବାଟକୁ ଟାଣି ଆଣିବ। ତେଣୁ ଆସ ଆମେ ନିଜକୁ ଭଲପାଇବାକୁ ଶିଖିବା।

ଦ୍ୱିତୀୟଟି ହେଲା କାମକୁ ଭଲପାଇବା। କର୍ମ ହିଁ ଭଗବାନ୍। କର୍ମ ହିଁ ଆମର ପରିଚୟ। କର୍ମରୁ ଆମେ ଶିଖିବା ଏବଂ କର୍ମରେ ହିଁ ଆମେ ଆନନ୍ଦ ପାଇବା। ଆମର କର୍ମଦ୍ୱାରା ହିଁ ଆମେ ଆମର ପରିଚୟ ସୃଷ୍ଟି କରିଥାଉ। ଅନ୍ୟମାନେ ଆମକୁ ଚିହ୍ନନ୍ତି ଏବଂ ସମ୍ମାନ ଦିଅନ୍ତି। କେବଳ ଆମର କର୍ମ ଅନୁସାରେ ଆମେ ଜୀବନରେ ସଫଳତା ପାଇଥାଉ। ଏହି କର୍ମ ଜରିଆରେ କର୍ମମୟ ଜୀବନଟା ଆନନ୍ଦମୟ ଓ ସୁଖମୟ। ବିନା କାମରେ କେହି ପ୍ରଶଂସା ପାଇନାହିଁ କିନ୍ତୁ ଆମେ କାମରେ ଅବହେଳା କରୁ। ଆଜି କାମ କାଲିକି ରଖୁ। ଏପରିକି କାମରେ ଠକିବାକୁ ବି ପଛାଉନାହିଁ। କର୍ମରେ ବି କୁକର୍ମ ଓ ସୁକର୍ମ ରହିଛି। କୌଣସି କାମ ଛୋଟ ଅବା ବଡ଼ ନୁହେଁ। ଜୀବନରେ କର୍ମ ହିଁ ଶ୍ରେଷ୍ଠ ଏଣୁ କର୍ମକୁ ଭଲପାଇବା ନିହାତି ଜରୁରୀ।

ତୃତୀୟଟି ହେଲା, ଲୋକମାନଙ୍କୁ ଭଲପାଇବା। ଆମେ ଯେପରି ଜୀବନରେ ସୁଖ, ଶାନ୍ତି ଓ ସଫଳତା ଚାହୁଁଛୁ ସେପରି ଅନ୍ୟମାନେ ବି ଚାହାନ୍ତି। ଏହାହିଁ ଚିରନ୍ତନ ସତ୍ୟ। ଏଣୁ ଆମେ ନିଜକୁ ଯେପରି ଭଲପାଉଛେ ସେପରି ଅନ୍ୟମାନଙ୍କୁ ବି ଭଲପାଇବା ଦରକାର। ‘ସର୍ବେ ଭବନ୍ତୁ ସୁଖିନଃ’ ବୋଲି ଆମେ କହୁ। କିନ୍ତୁ କାମରେ ଠିକ୍ ତା’ର ବିପରୀତ କରୁ। ନିଜର ସ୍ୱାର୍ଥ ପାଇଁ ଅନ୍ୟର କ୍ଷତି କରୁ। ନିଜେ ଆଗକୁ ଯିବା ପାଇଁ ଅନ୍ୟକୁ ପଛରୁ ଟାଣିଧରୁ। ପ୍ରତ୍ୟେକ ସମ୍ପର୍କରେ ଆମେ କେବଳ ନିଜ ନିଜର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଲାଭ କ୍ଷତିର ହିସାବ କରିଥାଉ। ତେଣୁ ସମ୍ପର୍କ ଦୁଷିତ ହୋଇଥାଏ। ପର-ଆପଣାର ଭାବ ଆମକୁ ସୁଖ ଶାନ୍ତିଠାରୁ ଦୂରେଇ ନିଏ। ଏଣୁ ଆମେ ଆମର ଚାରିପଟେ ଥିବା ପ୍ରତ୍ୟେକ ଲୋକଙ୍କୁ ନିଜର ପରି ଭଲପାଇବା।

ଏତିକି କହିସାରି ମୁଁ ବୁଲିପଡ଼ି ଯୁବକଙ୍କୁ ଦେଖିଲି। ଯୁବକଜଣକ ମୋ କଥା ଶୁଣି ସ୍ଥାଣୁ ପାଲଟି ଯାଇଥିଲେ। ଆଖିରେ ଦୁଇଧାର ଲୁହ ସହିତ ସମୁଦ୍ର ଆଡ଼କୁ ଏକା ଲୟରେ ସେ ଅନାଇଥିଲେ ମୁହଁରେ ଶାନ୍ତ ଓ ଗମ୍ଭୀର ଭାବ। ସତେ ଯେପରି ପଥର ମୂର୍ତ୍ତିଟିଏ  ମନେ ହେଉଥିଲା ବିଶାଳ ସମୁଦ୍ର ମଧ୍ୟରେ ସିଏ ହଜିଯାଇଛନ୍ତି। ବେଶ୍ ହୃଦୟସ୍ପର୍ଶୀ ଥିଲା ସେ ଦୃଶ୍ୟ।

ମୁଁ ଯୁବକଙ୍କ ପିଠିରେ ହାତରଖି ପଚାରିଲି- ଆପଣଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପାଇଲେ ତ? ଯୁବକ ଜଣକ ସଚେତନ ହେଲେ ମୋ ହାତ ଦୁଇଟିକୁ ଧରିପକାଇ କହିଲେ- ‘ମୋ ଛୋଟ ପ୍ରଶ୍ନର ଉତ୍ତରଟି ଏହି ସମୁଦ୍ର ପରି ବିଶାଳ ଥିଲା। ମନେ ମନେ ସେହିକଥା ଭାବୁଛି ଯେ ସତରେ ମୁଁ କ’ଣ ମୋ ନିଜକୁ, ମୋର କାମକୁ ଓ ଲୋକମାନଙ୍କୁ ଭଲପାଇବା ପରି ଭଲପାଇପାରିବି?’

Comment