ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେଡିକୁ ଲାଗିଛି ଶକ୍ତ ଝଟକା। ବ୍ଲକ ସଭାପତି ରାଧାଶ୍ୟାମ ମହାପାତ୍ର ଦେଇଛନ୍ତି ଇସ୍ତଫା।

ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ଶକ୍ତ ଝଟ୍‌କା। ବ୍ଲକ ସଭାପତି ରାଧାଶ୍ୟାମ ମହାପାତ୍ର ଦେଇଛନ୍ତି ଇସ୍ତଫା। ଫଳରେ ବିଜେପୁର ବିଜେଡିରେ ଅସନ୍ତୋଷ ରହିଥିବା ଲୋକଲୋଚନକୁ ଆସିଛି। ବିଜେପୁର ଉପ-ନିର୍ବାଚନରେ ବିଜୟୀ ହେବା ପାଇଁ ଶାସକ ବିଜେଡି ରଣନୀତି ପ୍ରସ୍ତୁତିରେ ଆଗୁଆ ରହିଥିବା ବେଳେ ରାଧାଶ୍ୟମ ଦଳ ଛାଡ଼ିବା ପ୍ରସଙ୍ଗ ଏବେ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି।

ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବା ବେଳେ ବରଗଡ଼ ବିଜେଡିରେ ଅସନ୍ତୋଷ ରହିଥିବା ଜଣାପଡ଼ିଥିଲା। ତତ୍କାଳୀନ ବିଜେଡି ନେତା ଅଶୋକ ପାଣିଗ୍ରାହୀ ଏବଂ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରଭାତ ଆଦିତ୍ୟ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଅସନ୍ତୋଷ ଜାହିର୍ କରି ଅଶୋକ ବିଜୁ ପରିବାର ସହ ସମ୍ପର୍କ ଛିନ୍ନ କରିଥିବା କହିଥିଲେ। ଏହାପରେ ଅଶୋକ ମିଶିଥିଲେ ବିଜେପିରେ।

ହେଲେ ଅନ୍ୟତମ ଅସନ୍ତୁଷ୍ଟ ନେତା ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ବୁଝାଇବା ପାଇଁ ବିଜେଡି ଆରମ୍ଭ କରିଥିଲା କସରତ। ଏଥିପାଇଁ ନବୀନ ନିବାସରେ ବସିଥିଲା ବୈଠକ। ବରଗଡ଼ ଜିଲ୍ଲାର ନେତା, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରଭାତଙ୍କ ମାନ ଭଞ୍ଜନ କରାଯାଇଥିଲା। ବିଜେଡି ପ୍ରାର୍ଥୀ ରିତା ସାହୁଙ୍କୁ ସେ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।

ଏହାକୁ ନେଇ ବିଜେଡି ବିଜେପୁରରେ ରଣନୀତି ସୁଦୃଢ଼ କରିଥିଲା। ହେଲେ ଉପ-ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳରେ ଅସନ୍ତୋଷ ରହିଥିବା ପୁଣି ପଦାକୁ ଆସିଛି। ବ୍ଲକ ସଭାପତି ପଦରୁ ରାଧାଶ୍ୟାମ ଇସ୍ତଫା ଦେଇ ବିଜେଡି ପାଇଁ ଚାଲେଞ୍ଜ ସୃଷ୍ଟି କରିଛନ୍ତି।

ରାଧାଶ୍ୟାମ କହିଛନ୍ତି, “ବିଜେଡିରେ ନୀତି ଆଦର୍ଶ କିଛି ନାହିଁ। ମୂଳ କର୍ମୀଙ୍କୁ ଅଣଦେଖା କରାଯାଉଛି। ଅନ୍ୟ ଦଳରୁ ଆସୁଥିବା ଲୋକଙ୍କ ପତିଆରା ବଢ଼ୁଛି। ଏଥିରେ ଅତିଷ୍ଠ ହୋଇ ମୁଁ ଇସ୍ତଫା ଦେଇଛି।”

ନିକଟରେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ଦଳ ଛାଡ଼ିଛନ୍ତି। ବିଜେପିରେ ପରିମଶ୍ରମର ମୂଲ୍ୟ କିଛି ନାହିଁ ଅଭିଯୋଗ ଆଣି ନାରାୟଣ ବିଜେଡି ମୁହାଁ ହୋଇଛନ୍ତି। ନାରାୟଣ ଦଳ ଛାଡ଼ିବା ପରେ ବିଜେପିକୁ ଝଟକା ଲାଗିଥିବା ବେଳେ ଶନିବାର ରାଧାଶ୍ୟାମ ବିଜେଡି ଛାଡ଼ି ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।

ରିତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ବେଳେ ଏହାକୁ ଗ୍ରହଣ କରିପାରି ନଥିଲେ ରାଧାଶ୍ୟାମ। ହେଲେ ସେତେବେଳେ ମୁହଁ ନଖୋଲିବା ଦଳୀୟ ନେତା ଚାପ ପ୍ରୟୋଗ କରିଥିଲେ। ଆଉ ରାଧାଶ୍ୟାମ ମୁହଁ ବନ୍ଦ ରଖିଥିଲେ। ଶେଷରେ ଆଜି ସେ ମୁହଁ ଖୋଲି ତାଙ୍କ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଶ୍ରୀ ମହାପାତ୍ର ଲାଉମୁଣ୍ଡା ପଞ୍ଚାୟତର ସରପଞ୍ଚ ଅଛନ୍ତି।

Comment