ଓଡ଼ିଶାଲାଇଭ୍‍ ବ୍ୟୁରୋ

“ମୁଁ ମୋ ଚିତ୍ରରେ ଏଭଳି ଚରିତ୍ରକୁ ଆଣିଥାଏ ଯେଉଁଥିରେ ଅର୍ଥ ଥିବ, ତାହା ପ୍ରାସଙ୍ଗିକ ହୋଇଥିବ ଓ ପ୍ରତିଟି ଚରିତ୍ର ଯେପରି ସକାରାତ୍ମକ ହୋଇଥିବ। ଯେଉଁ ଚରିତ୍ର ମନସ୍ତାତ୍ୱିକ ଓ ସାମାଜିକ ଯନ୍ତ୍ରଣାକୁ ସମ୍ମୁଖୀନ କରିପାରୁଥିବେ ସେହିଭଳି ଚରିତ୍ର ସହିତ ମୋତେ ଖେଳିବାକୁ ଭଲ ଲାଗେ”, କହନ୍ତି ମନମୋହନ।

ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଥାଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ପରିଚିତ ମନମୋହନ ମହାପାତ୍ରଙ୍କୁ ବିଶେଷ ଭାବେ ନ୍ୟୁ ୱେଭ୍ ଓଡ଼ିଆ ସିନେମାର ଜନକ ବୋଲି କୁହାଯାଏ। ନିକଟରେ ଉତ୍କଳ ସଂସ୍କୃତି ବିଶ୍ଵ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ମନମୋହନ ୧୯୫୧ରେ ଖୋର୍ଦ୍ଧା ନିକଟରେ ଜନ୍ମ ହୋଇଥିଲେ।

ପୁନେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆରେ ନିର୍ଦ୍ଦେଶନାରେ ଡିଗ୍ରୀ ହାସଲ କରିଥିବା ମନମୋହନ ତାଙ୍କର ଅଧିକାଂଶ ଚଳଚିତ୍ରର ନିଜେ ନିର୍ଦ୍ଦେଶକ, ପ୍ରଯୋଜକ ଓ ଲେଖକ ମଧ୍ୟ। ମନମୋହନ ୧୯୭୫ ମସିହାରେ ‘ଆଣ୍ଟି-ମେମୋରିଜ୍ ନାମକ କ୍ଷୁଦ୍ର ଚଳଚିତ୍ରଟିଏ ନିର୍ମାଣ କରନ୍ତି। ତା’ ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି।

୧୯୮୧ରେ ସେ ନିର୍ମାଣ କରିଥିଲେ ‘ଶୀତ ରାତି’। ଏହି ଚଳଚ୍ଚିତ୍ର ତାଙ୍କୁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣି ଦେଇଥିଲା। ଖାଲି ସେତିକି ନୁହେଁ ଏହା ଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯାହାକି ଆନ୍ତର୍ଜାତିକ ଚଳଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା। ଓଡ଼ିଆ କଥାଚିତ୍ର ବ୍ୟତୀତ ସେ ବହୁ ବୃତ୍ତଚିତ୍ର, କ୍ଷୁଦ୍ର ଚଳଚିତ୍ର ଓ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଭଲ ସିନେମା ଓ ମାନବତାବାଦି ଚଳଚ୍ଚିତ୍ର ନିର୍ମାଣରେ ମନମୋହନ ସିଦ୍ଧହସ୍ତ।

ବିଗତ ତିରିଶ ବର୍ଷ ଧରି ଓଡ଼ିଆ ସିନେମା ଯେଉଁ ଭଳି ଉପଭୋକ୍ତାବାଦ ଓ ବ୍ୟବସାୟକରଣର ସମ୍ମୁଖୀନ ହୋଇଆସିଛି, ମନମୋହନ ସେଥିରୁ ନିଜକୁ ବଞ୍ଚାଇ ରଖିଛନ୍ତି। ଗୋଟିଏ ସମୟରେ ଯେତେବେଳେ ଓଡ଼ିଶାରେ ଚିତ୍ର ନିର୍ମାଣ କାଠିକର ପାଠ ଥିଲା ଓ ଅର୍ଥ ଏକ ବଡ଼ ପ୍ରତି ବନ୍ଧକ ଥିଲା, ସେ ସମୟରୁ ହିଁ ମନମୋହନ ମହାପାତ୍ର ସମାନ୍ତରାଳ ଚଳଚିତ୍ର ନିର୍ମାଣ କରିବା ସହିତ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମନମୋହନ ମୋଟ ୧୧ଟି ଫିଚର ଫିଲ୍ମ ନିର୍ମାଣ କରିଛନ୍ତି। ଏଗୁଡ଼ିକ ହେଲା ଶୀତ ରାତି, ନୀରବ ଝଡ, କ୍ଲାନ୍ତ ଅପରାହ୍ନ, ତ୍ରିସନ୍ଧ୍ୟା, କୁହୁଡ଼ି, ସବୁ ମାୟାରେ ବାୟା, ମଝି ପାହାଚ, ନିଶିଥ ସ୍ୱପ୍ନ, କିଛି ସ୍ମୃତି କିଛି ଅନୁଭୁତି, ତଥାପି, ଅନ୍ଧ ଦିଗନ୍ତ, ଅଗ୍ନି ବୀଣା, ଭିନ୍ନ ସମୟ ଓ ମୁହୂର୍ତ୍ତ। ପ୍ରାୟ ଏହି ସବୁ ଚଳଚିତ୍ର ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

୧୯୯୬ରେ ସେ ଏକ ହିନ୍ଦୀ ସିନେମା ତିଆରି କରିଥିଲେ। ‘ବିଟ୍ସ ଆଣ୍ଡ ପିସେସ୍’। ନନ୍ଦିତା ଦାସ, ରାହୁଲ ବୋଷ ଓ ଦିଆ ମିର୍ଜା ଏଥିରେ ଅଭିନୟ କରିଥିଲେ। ମନମୋହନଙ୍କ ଅଧିକାଂଶ ଚଳଚିତ୍ର ସହର-କୈନ୍ଦ୍ରିକ। କିଛି ଚଳଚିତ୍ର ସହରର ପ୍ରଦୂଷଣକୁ ନେଇ ନିର୍ମିତ ହୋଇଛି ତ ଆଉ କିଛି ସହରୀ ସଭ୍ୟତାର ମନ୍ଦ ଦିଗଗୁଡିକୁ ଦେଖାଇଛି – ଲୋଭ, ସ୍ୱାର୍ଥପରତା, ଠକାମୀ ଓ ବିଳାସ। ଯେତେବେଳେ ଚରିତ୍ର ଗୁଡ଼ିକ ଗାଁ ଛାଡ଼ି ସହରକୁ ଆସିଛନ୍ତି, ସହରି ବାତାବରଣ ଭିତରେ ଅଣନିଶ୍ୱାସୀ ହୋଇ ପଡିଛନ୍ତି।

ମନମୋହନ କହନ୍ତି,“ମୁଁ ମୋ ଚିତ୍ରରେ ଏଭଳି ଚରିତ୍ରକୁ ଆଣିଥାଏ ଯେଉଁଥିରେ ଅର୍ଥ ଥିବ, ତାହା ପ୍ରାସଙ୍ଗିକ ହୋଇଥିବ ଓ ପ୍ରତିଟି ଚରିତ୍ର ଯେପରି ସକାରାତ୍ମକ ହୋଇଥିବ। ଯେଉଁ ଚରିତ୍ର ମନସ୍ତାତ୍ୱିକ ଓ ସାମାଜିକ ଯନ୍ତ୍ରଣାକୁ ସମ୍ମୁଖୀନ କରିପାରୁଥିବେ ସେହିଭଳି ଚରିତ୍ର ସହିତ ମୋତେ ଖେଳିବାକୁ ଭଲ ଲାଗେ।”

Comment