ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି ରାହୁଲ ଗାନ୍ଧି। ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନଥିବା ବେଳେ ଲୋକସଭାରେ ବି ଦଳର ସ୍ଥିତି ବିଗିଡ଼ି ଯାଇଛି। କଂଗ୍ରେସକୁ ପୁଣି କ୍ଷମତାକୁ ଆଣିବା ପାଇଁ ହେଲେ ରାହୁଲଙ୍କୁ ବିଭିନ୍ନ ଚାଲେଞ୍ଜର ମୁକାବିଲା କରିବାକୁ ପଡ଼ିବ।

କଂଗ୍ରେସର ମଙ୍ଗ ଧରିଛନ୍ତି ରାହୁଲ ଗାନ୍ଧି। ସୋନିଆ ଗାନ୍ଧିଙ୍କ ପରେ ରାହୁଲ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ। ଏହାକୁ ନେଇ ନୂଆଦିଲ୍ଲୀରୁ ଆରମ୍ଭ କରି ବିଭିନ୍ନ ପ୍ରଦେଶରେ ଲାଗି ରହିଛି ଉତ୍ସବର ମାହୋଲ୍।

ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ଆହୁରି ମଜବୁତ ହେବ ବୋଲି କଂଗ୍ରେସ କର୍ମୀମାନେ ଆଶା ରଖିଛନ୍ତି। ହେଲେ ନୂଆ ସଭାପତି ରାହୁଲଙ୍କ ଆଗରେ ୫ଟି ଚାଲେଞ୍ଜ ରହିଥିବା ରାଜନୀତି ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। ଏହି ଚାଲେଞ୍ଜକୁ କିପରି ରାହୁଲ ମୁକାବିଲା କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି।

୧୨ଟି ରାଜ୍ୟର ବିଧାନସଭା ନିର୍ବାଚନ

୨୦୧୯ ନିର୍ବାଚନ ପୂର୍ବରୁ ୧୨ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏସବୁ ରାଜ୍ୟର ନିର୍ବାଚନ ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ଲଢ଼ିବ। ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କୁ ଏକାଠି କରି ରାହୁଲ କେମିତି ଏହି ନିର୍ବାଚନ ଲଢ଼ିବେ ତାହା ତାଙ୍କ ପାଇଁ ବଡ଼ ଚାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି।

୨୦୧୯ ସାଧାରଣ ନିର୍ବାଚନ

ରାହୁଲଙ୍କ ପାଇଁ ବଡ଼ ଚାଲେଞ୍ଜ ହେଉଛି ୨୦୧୯ ସାଧାରଣ ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସ କିପରି ଭଲ କରିବ ସେଥିପ୍ରତି ରାହୁଲଙ୍କୁ ଏବେଠାରୁ ଗୁରୁତ୍ବ ଦେବାକୁ ପଡ଼ିବ।

୨୦୧୪ ନିର୍ବାଚନରେ ରାହୁଲ କଂଗ୍ରେସର ପ୍ରଚାର ମଙ୍ଗ ଧରିଥିଲେ। ହେଲେ କଂଗ୍ରେସ ଭଲ ପ୍ରଦର୍ଶନ କରିପାରି ନଥିଲା। ପରିସ୍ଥିତି ଏପରି ହୋଇଥିଲା କି ଲୋକସଭାରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ମଧ୍ୟ ପାଇ ନଥିଲା। ଏଣୁ ୨୦୧୪ ତୁଳନାରେ ୨୦୧୯ରେ କଂଗ୍ରେସ କେମିତି ଭଲ କରିବ ତାହା ହିଁ ରାହୁଲଙ୍କ ପାଇଁ ଚାଲେଞ୍ଜ।

ପ୍ରଦେଶ କଂଗ୍ରେସକୁ ମଜବୁତ କରିବା

କଂଗ୍ରେସ ବିଭିନ୍ନ ପ୍ରଦେଶରେ ଭଲ ସ୍ଥିତିରେ ନାହିଁ। ସବୁଠି ନେତା ନେତାଙ୍କ ଭିତରେ କନ୍ଦଳ ଚାଲିଛି। ଏସବୁକୁ ରାହୁଲ ମଧ୍ୟ ଧ୍ୟାନ ଦେବା ଦରକାର। ବିଭିନ୍ନ ପ୍ରଦେଶରେ ରାହୁଲ ନୂଆ ଟିମ୍‌ ଗଠନ କରିବାକୁ ଚାହୁଁଥିଲେ। ହେଲେ କିଛି ନେତାଙ୍କ ବିରୋଧ ଯୋଗୁ ରାହୁଲ ତାହା କରିପାରୁ ନଥିଲେ। ଏବେ ରାହୁଲ ଅଧ୍ୟକ୍ଷ ହେବା ପରେ ବିଭିନ୍ନ ପ୍ରଦେଶରେ ସଙ୍ଗଠନ ମଜବୁତ ଉପରେ ଫୋକସ୍‌ ଦେବେ ବୋଲି ଆଲୋଚନା ହେଉଛି।

କଂଗ୍ରେସକୁ ପୁଣି କ୍ଷମତାକୁ ଫେରାଇବା

୨୦୦୪ ଏବଂ ୨୦୦୯ରେ କଂଗ୍ରେସ ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ କରିଥିଲା ଉପା। ଆଉ ଏହା ସମ୍ଭବ ହୋଇଥିଲା ସୋନିଆ ଗାନ୍ଧିଙ୍କ ପ୍ରଚାର ଯୋଗୁ। ହେଲେ ୨୦୧୪ରେ ରାହୁଲ ଧରିଥିଲେ କଂଗ୍ରେସର ପ୍ରଚାର ମଙ୍ଗ। କିନ୍ତୁ କଂଗ୍ରେସକୁ ବଡ଼ ଝଟକା ଲାଗିଥିଲା। ୫୪୩ ଆସନରୁ କଂଗ୍ରେସ ମାତ୍ର ୪୬ଟି ଆସନରେ ବିଜୟୀ ହୋଇଥିଲା। ଏବେ ରାହୁଲ ନୂଆ ଅଧ୍ୟକ୍ଷ ହୋଇଥିବାରୁ ୨୦୧୯ରେ କିପରି କଂଗ୍ରେସ କ୍ଷମତାକୁ ଆସିବ ତାହା ଆଉ ଏକ ଚାଲେଞ୍ଜ ବୋଲି କୁହାଯାଉଛି।

ସୋନିଆ ଗାନ୍ଧି ଯେତେବେଳେ କଂଗ୍ରେସର ଅଧ୍ୟ ହେଲେ ସେତେବେଳେ ଦଳର ଅବସ୍ଥା ଭଲ ନଥିଲା। ବିଭିନ୍ନ ରାଜ୍ୟରେ କଂଗ୍ରେସ ସଂଘର୍ଷ କରୁଥିଲା। ମାତ୍ର ୧୯ ପ୍ରତିଶତ ରାଜ୍ୟରେ କଂଗ୍ରେସର ଶାସନ ଥିଲା। ଲୋକସଭାରେ ୧୪୧ ଜଣ ସଦସ୍ୟ ଥିଲେ। ହେଲେ ସୋନିଆ ଅଧ୍ୟକ୍ଷ ହେବା ପରେ ଦଳର ଅବସ୍ଥା ସୁଧୁରିଥିଲା।

ଏବେ ରାହୁଲ ଅଧ୍ୟକ୍ଷ ହୋଇଛନ୍ତି। ବର୍ତ୍ତମାନ କଂଗ୍ରେସର ଅବସ୍ଥା ଶୋଚନୀୟ ହୋଇଯାଇଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ଶାସନରୁ ହଟିଥିବା ବେଳେ ଲୋକସଭାରେ ମାତ୍ର ୪୬ ଜଣ ସଦସ୍ୟ ଅଛନ୍ତି। କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଆଣିବାକୁ ହେଲେ ରାହୁଲଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

Comment