ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବେ। ସିଧାସଳଖ ନହେଲେ ବି ପରୋକ୍ଷରେ ଏମିତି ଇସାରା ଦେଇଛନ୍ତି ସୋନିଆ।

ଶୁକ୍ରବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନରେ ଯୋଗଦେବା ପାଇଁ ସୋନିଆ ଲୋକସଭା ଆସିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ସୋନିଆଙ୍କୁ ଘେରି ଯାଇଥିଲେ। ରାହୁଲ ଗାନ୍ଧି ସଭାପତି ହେବା ପରେ ଦଳରେ ତାଙ୍କ ଭୂମିକା କଣ ରହିବ ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ସୋନିଆ କହିଥିଲେ ଯେ, “ମୁଁ ରାଜନୀତିରୁ ଅବସର ନେବାକୁ ଚାହୁଁଛି।”

ନିର୍ବାଚନ ପ୍ରଚାରରେ ସାମିଲ ହୋଇ ନାହାନ୍ତି ସୋନିଆ

ଦୀର୍ଘଦିନ ହେଲା ସୋନିଆ ଗାନ୍ଧି ଅସୁସ୍ଥ ଅଛନ୍ତି। ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଗୁଜୁରାଟରେ ହୋଇଥିବା ବିଧାନସଭା ନିର୍ବାଚନ ପ୍ରଚାରରେ ସୋନିଆଙ୍କୁ ଦେଖିବାକୁ ମିଳିନି।

୨୦୧୬ରେ ବନାରସର ଏକ ରାଲିରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଥିଲା। କିଛିଦିନ ତଳେ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ଏହାସହ ୨୦୧୭ ଅକ୍ଟୋବର ମାସରେ ସିମ୍‌ଲା ଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମେ’ ୭ରେ ସୋନିଆ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହିପରି ଫେବୃୟାରୀ ମାସରେ ସୋନିଆ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇଥିଲେ।

୨୦୧୬ ମେ ୨୯ରେ ସୋନିଆଙ୍କୁ ଜ୍ୱର ହେବାରୁ ସେ କିଛିଦିନ ହସ୍ପିଟାଲରେ ରହିଥିଲେ।

ଗାନ୍ଧି-ନେହେରୁ ପରିବାରରୁ ୬ ସଭାପତି

ଗାନ୍ଧି-ନେହେରୁ ପରିବାର ସଦସ୍ୟଙ୍କ ହାତରେ ସବୁବେଳେ କଂଗ୍ରେସର ମଙ୍ଗ ରହି ଆସିଛି। ବର୍ତ୍ତମାନ ସୁଦ୍ଧା ଏହି ପରିବାରରୁ ୬ ଜଣ ସଭାପତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ମୋତିଲାଲ ନେହେରୁ, ଜବାହରଲାଲ୍ ନେହେରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି। ଏମାନଙ୍କ ମଧ୍ୟରୁ ସୋନିଆ ସବୁଠୁ ଅଧିକ ବର୍ଷ ଧରି କଂଗ୍ରେସର ସଭାପତି ରହିଛନ୍ତି। ସେ ୧୯ ବର୍ଷ ଧରି ଏହି ଦାୟିତ୍ୱରେ ଥିଲେ। ରାଜୀବ ଗାନ୍ଧିଙ୍କ ଦେହାନ୍ତ ପରେ ସୋନିଆ ୧୯୯୮ରେ କଂଗ୍ରେସ ସଭାପତି ହୋଇଥିଲେ।

Comment