ଓଡ଼ିଶାଲାଇଭ୍‍ ବ୍ୟୁରୋ

ଟେଲିଭିଜନରେ ପ୍ରସାରିତ ମେଗା ସିରିଅଲ୍‌ରେ ସଫଳତା ପଛରେ ଖଳନାୟିକା ଅଥବା ‘ଭ୍ୟାମ୍ପ’ ଚରିତ୍ରର ଅବଦାନ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ନକରାତ୍ମକ ଚରିତ୍ରରେ ନିଜର ଅଭିନୟର ପରାକାଷ୍ଠା ପ୍ରମାଣିତ କରି ଅନେକ କଳାକାର ଲୋକପ୍ରିୟତା ଅର୍ଜନ କରିଛନ୍ତି। ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଏପରି ଏକ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।

ଷ୍ଟାର ଭାରତ ଚ୍ୟାନେଲ୍‌ରେ ପ୍ରସାରିତ ହେବାକୁ ଥିବା ‘ଜୟ କହ୍ନେୟା ଲାଲ୍‌ କି’ ମେଗା ସିରିଅଲ୍‌ରେ ସେ ‘ଦେବ୍ୟାନୀ’ ଭୂମିକାରେ ଟିଭି ପରଦାରେ ହଲଚଲ୍ ମଚାଇବାକୁ ପ୍ରସ୍ତୁତ। ଏହି ଧାରାବାହିକ ଆସନ୍ତା ଜାନୁୟାରୀ ୧ ତାରିଖରୁ ପ୍ରସାରିତ ହେବ।

‘‘ଏହି ସିରିଅଲ୍ ପାଇଁ ଅଫର୍ ମିଳିବା ମୋ ପାଇଁ ଏକ ବଡ଼ ସୁଯୋଗ। ମୁମ୍ବାଇରେ ରହି ମୁଁ ଅନେକ ପ୍ରଡକସନ୍ସ ହାଉସ୍‌ରେ ଅଡିସନ ଦେଉଛି। ପ୍ରଥମେ ମୁଁ ଏଥିରେ ଏକ ଛୋଟ ରୋଲ୍ କରିବାର ଥିଲା। କିନ୍ତୁ ପରେ ପରେ ମୋର ପ୍ରତିଭା ଦେଖି ମୁଖ୍ୟ ଖଳନାୟିକା ଦେବ୍ୟାନୀର ଚରିତ୍ର ପାଇଁ ଅଫର୍ ମିଳିଥିଲା। ଏହି ସିରିଅଲ୍‌ର ମୁଖ୍ୟ ଚରିତ୍ରର ସମସ୍ତ ଧନସମ୍ପତ୍ତି ହଡପ କରିବା ପାଇଁ ଘର ଭିତରେ ରହି ମୁଁ ଅନେକ କୂଟନୀତି କରୁଛି”, କହିଛନ୍ତି ପ୍ରକୃତି।

ପୂର୍ବରୁ ନକରାତ୍ମକ ଚରିତ୍ରରେ ଅଭିନୟ କରିନଥିବାରୁ ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି। ଓଡ଼ିଆମାନଙ୍କର ସଠିକ୍ ହିନ୍ଦୀ ଉଚ୍ଚାରଣକୁ ନେଇ ପ୍ରାୟତଃ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପ୍ରକୃତିଙ୍କ ନିର୍ଭୁଲ୍ ହିନ୍ଦୀ ଉଚ୍ଚାରଣ ହିଁ ହିନ୍ଦୀ ଟେଲିଭିଜନ ଜଗତରେ ପ୍ରଭାବ ବିସ୍ତାର କରିବା ପାଇଁ ବାଟ ଖୋଲିବାରେ ସହାୟକ ହୋଇଛି ବୋଲି ସେ ମନେକରନ୍ତି।

ପିଲାଟି ଦିନରୁ ସେ ଅଭିନୟ ପ୍ରତି ଆଗ୍ରହୀ ଥିଲେ। ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ସିନେମା ‘ଶାଶୁ ଘର ଚାଲଯିବି’ରେ ପ୍ରତିଭାଦୀପ୍ତ ଅଭିନୟ ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପ୍ରାପ୍ତ କରିଥିଲେ। ଓଡ଼ିଶୀ ନୃତ୍ୟରେ ମଧ୍ୟ ସେ ନିଜର କଳାର ପ୍ରତିଷ୍ଠା କରିପାରିଛନ୍ତି। ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ସିନେମା ‘କୌନ କିତନେ ପାନି ମେଁ’ରେ ରଙ୍ଗବତୀ ଗୀତରେ ପ୍ରକୃତି ଶାଶ୍ୱତ ଯୋଶୀଙ୍କ ସହ ନଜର ଆସିଥିଲେ। ନିକଟରେ ରିଲିଜ୍ ହୋଇଥିବା କ୍ରିଷ୍ଣା ବେଉରାଙ୍କ ମ୍ୟୁଜିକ୍ ଭିଡିଓ ‘ପ୍ରିୟା’ରେ ସେ ମଧ୍ୟ ନଜର ଆସିଛନ୍ତି।

ପୂର୍ବରୁ ଜି ଟିଭିରେ ପ୍ରସାରିତ ‘ଇଣ୍ଡିଆସ୍ ବେଷ୍ଟ ସିନେଷ୍ଟାର କି ଖୋଜ’ରେ ସେ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

Comment