ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ପାସ୍‌ ହୋଇଛି ତିନି ତଲାକ୍‌ ବିଲ୍‌। ହେଲେ ଏହି ବିଲ୍‌କୁ ବିଜେଡି ବିରୋଧ କରିଛି। ତଲାକ୍ ବା ଛାଡ଼ପତ୍ର ସିଭିଲ୍‌ ମାମଲା ହୋଇଥିବାରୁ ଏହାକୁ ଅପରାଧିକ ମାମଲାରେ ସାମିଲ କରିବା ସମିଚୀନ ନୁହେଁ ବୋଲି ବିଜେଡି କହିଛି। ବିଜେଡିର ଏହି ମତକୁ କାଉଣ୍ଟର କରିଛି ବିଜେପି। ବିଜେପି କହିଛି ବିଜେଡି ହେଉଛି ମହିଳା ବିରୋଧୀ।

ବିଜେପି ପାର୍ଟି ଅଫିସ୍‌ରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, “ମୁସଲମାନ ମହିଳାଙ୍କୁ ଛାଡପତ୍ର ଦିଆଯିବା ପ୍ରଥା ଉପରେ ରୋକ୍ ଲଗାଇବା ସହ ଏହି ବିଲ୍ ପାସ ହେଲେ ମୁସଲମାନ ମହିଳାଙ୍କ ଅଧିକାର ସୁରକ୍ଷିତ ହେବ ଓ ସେମାନେ  ସଶକ୍ତ ହୋଇପାରିବେ।  କିନ୍ତୁ ଦୁର୍ଭାଗ୍ୟର ବିଷୟ ସଂସଦରେ ଏହି ବିଲ୍ ଆସିବା ମାତ୍ରକେ ବିଜେଡି ଏହାକୁ ଦୃଢ ବିରୋଧ କରିବା ଯୋଗୁଁ  ଓଡିଶାକୁ ଲଜ୍ଜିତ ହେବାକୁ ପଡ଼ିଛି।”

ତୃଣମୂଳ କଂଗ୍ରେସ, ଆରଜେଡି ଓ କଂଗ୍ରେସ ଦୁର୍ନୀତିଗ୍ରସ୍ତ ଏବଂ ମହିଳା ବିରୋଧୀ ବୋଲି ଆଗରୁ ପ୍ରମାଣ ରହିଥିବାବେଳେ ଏବେ ବିଜେଡି ସେମାନଙ୍କ ସହ ହାତ ମିଳାଇଥିବା ସେ ଅଭିଯୋଗ କରିଛନ୍ତି। ଏପଟେ ବିଜେପିର ଏହି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେଡି କେବେ ବି ଏହି ବିଲ୍‌କୁ ବିରୋଧ କରିନି। ବିଜେପି ସବିଶେଷ ତଥ୍ୟ ନଜାଣି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି।

Comment