ଅଶୋକ ବହିଦାର

ଶୀତ ବଢ଼ି ଚାଲିଛି। ସେ ଭିତରେ ବରଗଡ଼ ଧନୁଯାତ୍ରାର ଉଷ୍ମତା ଦର୍ଶକମାନଙ୍କୁ ନାଟକୀୟତା ଭିତରେ ବାନ୍ଧି ରଖିଛି।

ଏଇ ଅବସରରେ ଗୋପପୁରରେ ଅଭିନୀତ ହୋଇ ଚାଲିଛି ଗୋଟିଏ ପରେ ଗୋଟିଏ ଦୃଶ୍ୟ।

ଗୋପାଙ୍ଗନାମାନେ ଗୋପଦାଣ୍ଡରେ ଦହିବିକା ଦୃଶ୍ୟ ଧନୁଯାତ୍ରାର ନାଟକୀୟତାରେ ଏକ ନିୟମିତ ଘଟଣାରେ ପରିଣତ ହୋଇଯାଇଛି।

ଦଳ ଦଳ ହୋଇ ଗୋପାଙ୍ଗନାମାନେ ଗୋପରେ ଦହି ବିକୁଛନ୍ତି। ‘ଦହି’ କେବଳ ସେମାନଙ୍କ ଜୀବିକା ନୁହେଁ, ବରଂ ନିଜ ଦହିର ସ୍ୱାଦରେ ଶ୍ରୀକୃଷ୍ଣଙ୍କ ନିକଟରେ ହେବା ପାଇଁ ଗୋପାଙ୍ଗନାମାନଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ମାୟାବୀ କୃଷ୍ଣ ଷୋହଳ ସହସ୍ର ଗୋପୀଙ୍କୁ ଆପଣେଇ ନେବା ପାଇଁ ଲୀଳା ରଚିଛନ୍ତି। ସେ ଲୀଳାର ରହସ୍ୟ କେବଳ ସେ ହିଁ ଜାଣନ୍ତି। ଅଥଚ କୃଷ୍ଣ ମାୟାରେ ବଶୀଭୂତ ହୋଇ ଚାଲିଛନ୍ତି ଦହି ବିକୁଥିବା ଏଇ ଗୋପାଙ୍ଗନାମାନେ।

ବସ୍ତ୍ରହରଣ

ଶ୍ରୀକୃଷ୍ଣଙ୍କୁ ପ୍ରେମିକ ଭାବେ ପାଇବା ପାଇଁ ଗୋପର ପ୍ରତିଟି ଗୋପାଙ୍ଗନା ଆଶାୟୀ ପାଲଟି ଯାଇଛନ୍ତି। ଅଥଚ ଗୋପାଙ୍ଗନାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶ୍ରୀରାଧା। ସପନେ, ଜାଗରଣେ ଏପରିକି ପ୍ରତିଟି ମୁହୂର୍ତ୍ତରେ ଶ୍ରୀରାଧା ହଜିଯାଉଛନ୍ତି କୃଷ୍ଣପ୍ରେମର ବର୍ଷାରେ। କୃଷ୍ଣପ୍ରେମରେ ବାତୁଳି ଶ୍ରୀରାଧା ସବୁକିଛି ନିର୍ବିଶେଷରେ ସମର୍ପି ଦେଉଛନ୍ତି ନିଜକୁ ଶ୍ରୀକୃଷ୍ଣଙ୍କଠାରେ।

ପ୍ରେମିକ ଶ୍ରୀକୃଷ୍ଣ ବି ଶ୍ରୀରାଧାଙ୍କୁ ଆପଣେଇ ନେଇ ଚାଲିଛନ୍ତି ଭିନ୍ନ ଭିନ୍ନ ଲୀଳାର ଆକର୍ଷଣରେ। ଏଇ ପରିପ୍ରେକ୍ଷୀରେ ଶ୍ରୀକୃଷ୍ଣ ଯମୁନା ଘାଟରେ ସ୍ନାନରତ ଗୋପୀମାନଙ୍କ ବସ୍ତ୍ର ସବୁକୁ ପବନ ମାଧ୍ୟମରେ ବୃକ୍ଷ ଡାଳରେ ଝୁଲାଇ ଦେଇଛନ୍ତି। ଲଜ୍ଜାରେ ଝାଉଁଳି ପଡ଼ୁଛନ୍ତି ଗୋପୀଗଣ। ଆତୁରହୋଇ ଶ୍ରୀକୃଷ୍ଣଙ୍କୁ ବସ୍ତ୍ର ଫେରାଇ ଦେବା ପାଇଁ ନିବେଦନ କରୁଛନ୍ତି।

ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦେଖିଲେ ଏଇ ବସ୍ତ୍ରହରଣ ଦୃଶ୍ୟ ସୂଚାଇ ଦିଏ ଯେ ଶ୍ରୀକୃଷ୍ଣରୂପୀ ପରମାତ୍ମାଙ୍କ ସହିତ ଆତ୍ମାର ମିଳନ ଘଟାଇବାକୁ ହେଲେ ହୃଦୟର ଗବାକ୍ଷକୁ ଖୋଲା ରଖିବାକୁ ହେବ।

ଆବୃତ୍ତ ଶରୀରର ଭିତରେ ଆତ୍ମା ଅପେକ୍ଷା କରିଛି ଗୋପାଙ୍ଗନାମାନଙ୍କର ପରମାତ୍ମା ସହିତ ନିର୍ଲିପ୍ତ ହୋଇଯିବା ପାଇଁ।

‘ବସ୍ତ୍ର ହରଣ’ର ଏଇ ଦୃଶ୍ୟ ବାର୍ତ୍ତାଟିଏ ପ୍ରଦାନ କରୁଛି ଯେ ଶରୀର ନିମିତ୍ତ ମାତ୍ର, ହେଲେ ଆତ୍ମା କେବଳ ଖୋଳପା ଭିତରେ ପରମାତ୍ମାକୁ ଅପେକ୍ଷା କରୁଛି। ନିଜକୁ ଖୋଳପା ଭିତରେ ମୁକୁଳାଇ ଦିଅ, ପରମାତ୍ମା ଆପେ ଆପେ ମିଳନ ଘଟାଇବେ ଏକ ଭିନ୍ନ ଭକ୍ତିର ଆଧାରରେ।

ରଙ୍ଗସଭା

କଂସ ଗୋଟିକ ପରେ ଗୋଟିଏ ଷଡଯନ୍ତ୍ର ରଚି ଚାଲିଛନ୍ତି ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ। ଅଥଚ ସବୁଥିରେ ସେ ବିଫଳ ହେଉଛନ୍ତି।

ଗୋଟିଏ ପଟେ କଂସ ମୃତ୍ୟୁକୁ ନେଇ ବାରମ୍ବାର ବିବ୍ରତ ତ ଅନ୍ୟପଟେ ଶ୍ରୀକୃଷ୍ଣ ବାଲ୍ୟଲୀଳାକୁ ନେଇ ଗୋପପୁରବାସୀଙ୍କୁ ଉଲ୍ଲସିତ କରିଚାଲିଛନ୍ତି। ଉପାୟହୀନ କଂସ ଶ୍ରୀକୃଷ୍ଣଙ୍କଠାରୁ ମୁକୁଳିଯିବା ଆଶା ନେଇ ଗୋପପୁରକୁ ଆକ୍ରମଣ କରିବା ପାଇଁ ମନସ୍ଥ କରିଦେଇଛନ୍ତି।

ସେଥିପାଇଁ ପଡୋଶୀ କରଦ ରାଜନ୍ୟ ବର୍ଗଙ୍କୁ ନେଇ ‘ରଙ୍ଗସଭା’ର ଆୟୋଜନରେ ଲାଗି ପଡ଼ିଛନ୍ତି।

କଂସଙ୍କ ନିମନ୍ତ୍ରଣ କ୍ରମେ ପଡୋଶୀ ରାଜ୍ୟର ରାଜାମାନେ ମଥୁରାକୁ ଆସୁଛନ୍ତି।

ଦରବାରରେ ଏମାନଙ୍କୁ ନେଇ ଆରମ୍ଭ ହୋଇଛି ‘ରଙ୍ଗସଭା’। ପ୍ରତିଟି ରାଜା ନିଜର ପାରିବାପଣିଆ ନେଇ ବାହାସ୍ଫୋଟ ମାରୁଛନ୍ତି।

ଗୋପ ଆକ୍ରମଣରେ କଂସଙ୍କୁ ସହଯୋଗ କରିବା ପାଇଁ ସହଯୋଗର ହାତ ବଢ଼ାଉଛନ୍ତି।

କଂସ ଉଲ୍ଲସିତ ହୋଇ ସେମାନଙ୍କୁ ରାଜକୀୟ ଆତିଥ୍ୟରେ ଅଭ୍ୟର୍ଥନା କରୁଛନ୍ତି।

ଏଇ ‘ରଙ୍ଗସଭା’ ବରଗଡ଼ ଧନୁଯାତ୍ରାର ନାଟ୍ୟଧାରାର ହେଉଛି ଏକ ବିଶେଷ ଅଧ୍ୟାୟ।

‘ରଙ୍ଗସଭା’ ଯଦିଓ କଂସଙ୍କ ଦ୍ୱାରା ଏକ ନକରାତ୍ମକ ଆୟୋଜନ, ତଥାପି ସାଧାରଣ ଦୃଷ୍ଟିରେ ତାର ସକାରାତ୍ମକ ଦିଗଟି ହେଉଛି – “ପଡୋଶୀ  ରାଜ୍ୟର ଅବେଳରେ ସାହାଯ୍ୟ ଓ ସହଯୋଗ କରିବା ହେଉଛି ରାଜଧର୍ମ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment