ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନ ଏବଂ ପଶ୍ଚିମବଙ୍ଗର ୫ଟି ଆସନରେ ହେବ ଉପ-ନିର୍ବାଚନ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ତାରିଖ। ଏହି ୫ଟି ଆସନ ଭିତରେ ବିଜେପୁରର ନାଁ ନାହିଁ। ୪ ମାସ ହେଲା ବିଜେପୁର ଆସନ ଫାଙ୍କା ପଡ଼ିଥିବା ବେଳେ ଏହି ଆସନ ପାଇଁ କେବେ ବିଗୁଲ ବାଜିବ ତାକୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ।

କେବେ ହେବ ବିଜେପୁର ଉପ-ନିର୍ବାଚନ? ନିର୍ବାଚନ କମିଶନ କେବେ ପ୍ରକାଶ କରିବେ ବିଜ୍ଞପ୍ତି? ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଉଠିଛି ପ୍ରଶ୍ନବାଚୀ। ନିର୍ବାଚନ କମିଶନ ଅନ୍ୟ ସ୍ଥାନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରୁଥିବା ବେଳେ ବିଜେପୁରର ନାଁ ନାହିଁ। ଗତ ୪ ମାସ ହେଲା ବିଜେପୁର ଆସନ ଫାଙ୍କା ପଡ଼ିଥିଲେ ମଧ୍ୟ କେବେ ନିର୍ବାଚନ ପାଇଁ ବିଗୁଲ୍‌ ବାଜିବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ଭାରତୀୟ ନିର୍ବାଚନ କମିଶନ ଗୁରୁବାର ୫ଟି ଆସନରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ଏବଂ ରାଜସ୍ଥାନର ୫ଟି ଆସନରେ ଏହି ନିର୍ବାଚନ ହେବ। ହେଲେ ବିଜେପୁର ପାଇଁ କାହିଁକି ତାରିଖ ଘୋଷଣା ହେଉନି ତାକୁ ନେଇ ବିଜେଡି ଏବଂ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି। କମିଶନ ବିଜେପିର ହାତବାରିସି ସାଜି କାମ କରୁଛି ବୋଲି ଉଭୟ ଦଳ ଅଭିଯୋଗ କରିଛନ୍ତି।

ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ କହିଛନ୍ତି, “ଉପନିର୍ବାଚନରେ ବିଳମ୍ବ ହେବା ପଛରେ କେନ୍ଦ୍ର ସରକାର ଦାୟୀ। ଜାଣିଶୁଣି ତାରିଖ ଘୋଷଣା କରାଯାଉ ନାହିଁ। ବିଜେପୁର ଲଢ଼େଇ ପାଇଁ ବିଜେଡି ପୂରା ପ୍ରସ୍ତୁତ ହୋଇ ରହିଛି।”

ବିଜେଡି ପରି କଂଗ୍ରେସ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛି। ନିର୍ବାଚନ କମିଶନ ଜାଣିଶୁଣି ବିଳମ୍ବ କରୁଥିବା କଂଗ୍ରେସ କହିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ନିର୍ବାଚନ କମିଶନ ବିଜେପିର ହାତ ବାରିସି ସାଜିଛନ୍ତି। ଅନ୍ୟ ରାଜ୍ୟରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରୁଛନ୍ତି। ହେଲେ ବିଜେପୁର ପାଇଁ ତାରିଖ ଘୋଷଣା ନକରିବା ଦୁର୍ଭାଗ୍ୟଜନକ।”

ଅଗଷ୍ଟ ୨୧ ତାରିଖରେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ସୁବଳଙ୍କ ଦେହାନ୍ତ ପରେ ୬ ମାସ ଭିତରେ ଉପ-ନିର୍ବାଚନ ହେବା କଥା। ହେଲେ ୪ ମାସ ପୂରିଥିଲେ ବି ବିଜେପୁର ପାଇଁ ବିଗୁଲ୍‌ ବାଜୁନି। ବିଜେପୁର ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି, ବିଜେପି ଏବଂ କଂଗ୍ରେସ ଅଭିଯାନ ଆରମ୍ଭ କରି ଦେଇଥିଲେ। ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରି ଦେଇଥିଲା।

ବିଜେପି ପ୍ରାର୍ଥୀ ଘୋଷଣା କରି ନଥିଲେ ମଧ୍ୟ ବରପାଲ୍ଲିରେ ଶକ୍ତି ପ୍ରଦର୍ଶନ କରିଛି। ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ସାମିଲ୍ କରି ବିଜେପି ନିର୍ବାଚନ ମୁହାଁ ହୋଇଯାଇଥିଲା। ଏପଟେ କଂଗ୍ରେସ ମଧ୍ୟ ପଛରେ ପଡ଼ି ନଥିଲା। ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରି କଂଗ୍ରେସ ବିଜେପୁର ଦଖଲରେ ବାହାରିଥିଲା। ହେଲେ ନିର୍ବାଚନ ତାରିଖ ଘୋଷଣା ହେଉ ନଥିବାରୁ ଏବେ ବିଜେଡି ଓ କଂଗ୍ରେସ ଶିବିରରେ ଭାଳେଣି ପଡ଼ିଛି। ୨୦୧୯ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନ ତିନି ଦଳ ପାଇଁ ଏସିଡ ଟେଷ୍ଟ କୁହାଯାଉଥିବାରୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ରାଜସ୍ଥାନର ଗୋଟିଏ ଏବଂ ୨ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ, ପଶ୍ଚିମବଙ୍ଗର ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୯ରେ ରାଜସ୍ଥାନର ମଣ୍ଡଲଗଡ ବିଧାନସଭା ଆସନ, ଅଲଓ୍ବାର ଲୋକସଭା ଆସନ, ଆଜମେର ଲୋକସଭା ଆସନରେ ଉପ-ନିର୍ବାଚନ ହେବା ଲାଗି ଘୋଷଣା ହୋଇଛି। ପଶ୍ଚିମବଙ୍ଗର ଉଲବେରିଆ ଲୋକସଭା ଆସନ ଓ ନୂଆପାରା ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।

Comment