ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୩୧ରେ ବିଦାୟ ନେଉଛି ୨୦୧୭। ୨୦୧୮କୁ ସ୍ୱାଗତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି ଜିରୋ ନାଇଟ୍ ସେଲିବ୍ରେସନ୍। ଆଉ ଏଥିରୁ ବାଦ୍ ପଡ଼ିନି ବିଜେପି। ୨୦୧୭ର ଶେଷ ଦିନରେ ବିଜେପି ବିଜେପୁର ଦଖଲ ପାଇଁ ନକ୍ସା ପ୍ରସ୍ତୁତ କରିଛି।

ବିଜେପି ଜିରୋ ନାଇଟ୍ ସେଲିବ୍ରେସନ୍ ନୁହେଁ, ବିଜେପୁର ଦଖଲ ପାଇଁ କସରତ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ ବିଜେପୁରର ୨୭୦ ବୁଥ୍‌ରେ ଶୁଣାଇବା ପାଇଁ ବିଜେପି ବ୍ୟାପକ ଆୟୋଜନ କରିଛି।

ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଜେପି ବଡ଼ ନେତା ଯିବେ ବିଜେପୁର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଧାୟକ ଏବଂ ୨୭୦ ନେତା ଯିବେ ବିଜେପୁର। ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ ଲୋକଙ୍କୁ ଶୁଣାଇବେ। ଏହାସହ ରାଜ୍ୟ ସରକାରଙ୍କ ବିଫଳତା ଏବଂ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ କରିବେ।

ବିଜେପିର ଏହି ଅଭିଯାନକୁ ବିଜେଡି ସମାଲୋଚନା କରିଛି। ମନ୍‌ କି ବାତ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ସହ ନିର୍ବାଚନ ବିଳମ୍ବରେ ବିଜେପି ହାତ ଥିବା ବିଜେଡି ପୁଣି ଅଭିଯୋଗ କରିଛି।

ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ କହିଛନ୍ତି, ” ଗଣତାନ୍ତ୍ରିକ ପଦ୍ଧତିରେ ହେଉଥିବା ନିର୍ବାଚନକୁ ନିରପେକ୍ଷ କରିବାକୁ ଦେଉ ନାହାନ୍ତି। ହୁଏତ ବିଜେପି ସପକ୍ଷରେ ଜନମତ ନଥିବାରୁ ସେମାନଙ୍କ ମନରେ ଭୟ ରହିଛି। ଯେବେ ନିର୍ବାଚନ ହେଲେ ବି ରାୟ ତାଙ୍କ ସପକ୍ଷରେ ଯିବନାହିଁ। ଏହାସହ ଲୋକଙ୍କ କଥା ବିଜେପି ଶୁଣୁ ନଥିବାରୁ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କୌଣସି ପ୍ରଭାବ ପକାଇବ ନାହିଁ।”

ବିଜେଡି ଅଭିଯୋଗର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ଯେ, ହତାଶ ହୋଇ ବିଜେଡି ଏଭଳି ଅଭିଯୋଗ କରୁଛି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରିବା ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ।”

Comment