ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି

ପିଲାଦିନେ କାନ୍ଥ ଓ ଖାତାରେ ଏଣୁତେଣୁ ଗାର ପକାଉଥିଲେ। ଏହାସହ ବାପାଙ୍କ ଫର୍ଣ୍ଣିଚର କାମ ମଧ୍ୟ ପ୍ରଭାବ ପକାଇଥିଲା ସଞ୍ଜୟଙ୍କ ମନରେ। ସେହିଦିନରୁ ଚିତ୍ର ଶିଳ୍ପୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସଞ୍ଜୟ। କୋଲକାତା ଆର୍ଟ କଲେଜରେ ପାଠ ପଢ଼ୁଥିବା ସଞ୍ଜୟ ଅନେକ ଚିତ୍ର ଆଙ୍କିଥିଲେ ମଧ୍ୟ ତାଙ୍କ ଚିତ୍ର ଦୁନିଆକୁ ନେଇ ଆଗକୁ ଯିବା ପାଇଁ ସେ ଦେଖିଛନ୍ତି ଅନେକ ସ୍ୱପ୍ନ।

ଓଡ଼ିଶାଲାଇଭ୍‌ ବ୍ୟୁରୋ: ‘‘ ମୋ ବାପା ଥିଲେ ଫର୍ଣ୍ଣିଚର୍ ମିସ୍ତ୍ରୀ। କାଠ ଉପରେ ବିଭିନ୍ନ ଚିତ୍ର ଖୋଦେଇ କରି ସେ ସୁନ୍ଦର ଖଟ, ପଲଙ୍କ, ଚେୟାର ଇତ୍ୟାଦି ତିଆରି କରିବା ମୁଁ ଦେଖିଛି ପିଲାଦିନରୁ। ସେସବୁ ଦେଖି ମୋ ଭିତରେ ଇଚ୍ଛା ହେଉଥିଲା କି ବାପା ଏତେ ସୁନ୍ଦର ଖୋଦେଇକରି କାଠରେ ଚିତ୍ରରୂପ ଦେଇପାରୁଛନ୍ତି, ମୁଁ କରିପାରନ୍ତିକି! ଏଇ ଇଚ୍ଛାରୁ ମୋ ଭିତରେ ଚିତ୍ର ଆଙ୍କିବା ପ୍ରତି ଝୁଙ୍କ ଆସିଲା ଓ ମୁଁ କାନ୍ଥରେ ପ୍ରଥମେ ଗାରେଇବା ଆରମ୍ଭ କଲି’’, ଏହା କହିଛନ୍ତି କୋଲକତା ଆର୍ଟ କଲେଜରେ ପିଜି କରୁଥିବା ସଞ୍ଜୟ କୁମାର ରାଉଳ।

୨୦୦୫ ମସିହାର କଥା। ସେତେବେଳେ ସଞ୍ଜୟଙ୍କ ବୟସ ସାତ ବର୍ଷ। ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲେ ସେ। କାଠ ମିସ୍ତ୍ରୀ କାମ କରୁଥିବା ବାପାଙ୍କ ପାଖରେ ବସି ସେ ବାପାଙ୍କ କାଠ ଖୋଦେଇ ଚିତ୍ର ଦେଖୁଥିଲେ। କାଠ ଦେହରେ ମୟୂର, ଗଛଲତା ଆଦିର ଚିତ୍ର ସୁନ୍ଦର ଭାବେ ଖୋଦେଇ କରିବା ଦୃଶ୍ୟ ସଞ୍ଜୟଙ୍କ ମନରେ ରେଖାପାତ କରିଥିଲା। ସେ ମଧ୍ୟ ଆଜି ଆଙ୍କିପାରନ୍ତେ- ଏପରି ଏକ ଆଗ୍ରହରୁ ସେ କାନ୍ଥରେ, ନିଜ ଖାତାପତ୍ରରେ ବାପାଙ୍କ ପରି ମୟୂର, ଫୁଲ, ଗଛ, ଆଦିର ଚିତ୍ର ଆଙ୍କିବା ପାଇଁ ଚେଷ୍ଟା କଲେ।

୧୯୯୪ ମସିହା ଜାନୁଆରୀ ୧୪ରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ନାମ୍ପୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସଞ୍ଜୟ। ୬ ଭାଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ସାନପୁଅ। ବାପା ଲକ୍ଷ୍ମୀ ନାରାୟଣ ରାଉଳ ଓ ମାଆ ଭବାନୀ ରାଉଳଙ୍କର ସଞ୍ଜୟ ଥିଲେ ଗେହ୍ଲାପୁଅ। ସେଥିପାଇଁ ସେ ବାପାଙ୍କ ଚିତ୍ରକଳା ଗୁଣଟିକୁ ଆପଣେଇ ନେଇଥିଲେ ପିଲାଦିନରୁ।

‘‘ଆମ କାକା ଥିଲେ ସ୍କୁଲର ପ୍ରଧାନ ଶିକ୍ଷକ। ସେତେବେଳେ ତାଙ୍କର ଜଣେ ଛାତ୍ର ଖଲ୍ଲିକୋଟର ଆର୍ଟ କଲେଜରୁ ଶିକ୍ଷା ଗ୍ରହଣ କରି ଆର୍ଟ ଶିଖିଥାନ୍ତି। ମୁଁ ସେତେବେଳେ ଦଶମରେ ପଢ଼ୁଥାଏ। ପଢ଼ୁଥା୨୦୧୦ ମସିହାର କଥା। ସ୍କୁଲର ଆର୍ଟ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ହୋଇଥାଏ। କାକା ମତେ ସେଇ ଛାତ୍ରଟିର ଉଦାହରଣ ଦେଇ କହିଥିଲେ, ତୁ ବି ଚେଷ୍ଟା କର,’’ ସେହିଦିନରୁ ଚେଷ୍ଟା ଜାରି ରଖିଥିବା କହିଛନ୍ତି ସଞ୍ଜୟ।

ସଞ୍ଜୟଙ୍କ ମନ ଭିତରେ ଚିତ୍ରକଳାକୁ ନେଇ ରହିଥିବା ଆଗ୍ରହ ତାଙ୍କ କାକାଙ୍କର ପ୍ରୋତ୍ସାହନ ଫଳରେ ଏକ ନୂଆ ଦିଶା ପାଇଲା। କାକା ହିଁ ସଞ୍ଜୟଙ୍କ ଭିତରେ ଥିବା ପ୍ରତିଭାଟିକୁ ପ୍ରଥମେ ଆବିଷ୍କାର କରିପାରିଥିଲେ। ଖଲ୍ଲିକୋଟ କଲେଜର ଛାତ୍ର ଆଙ୍କିଥିବା ବିଭିନ୍ନ ଚିତ୍ରକୁ ସଞ୍ଜୟଙ୍କୁ ଦେଖାଇଥିଲେ କାକା। ସେସବୁ ଚିତ୍ର ଦେଖି ସଞ୍ଜୟ ପ୍ରଥମେ ଡରି ଯାଇଥିଲେ।

ନାମ୍ପୋ ହାଇସ୍କୁଲରେ ପଢ଼ୁଥିବା ବେଳେ ସାହିତ୍ୟ ପଢ଼ାଉଥିବା ଚନ୍ଦ୍ରଶେଖର ସାର୍‌ ସଞ୍ଜୟଙ୍କ କଳା ପ୍ରତିଭାକୁ ବେଶ୍ ଆଦର କରୁଥିଲେ। ସେ ନିଜେ ଆର୍ଟକୁ ଭଲ ପାଉଥିଲେ। ତେଣୁ ସେ ସବୁବେଳେ କହୁଥିଲେ ସଞ୍ଜୟଙ୍କୁ, ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେବା ପାଇଁ। ନବମରେ ଗୋଟିଏ ଆର୍ଟ କମ୍ପିଟେସନରେ ଭାଗ ନେଇ ତୃତୀୟ ହୋଇଥିବା ସଞ୍ଜୟ ଦଶମ ବେଳକୁ ସେଇ ଚନ୍ଦ୍ରଶେଖର ସାର୍‌ଙ୍କ କହିବାନୁସାରେ ଆଉ ଏକ ପ୍ରତିଯୋଗିତାରେ ଭାଗନେଇ ଛାତ୍ର ଓ ଶିକ୍ଷକ ମହଲରେ ଆଦରଣୀୟ ହୋଇପାରି ଥିଲେ।

ମାଟ୍ରିକ୍ ପାସ୍ କରିବା ପରେ ସଞ୍ଜୟ ସାଇନ୍ସ ପଢ଼ନ୍ତୁ ବୋଲି ଭାଇମାନେ ଜୋର୍ ଦେଲେ। ସେତେବେଳକୁ ସଞ୍ଜୟ ମନା କଲେ ସେ ବିଜ୍ଞାନ ପଢ଼ିବେ ନାହିଁ। କଳାରେ ନାମ ଲେଖାଇବାକୁ ସ୍ଥିରକରି ଫକୀରମୋହନ କଲେଜରେ ଫର୍ମ ପକେଇଲେ ସଞ୍ଜୟ। ସେତିକି ବେଳେ ଭିଣୋଇଙ୍କ ସହ କୁରୁଡ଼ା ଯାଉଥିବା ବେଳେ ନଜର ପଡ଼ିଗଲା ବାଲେଶ୍ୱର ଆର୍ଟ କଲେଜ ଉପରେ। ଭିଣୋଇ ତାଙ୍କୁ କହିଲେ, ଏଇଟା ଏକ ଆର୍ଟ କଲେଜ। ଏଠି ଚିତ୍ରକଳା ଶିକ୍ଷା ଦିଆଯାଏ।

ଚିତ୍ରକଳା ଶିଖିବା ପାଇଁ ଯେ ଅଲଗା ଭାବେ ଗୋଟେ କଲେଜ ଥାଏ, ସେ ଧାରଣା ସଞ୍ଜୟଙ୍କର ନଥାଏ। ସେ ଏକଥା ଜାଣିବା ପରେ ଘରକୁ ଫେରି ନିଜ ଇଚ୍ଛା ବ୍ୟକ୍ତ କଲେ ବଡ଼ ଭାଇମାନଙ୍କ ପାଖରେ ଯେ, ସେ ଆର୍ଟ କଲେଜରେ ପାଠ ପଢ଼ିବେ। ପ୍ରଥମେ  ଅରାଜି ହେଲେ ଘରେ ସମସ୍ତେ। ପରେ କିନ୍ତୁ ରାଜି ହେଲେ। ଫର୍ମ ପଡ଼ିଲା ଆର୍ଟ କଲେଜରେ।

ଘରର ଆର୍ଥିକ ଅବସ୍ଥା ଭଲ ନଥିଲା ସଞ୍ଜୟଙ୍କର। ଏ ଦିଗରେ କିଶୋର ବୟସର ସଞ୍ଜୟ ସଚେତନ ଥିଲେ।  ଆର୍ଟ କଲେଜର ଅଧ୍ୟକ୍ଷ ନିକୁଞ୍ଜ ଦାସଙ୍କ ସହିତ କଥା ହେଲେ ସଞ୍ଜୟ। ସେତେବେଳେ ଆଡମିସନ ଦେୟ ହଜାରେ ଟଙ୍କା ଏବଂ ମାସିକ ଦେୟ ପଚାଶ ଟଙ୍କା ଥିଲା ଯୁକ୍ତ ୨ ପାଇଁ। ଏଥିସହ ହଷ୍ଟେଲରେ ରହିବା ଖାଇବା ମିଶେଇ ୧୮୦୦ ଟଙ୍କା। ଏତିକି ସର୍ବମୋଟ ଖର୍ଚ୍ଚ ହେବା କଥା ସଞ୍ଜୟ ନିଜ କାକା ଓ ବଡ଼ଭାଇଙ୍କୁ ଜଣାଇଲେ। ଘରର ଆର୍ଥିକ ଅବସ୍ଥା ଜମା ବି ଭଲ ନଥିଲା। ତଥାପି ସଞ୍ଜୟଙ୍କ ଆଗ୍ରହକୁ ଦେଖି ସେମାନେ ରାଜି ହେଲେ ସତ କିନ୍ତୁ ସତକଥା ଜାଣିଥିବା ସଞ୍ଜୟଙ୍କୁ ଭଲ ଲାଗୁନଥିଲା। ସେ ନିକୁଞ୍ଜ ସାରଙ୍କୁ ଆର୍ଥିକ ଅସୁବିଧା କଥା କହିଲେ। ନିକୁଞ୍ଜ ସାର୍‌ ଏସବୁକୁ ହୃଦୟଙ୍ଗମ କରି ଟ୍ୟୁସନ ଯୋଗାଡ଼ କରିଦେଲେ ସଞ୍ଜୟଙ୍କ ପାଇଁ। ଆରମ୍ଭ ହେଲା ଆର୍ଟ ପଢ଼ା ଓ ପଢ଼ାକୁ ସାକାର କରିବା ପାଇଁ ରୋଜଗାରର ପନ୍ଥା।

ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜରେ ଯୁକ୍ତ ୨ ପର୍ଯ୍ୟନ୍ତ ଘରୁ ପଢ଼ା ଖର୍ଚ୍ଚ ନେଉଥିବା ସଞ୍ଜୟ ଭିଜୁଆଲ୍ ଆର୍ଟରେ ସ୍ନାତକ ବା ବିଭିଏ ପମା ଶେଷ ପର୍ଯ୍ୟନ୍ତ ଘରୁ ଆଉ ପଢ଼ା ଖର୍ଚ୍ଚ ନେଇ ନଥିଲେ। ନିଜେ ରୋଜଗାର କରି ପଢ଼ୁଥିଲେ। ଟିଉସନ ପଢ଼େଇବା ସହ ଛୋଟମୋଟ ଆର୍ଟ କାମ କରି ସେ ସ୍ୱଳ୍ପ ରୋଜଗାର କରିପାରୁଥିଲେ।

ପ୍ରଥମ କାମ ମିଳିଥିଲା ଖଡ଼ିସାହିରେ ଥିବା ଏକ ସ୍କୁଲ୍ ତରଫରୁ। ସେ ସ୍କୁଲର କାନ୍ଥରେ ଚିତ୍ର ଆଙ୍କିବା ସହ ଭିନ୍ନ ଭିନ୍ନ ମହାପୁରୁଷଙ୍କ ଚିତ୍ର ଓ ମାନଚିତ୍ର ଆଙ୍କିବା ଆଦି କାମ ସଞ୍ଜୟ କରିଥିଲେ। ତାଙ୍କ ସହିତ ରଘୁନାଥ ଗିରି ଓ କୃପାସିନ୍ଧୁ ମହାଳିକ ନାମକ ଆଉ ଦୁଇଜଣ ଶିଳ୍ପୀ ମଧ୍ୟ ମିଶିଥିଲେ। କିନ୍ତୁ ପ୍ରଥମ କାମର ପାରିଶ୍ରମିକ ଠିକ୍‌ରେ ପାଇନଥିଲେ। ସ୍କୁଲ୍ କର୍ତ୍ତୃପକ୍ଷ ଆଠ ହଜାର ଟଙ୍କା ସ୍ଥାନରେ ମାତ୍ର ତିନି ହଜାର ଦେଇଥିଲେ, ଯାହାକି ପରିଶ୍ରମର କାଣିଚାଏ ନଥିଲା। ଅର୍ଥ ଦରକାର ଥିଲା। ତେଣୁ କାମ ବି ଜରୁରୀ ଥିଲା। ପାଠ ପଢ଼ିବା ସହ କାମ ଖୋଜା ବି ଚାଲିଥାଏ। ଛାତ୍ର ଥିବାରୁ ଏବଂ ବେଶି ପରିଚିତି ନଥିବାରୁ କାମ ମିଳିବା ମଧ୍ୟ ସହଜ ନଥିଲା। ଘରର ରଙ୍ଗମିସ୍ତ୍ରୀ ସହିତ ବି କାମ କରିବାକୁ ଯାଇଛନ୍ତି ସେ ସମୟରେ। ଠକିଛନ୍ତି ବି। କମ୍ ପାରିଶ୍ରମିକ ଦେଇ ଠକି ଦେଇଛନ୍ତି ସରଳ ସ୍ୱଭାବର ଏଇ ଉଦୀୟମାନ ଚିତ୍ରଶିଳ୍ପୀଟିକୁ ସେ ସମୟରେ ଅନେକେ।

ଯୁକ୍ତ ୩ ବିଭିଏ ପଢ଼ୁଥିବା ବେଳେ ବାଲେଶ୍ୱର ଷ୍ଟେସନ ପାଖରେ ଥିବା ଦ୍ରୌପଦୀ ହୋଟେଲ୍ ପାଇଁ ୧୬ଟି ପେଣ୍ଟିଂ କାମ ପାଇଥିଲେ ସଞ୍ଜୟ। ଏହା ପୁଣି ବିଶ୍ୱଜିତ ପରମାଣିକଙ୍କ ଯୋଗୁଁ ମିଳିଥିଲା ବୋଲି ସଞ୍ଜୟ କହନ୍ତି। ଏହାଛଡ଼ା ସେ ସମୟରେ ହରି ମେରାଇନ୍, ଡି-ଷ୍ଟୁଡ଼ିଓ ପ୍ରଭୃତିରେ ବିଭିନ୍ନ ଆର୍ଟ କାମ କରି ସଞ୍ଜୟ ରୋଜଗାରର ମାର୍ଗକୁ ସୁଗମ କରିପାରିଥିଲେ। ୨୦୧୬ରେ ଶେଷ ହେଲା ବିଭିଏ। ୨୦୧୬ରୁ ୨୦୧୭ ଏକ ବର୍ଷ ପର୍ଯ୍ୟନ୍ତ ବାଲେଶ୍ୱରରେ ରହି ଏହିସବୁ କାମ କରିଛନ୍ତି।

ସହଦେବ ଖୁଣ୍ଟା ଦୁର୍ଗାପୂଜା କମିଟିର ସବୁଠୁ ବଡ଼ ତୋରଣଟି ସଞ୍ଜୟଙ୍କର। ମୟୂରଭଞ୍ଜର ବଡ଼ସାହି ହାଇସ୍କୁଲରେ ଥିବା ଗାନ୍ଧି, ଗୋପବନ୍ଧୁ ଓ ସୁଭାଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ସଞ୍ଜୟ ତିଆରି କରିଛନ୍ତି।

Comment