ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ସମ୍ବଲପୁର ଜିଲ୍ଲାର ୪୦୦ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ସମଗ୍ର ଜିଲ୍ଲାରେ ରୋଗୀସେବାରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଥିଲା।

ଆନ୍ଦୋଳରୁ ଓହରି ଯିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ୱେ ଡ୍ରାଇଭରମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର  ଏସ୍‌ମା ବଳରେ ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ବଲପୁର ଟାଉନ୍ ଥାନାରେ ଏତଲା ଦେବା ପରେ ପୋଲିସ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ। ରାତିଅଧିଆ ଚଢଉ କରି ଆନ୍ଦୋଳନରତ ହ୍ରାଇଭରମାନଙ୍କୁ ପୋଲିସ୍ ସେମାନଙ୍କ  ଘରୁ ଉଠାଇ ଆଣିଛି।

ବିଭିନ୍ନ ଦାବିକୁ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ୨୦ ତାରିଖରୁ ଏମାନେ ଆନ୍ଦୋଳନ ଚଳାଇଥିଲେ। ଆମ୍ବୁଲାନ୍ସ ଦାୟିତ୍ବରେ ଥିବା ସଂସ୍ଥାକୁ ବାଦ୍‌ ଦେବା ପାଇଁ ଏମାନେ ଆନ୍ଦୋଳନ କରୁଥିଲେ। ଏହି ସଂସ୍ଥା କର୍ମଚାରୀଙ୍କୁ ସର୍ବନିମ୍ନ ଦରମା ଦେଉନାହିଁ ବୋଲି ସଂଘ ଅଭିଯୋଗ କରିଛି।

କର୍ମଚାରୀଙ୍କୁ ଗିରଫ କରିବା ପରେ ପୋଲିସ ପିଆର୍‌ ବଣ୍ଡରେ ଜାମିନରେ ଯିବାକୁ କହିଥିଲା। ହେଲେ ଆନ୍ଦୋଳନରତ କର୍ମଚାରୀ ଏହାକୁ ଗ୍ରହଣ କରି ନଥିଲେ। ଫଳରେ ପୋଲିସ ଏମାନଙ୍କୁ କୋର୍ଟରେ ହାଜର କରିବା ପରେ ଜେଲକୁ ପଠାଇ ଦେଇଛି।

Comment