ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ଛାତ୍ରରୁ ବନିଲେ ଆତଙ୍କବାଦୀ
  • ହିଜ୍‌ବୁଲ୍‌ ମୁଜାହିଦୀନରେ ଯୋଗଦେଲେ ମନାନ୍‌ ବସିର ଓ୍ୱାନୀ
  • ଆଲିଗଡ଼ ମୁସଲିମ୍‌ ୟୁନିଭରସିଟିରେ କରୁଥିଲେ ପିଏଚ୍‌ଡି
  • ମା’ଙ୍କ ଡାକରା-‘ଫେରିଆ ମୋ ସୁନା ପୁଅ’

ବନ୍ଧୁକ ଧରିଥିବା ମନାନ୍‌ ବସିର ଓ୍ୱାନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି। କାରଣ କାଶ୍ମୀରର କୁପଓ୍ୱାରା ଜିଲ୍ଲାର ଅଧିବାସୀ ୨୫ ବର୍ଷୀୟ ଛାତ୍ର ମନାନ୍‌ ଓ୍ୱାନୀ ଥିଲେ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର। ଜିଓଲୋଜି ବା ଭୂତତ୍ତ୍ୱବିଜ୍ଞାନରେ ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ସେ ପିଏଚ୍‌ଡି ଛାତ୍ର ଥିଲେ।

ଆତଙ୍କବାଦୀ ବେଶରେ ମନାନ୍‌ ବସିରଙ୍କୁ ଦେଖି କେହି ବିଶ୍ୱାସ କରିପାରିନଥିଲେ। ନା’ ଅଧ୍ୟାପକ, ନା’ ସହପାଠୀ। ତେବେ କାଶ୍ମୀର ଉପତ୍ୟକାରେ ଆତଙ୍କ ଖେଳାଉଥିବା ହିଜ୍‌ବୁଲ୍‌ ମୁଜାହିଦୀନ ସ୍ପଷ୍ଟ କରିଛି ଯେ ମନାନ୍‌ ଓ୍ୱାନୀ, ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି। ଏହାପରେ ୟୁନିଭର୍ସିଟିରୁ ମନାନ୍‌ ଓ୍ୱାନୀକୁ ବହିଷ୍କାର କରାଯାଇଛି। ସେ ରହୁଥିବା ହଷ୍ଟେଲ ରୁମ୍‌ର ତଲାସି ନେଇଛି ଉତ୍ତରପ୍ରଦେଶ ପୁଲିସ। ରୁମ୍ ତଲାସି ବେଳେ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି।

ଗତ ସପ୍ତାହରେ ମନାନ୍‌ ଓ୍ୱାନୀ ଆଲିଗଡ଼ ୟୁନିଭର୍ସିଟିରୁ ତାଙ୍କ ଘରକୁ ଯାଇଥିଲେ। ତେବେ ସେ ଘରେ ନପହଞ୍ଚିବାରୁ ଥାନାରେ ଏଫଆଇଆର୍‌ ଦାଖଲ କରିଥିଲେ ତାଙ୍କ ବାପା। ତେବେ ପୁଲିସ ଖୋଜାଖୋଜି କରୁଥିବା ବେଳେ ରବିବାର ଦିନ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେଥିରେ ଏକେ-୪୭ ଧରି ମନାନ୍‌ ଓ୍ୱାନୀ ଫଟୋ ଉଠାଇଥିଲେ।

ଏହି ଖବର ବ୍ୟାପିବା ପରେ କୁପଓ୍ୱାରା ଜିଲ୍ଲା ଲୋହାବ ଅଞ୍ଚଳରେ ହଇଚଇ ଖେଳିଯାଇଥିଲା। ଟିକିପୁରା ଗାଁରେ ଥିବା ମନାନ୍‌ ଓ୍ୱାନୀଙ୍କ ଘରେ ଭାଳେଣି ପଡିଯାଇଥିଲା।

ମା’ ସମୀମା କାନ୍ଦି କାନ୍ଦି ମନାନ୍‌ଙ୍କୁ ଘରକୁ ଫେରିଆସିବା ଲାଗି ଅପିଲ୍‌ କରୁଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସମୀମା ଆକୁଳ ନିବେଦନ କରି କହିଛନ୍ତି, ‘ମୋ ସୁନା ପୁଅ, ତୁ ଘରକୁ ଫେରିଆ..ତୋ ଭଉଣୀ ଆସିଫା ଦୁଃଖରେ ଭାଙ୍ଗି ପଡିଛି, ତା’ ଅବସ୍ଥା ଆସି ଦେଖିଯା..’

ସେପଟେ ମନାନ୍‌ ଜଣେ ଅତି ମେଧାବୀ ଛାତ୍ର ଥିଲେ ବୋଲି କହିଛନ୍ତି ତାଙ୍କ ସହପାଠୀ। ତାଙ୍କ ରିସର୍ଚ ପେପର୍‌ ଗତବର୍ଷ ବେଶ୍‌ ଉଚ୍ଚ ପ୍ରଶଂସିତ ହେଉଥିଲା। ତେବେ ଭାରତର ରାଜନୈତିକ ଅବସ୍ଥା ନେଇ ସେ ପ୍ରତିକ୍ରିୟା ପ୍ରକାଶ କରି ଆସୁଥିଲେ। ତାଙ୍କ ଫେସବୁକ୍‌ ପେଜ୍‌ରେ ସେ ଏ ନେଇ ଅନେକ ପୋଷ୍ଟ କରିଥିବା ଜଣାପଡିଛି। ଗତ ବୁଧବାର ଦିନ ଦିଲ୍ଲୀରେ ଜଣେ ବନ୍ଧୁଙ୍କ ଘରେ ସେ ରାତ୍ରିଯାପନ କରିଥିବା ପୁଲିସ ସନ୍ଦେହ କରୁଛି। ଏ​‌ବେ କେଉଁଠି ରହୁଛି, ଜାଣିବା ପାଇଁ ପୁଲିସ ତନାଘନା କରୁଛି।

ଜାତୀୟ ଗଣମାଧ୍ୟମକୁ ତାଙ୍କର ଜଣେ ସହପାଠୀ କହିଛନ୍ତି, ଘର (କାଶ୍ମୀର)କୁ ଯିବା ବାଟରେ ସେ ସୁରକ୍ଷାକର୍ମୀଙ୍କ ଦ୍ୱାରା ବାରମ୍ବାର ଯାଞ୍ଚର ସମ୍ମୁଖୀନ ହେଉଥିବା ଯୋଗୁଁ ମନାନ୍‌ ଓ୍ୱାନୀ ବିବ୍ରତ ହୋଇପଡିଥିଲେ।

​‌ତେବେ ଅନ୍ୟ ଏକ ସୁତ୍ରରୁ ଜଣାପଡିଛି ଯେ ଭାରତର ଅପରେସନ୍‌ ଅଲ୍‌ ଆଉଟ୍‌ ସଫଳତା ପାଉଥିବାବେଳେ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନ ପ୍ରତି ଆକୃଷ୍ଟ କରିବା ପାଇଁ ପାକିସ୍ତାନରେ ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଉଛି।

ଗତବର୍ଷ ୧୦୦ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ସାମଲ୍‌ ହେଉଥିବା ବିଶ୍ୱାସ କରାଯାଉଛି। ତେବେ ୧୦ ଜଣ ଯୁବକ ସଂଗଠନ ଛାଡି ଫେରି ଆସିଥିବା ଜଣାପଡିଛି। ମା’ଙ୍କ ଆକୁଳ ନିବେଦନ ପରେ ଫୁଟବଲ୍‌ ଖେଳାଳି ମାଜିଦ୍‌ ଖାନ୍‌ ଆତଙ୍କବାଦୀ ସଂଗଠନ ଛାଡି ଘରକୁ ଫେରିଆସିଥିଲେ।

Comment